ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆସନ୍ତା ୨-୩ ଦିନ ମଧ୍ୟରେ ନେତୃତ୍ବ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯିବ। କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କଳ୍ପନା ଜଳ୍ପନା ଜାରି ରହିଥିବାବେଳେ ଏହି ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କର ଅଚାନକ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ବଢ଼ିଛି। ସିଦ୍ଦରମୈୟା କହିଛନ୍ତି, ମଙ୍ଗଳବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ବୈଠକ ପାଇଁ ତାଙ୍କୁ ଡକାଯାଇଛି। କିନ୍ତୁ ବୈଠକର ଏଜେଣ୍ଡା ସଂକ୍ରାନ୍ତରେ ସେ କିଛି ଜାଣିନାହାନ୍ତି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କେସି ବେଣୁଗୋପାଳ ତାଙ୍କୁ ଫୋନ୍ କରିଥିଲେ ଏବଂ ପୂର୍ବାହ୍ଣ ୧୧ଟାରେ ବୈଠକ ହେବ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ମେ ୨୦ରେ ସରକାରକୁ ୩ ବର୍ଷ ପୂରିଥିବାରୁ କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନେତୃତ୍ବ ପରିବର୍ତ୍ତନ ନେଇ ଚର୍ଚ୍ଚା ବଢ଼ିଛି। ଇତି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସାମ୍ବାଦିକମାନଙ୍କୁ କହିଛନ୍ତି, ଯଦି ମତେ ଡକାଯିବ ତେବେ ମୁଁ ବି ଯିବି।
କିନ୍ତୁ ଶିବକୁମାରଙ୍କ ସମର୍ଥକମାନେ କ୍ଷମତା ବଣ୍ଟନ ଚୁକ୍ତି ଅନୁଯାୟୀ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବା ସମୟରେ ସିଦ୍ଦରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ଅଢ଼େଇ ବର୍ଷର ଏକ ଚୁକ୍ତି ହୋଇଥିଲା। ସିଦ୍ଦରମୈୟା ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ଏବଂ ଶିବକୁମାର ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ ଇତି ମଧ୍ୟରେ ୩ ବର୍ଷ ପୂରି ଯାଇଥିଲେ ବି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ିନାହାନ୍ତି। ଅନ୍ୟପକ୍ଷେ ଶିବକୁମାରଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ

