Petrol Sale Restrictions : ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କଟକଣାକୁ ଫୁ’, ଆଖି ବୁଜି ଦେଇଛି ଯୋଗାଣ ବିଭାଗ

ଭୁବନେଶ୍ୱର, ୧୮/୧୧ : ରାଜ୍ୟରେ କୌଣସି ବି ପେଟ୍ରାଲ ପମ୍ପ୍ରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ନକରିବା ପାଇଁ ଓଡ଼ିଶା ସରକାର କଡ଼ା ନିୟମ କରିଥିଲେ । ମାତ୍ର ରାଜଧାନୀ ଭୁବନେଶ୍ୱରରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ଏଫ୍ଏମ୍ ଛାତ୍ରୀ ଆତ୍ମଦାହ ଏବଂ ପୁରୀ ବଳଙ୍ଗା ଘଟଣା ପରେ ଏହି ନିୟମକୁ କଡ଼ାକଡ଼ି କରାଯାଇଥିଲା । ମଙ୍ଗଳବାର ଇନ୍ଫୋସିଟି ଥାନା ଅଧୀନ ପଥରଗାଡ଼ିଆ ଅଞ୍ଚଳରେ ପୁଣି ଜଣେ ଛାତ୍ରୀ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣି ନିଜ ଦେହରେ ଢାଳି ଆତ୍ମଦାହ କରିବା ଘଟଣା ଏବେ ପ୍ରଶାସନିକ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ରେମ ବିବାଦକୁ କେନ୍ଦ୍ର କରି ଯୁବତୀ ଜଣଙ୍କ କାଫେ ବାହାରେ ନିଜ ଦେହରେ ପେଟ୍ରାଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏବେ ସେ ଜୀବନ ମରଣ ସହ ହସ୍ପିଟାଲରେ ସଂଘର୍ଷ କରୁଛନ୍ତି । ତେବେ ଏହି ଘଟଣାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଯୁବତୀଙ୍କ ନିକଟକୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆସିଲା କେଉଁଠୁ । ତାହା ଏବେ ତଦନ୍ତ ସାପେକ୍ଷ ହୋଇପଡ଼ିଛି । କଟକଣା ସତ୍ତ୍ଵେ ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ବେଆଇନ ଭାବେ ବୋତଲରେ ପେଟ୍ରୋଲ ବିକ୍ରି ହେଉଥିବାରୁ ନଜରକୁ ଆସୁଛି । ତେଣୁ ନିୟମ ଉଲ୍ଲଂଘନ କରୁଥିବା ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ଜୋର ଧରିଛି ।
ସୌଜନ୍ୟ ପ୍ରମେୟ




