Nepal disaster: ନେପାଳ ବିପର୍ଯ୍ୟୟ ପରେ ଚେତିଲେ: କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପରୁ ବନ୍ୟା ଭୟ, ପ୍ରଭାବ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ
କିଛି ଦିନ ତଳେ ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୬୦୦୦ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟର ଅନେକ କାରଣ ମଧ୍ୟରୁ ସେଠାରେ ନିର୍ମାଣ କରାଯାଇଥିବା ଜଳବିଦ୍ୟୁତ୍ ପ୍ରକଳ୍ପ...

ଭୁବନେଶ୍ବର: କିଛି ଦିନ ତଳେ ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୬୦୦୦ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟର ଅନେକ କାରଣ ମଧ୍ୟରୁ ସେଠାରେ ନିର୍ମାଣ କରାଯାଇଥିବା ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକୁ ମଧ୍ୟ ସେଥିପାଇଁ ଦାୟୀ କରାଯାଉଛି। ନେପାଳ ଘଟଣା ମନରୁ ଲିଭିନଥିବା ବେଳେ ଓଡ଼ିଶାରେ ମଧ୍ୟ ଜଳ ବିଦ୍ୟୁତ୍ ପ୍ରକଳ୍ପ ପ୍ରଭାବରେ ବନ୍ୟା ଘଟିସାରିଛି। କେନ୍ଦୁଝରରେ ବିପିପିଏଲ୍ ନାମକ କମ୍ପାନିର ପ୍ରକଳ୍ପ ଯୋଗୁଁ ବ୍ୟାରେଜ୍ର ତଳିଆ ଅଞ୍ଚଳରେ ବନ୍ୟା ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେହି ଘଟଣା ପରେ ସରକାରଙ୍କ ମୁଣ୍ଡରେ ଚେତା ପଶିଛି। ଅନ୍ୟ ଛୋଟ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ିବା ପାଇଁ ଅନୁମତି ଦେବା ପୂର୍ବରୁ ପ୍ରକଳ୍ପ ପ୍ରଭାବକୁ ବ୍ୟାପକ ଭାବେ ଅନୁଧ୍ୟାନ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି।
କୋଇଲା ଆଧାରିତ ତାପଜ ବିଦ୍ୟୁତ୍ ପ୍ରକଳ୍ପରୁ ହେଉଥିବା ପ୍ରଦୂଷଣ ଓ ନିର୍ଗମନ ହ୍ରାସ କରିବା ଲାଗି ବିଭିନ୍ନ ପ୍ରକାର ଅକ୍ଷୟ ଶକ୍ତି ଉପରେ ରାଜ୍ୟ ସରକାର ଜୋର ଦେଉଛନ୍ତି। ଭାରତର ୧୧ ପ୍ରତିଶତ ଭୂପୃଷ୍ଠ ଜଳଭଣ୍ଡାର ଓଡ଼ିଶାରେ ଥିବାରୁ ଅନେକ ଛୋଟ ଛୋଟ ଜଳ ବିଦ୍ୟୁତ୍ ପ୍ରକଳ୍ପ ବିକାଶ କରିବାକୁ ରାଜ୍ୟ ସରକାର ଚାହୁଛନ୍ତି। ସେଥିପାଇଁ ୧୮୫ଟି ସ୍ଥାନ ଚିହ୍ନଟ କରାଯାଇଛି। ମୁଖ୍ୟତଃ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଆଦି ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକୁ ବିକାଶ କରାଯିବାର ସମ୍ଭାବନା ରହିଛି। କେନ୍ଦୁଝର ଘଟଣା ପରେ ପ୍ରକଳ୍ପର ତଳିଆ ଅଞ୍ଚଳ ଉପରେ ପ୍ରଭାବ ଆକଳନ କରିବା ଏବଂ ସେମାନଙ୍କ ସ୍ବାର୍ଥର ସୁରକ୍ଷା ନିଶ୍ଚିତ କରିବା ଜରୁରି ବୋଲି ବିଶେଷଜ୍ଞ କହିଛନ୍ତି।
କେନ୍ଦୁଝର ଘଟଣାର ପ୍ରଭାବ କୋରାପୁଟର ବୈପାରିଗୁଡ଼ା ତହସିଲର ତେନ୍ତୁଳିଗୁମାରେ ପଲ୍ଲବୀ ପାୱାର ଆଣ୍ଡ୍ ମାଇନ୍ସ ଲିମିଟେଡ୍ ନିର୍ମାଣ କରୁଥିବା ୧୫ ମେଗାୱାଟ୍ କ୍ଷମତା ବିଶିଷ୍ଟ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ଉପରେ ପଡ଼ିଛି। ଏହି ପ୍ରକଳ୍ପ ଦ୍ବାରା ନଦୀର ଜଳ ପ୍ରବାହ, ବନ୍ୟା ଜଳ ନିଷ୍କାସନ, ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକ ଓ ସେହି ଅଞ୍ଚଳରେ ଥିବା ଅନ୍ୟାନ୍ୟ ହାଇଡ୍ରୋଲିକ୍ ଢାଞ୍ଚା ଉପରେ କ’ଣ ପ୍ରଭାବ ପଡ଼ିବ ତାହା ଅନୁଧ୍ୟାନ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ କୁହାଯାଇଛି। ପ୍ରସ୍ତାବିତ ପ୍ରକଳ୍ପର ପାଖାପାଖି ଅଞ୍ଚଳରେ ମୀନାକ୍ଷୀ ପାୱାର ଲିମିଟେଡ୍ର ୨୫ ମେଗାୱାଟ୍ କ୍ଷମତା ବିଶିଷ୍ଟ ମଧ୍ୟମ କୋଲାବ ଜଳ ବିଦ୍ୟୁତ୍ ପ୍ରକଳ୍ପ ରହିଛି। ତେଣୁ ପଲ୍ଲବୀ ପାୱାରର ପ୍ରକଳ୍ପ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ନା ନାହିଁ ତାହା ଅନୁଧ୍ୟାନ କରିବାକୁ କୁହାଯାଇଛି। ବିଶେଷ କରି ବୈଷୟିକ ସର୍ବେକ୍ଷଣ, ବନ୍ୟା ଆକଳନ, ସୁରକ୍ଷା ଅନୁଶୀଳନ କରାଯାଇଛି ନା ନାହିଁ ଏବଂ ଜମି ଅଧିଗ୍ରହଣ ପାଇଁ ଆଗକୁ ବଢ଼ିବା ପୂର୍ବରୁ ଜଳ ସମ୍ପଦ ବିଭାଗଠାରୁ ଆବଶ୍ୟକ ଅନୁମୋଦନ ନିଆଯାଇଛି ନା ନାହିଁ ତାହା ଜଣାଇବାକୁ କୁହାଯାଇଛି।
କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ପର୍କରେ ତିନିଟି ବିଭାଗ ଜଳ ସମ୍ପଦ, ଶକ୍ତି ଓ ଶିଳ୍ପ ବିଭାଗକୁ ସୂଚନା ଦେବାକୁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ କୁହାଯାଇଛି। ଜଳ ସମ୍ପଦ ବିଭାଗକୁ ନଦୀର ଜଳ ପ୍ରବାହ, ବନ୍ୟାଜଳ ନିଷ୍କାସନ ଓ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଉପରେ ପ୍ରଭାବ ସମ୍ପର୍କରେ ଜଣାଇବାକୁ ହେବ। ଏହି ପ୍ରକଳ୍ପ ଉପରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୩ ଲାଗୁ ହେଉଛି ନା ନାହିଁ ତାହା ଶକ୍ତି ବିଭାଗକୁ ଜଣାଇବାକୁ କୁହାଯାଇଛି। ଏହି ପ୍ରକଳ୍ପ ସିଙ୍ଗଲ ୱିଣ୍ଡୋରେ ଅନୁମୋଦନ ହୋଇଛି ନା ନାହିଁ ଓ ଏହା ଉପରେ ଶିଳ୍ପ ନୀତି ଲାଗୁ ହେଉଛି ନା ନାହିଁ ତାହା ଶିଳ୍ପ ବିଭାଗକୁ ଜଣାଇବାକୁ କୁହାଯାଇଛି। ପଲ୍ଲବୀ ପାୱାର ପ୍ରକଳ୍ପ ପାଇଁ ୨୦୧୦ ଜୁଲାଇ ୮ରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା।
ସୌଜନ୍ୟ ସମ୍ବାଦ




