Leopard Attack ରାତିରେ ଘରେ ପଶିଲା କଲରାପତରିଆ, ଆକ୍ରମଣରେ ୬ ଆହତ
ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଝିଟିକି ଗାଁରେ ରାତିରେ ଘରେ ପଶିଲା କଲରାପତରିଆ ବାଘ। ଆକ୍ରମଣରେ ଏକ ପରିବାରର ୬ ଜଣ ଆହତ, ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ। ବାଘକୁ ଧରିଲା ଟିମ୍। ବନ ବିଭାଗ ସତର୍କ।

ନୂଆପଡ଼ା: ଓଡିଶା- ଛତିଶଗଡ ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମହାସମୁନ୍ଦ୍ ଜିଲ୍ଲା ବାଗବହାରା ରେଞ୍ଜ ନରରା ନିକଟ ଝିଟିକି ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ବାଘ ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ସରଜୁ ଯାଦବ, ତାଙ୍କ ପତ୍ନୀ ଉତ୍ତରୀବାଇ ୟାଦବ, ଜନକରାମ୍ ଯାଦବ, ପତ୍ନୀ ସୁନୀତା ଯାଦବ, ମନିଶ ଯାଦବ, ତୁଷାର ୟାଦବ।
ଗତକାଲି(ଶନିବାର) ବିଳମ୍ବିତ ରାତ୍ରରେ ନରରା ନିକଟ ଝିଟିକି ଗାଁକୁ ସୁନାବେଡ଼ା ଅଭୟାରଣ୍ୟର ଏକ କଲରା ପତରିଆ ବାଘ ପଶି ଯାଇଥିଲା । ଏହି ସମୟରେ ଏକ ଘରେ ଗୋଟିଏ ପରିବାରର ୬ଜଣ ଶୋଇଥିଲେ । ଖାଦ୍ୟ ଅନ୍ବେଷଣରେ ବାଘ ଘରକୁ ପଶିଥିବା ଅନୁମାନ କରାଯାଉଛି। ପରିବାର ଲୋକେ ଉଠି ଭୟଭୀତ ହୋଇ ଚିତ୍କାର କରିବାରୁ ବାଘ ଗୋଟିଏ ପରେ ଗୋଟିଏ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ସେଠି ଗୋଟିଏ ପରିବାରର ୬ଜଣଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି କ୍ଷତାକ୍ତ କରିଥିଲା । ପରେ ପରିବାର ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ବହୁ କଷ୍ଟରେ ବାଘକୁ ଘଉଡ଼ାଇବାରେ ସଫଳ ହୋଇଥିଲେ। ଗାଁ ଲୋକେ ପରିବାରର ୬ ଜଣଙ୍କୁ ଉଦ୍ଧାର କରି ମହାସମୁନ୍ଦ୍ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।
ରାତିରେ ରକ୍ତମୁଖା ବାଘକୁ ଗାଁ ଲୋକେ ଏକ ଘର ଭିତରେ କବାଟ ବନ୍ଦ କରି ରଖି ବନ୍ ବିଭାଗକୁ ଖବର ଦେଇଥିଲେ । ଆଜି ପୂର୍ବାହ୍ନରେ ରାୟପୁରରୁ ବାଘ ଧରିବା ଟିମ୍ ଗାଁରେ ପହଞ୍ଚି ବାଘକୁ କାବୁ କରିଥିଲେ । ମଧ୍ୟାହ୍ନରେ ବାଘକୁ ଉଦ୍ଧାର କରି ରାୟପୁରକୁ ନେଇଥିଲେ । ମହାସମୁନ୍ଦ୍ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଲୋକଙ୍କୁ ଘରୁ ନବହାରିବାକୁ ସଚେତନ କରିଥିଲେ ।
ସୌଜନ୍ୟ ସମ୍ବାଦ




