ଦେଶ ବିଦେଶ

NTA removed 600 experts: ୬୦୦ ବିଶେଷଜ୍ଞଙ୍କୁ ହଟାଇଲା ଏନ୍‌ଟିଏ: ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ପାଇଁ ବଡ଼ ପଦକ୍ଷେପ

ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷାରେ କ୍ରମାଗତ ଭାବେ ଦେଖାଦେଉଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗକୁ ଭିତ୍ତି କରି ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ଧରଣର ପରିବର୍ତ୍ତନ ଆରମ୍ଭ ହୋଇଛି।

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷାରେ କ୍ରମାଗତ ଭାବେ ଦେଖାଦେଉଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗକୁ ଭିତ୍ତି କରି ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ଧରଣର ପରିବର୍ତ୍ତନ ଆରମ୍ଭ ହୋଇଛି। ଛାତ୍ରଙ୍କ ଭବିଷ୍ୟତ ଏବଂ ପରୀକ୍ଷାରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏନ୍‌ଟିଏ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ନିଜର ପୁରୁଣା ଟିମ୍‌କୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ଏହି ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୀର୍ଘ ସମୟ ଧରି ବିଭିନ୍ନ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ପ୍ରାୟ ୬୦୦ ବିଶେଷଜ୍ଞଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ଭବିଷ୍ୟତରେ କୌଣସି ବି ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ଏବେ ପ୍ରଶ୍ନପତ୍ରଗୁଡ଼ିକର ଅତିକମ୍‌ରେ ୪ଟି ପର୍ଯ୍ୟାୟରେ ଯାଞ୍ଚ କରିବା ନିମନ୍ତେ ୪-ସ୍ତରୀୟ ସୁରକ୍ଷା ଓ ସମୀକ୍ଷା ବ୍ୟବସ୍ଥା କରାଯାଉଛି।

ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା  ପାଇଁ ବଡ଼ ପଦକ୍ଷେପ
ପ୍ରଶ୍ନପତ୍ର ଯାଞ୍ଚ ପାଇଁ ୪-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ମାସରେ ଅନୁଷ୍ଠିତ ୟୁଜିସି ନେଟ୍ ପରୀକ୍ଷା ପରେ ତିନୋଟି ମୁଖ୍ୟ ବିଷୟ ଯଥା ଇଂରାଜୀ, ବାଣିଜ୍ୟ ଏବଂ ସମାଜବିଜ୍ଞାନ ପ୍ରଶ୍ନପତ୍ରକୁ ନେଇ ପ୍ରବଳ ବିବାଦ ସୃଷ୍ଟି ହୋଇଥିଲା।   ପ୍ରଶ୍ନପତ୍ରରେ ବନାନ, ବ୍ୟାକରଣ ଏବଂ ଅନୁବାଦରେ ଅନେକ ମୌଳିକ ତ୍ରୁଟି ରହିଥିବା ନେଇ ଛାତ୍ରମାନେ ଅଭିଯୋଗ କରିଥିଲେ।  ଏଥିସହିତ ପ୍ରଶ୍ନପତ୍ରର ହିନ୍ଦୀ ଅନୁବାଦ ଅତି ନିମ୍ନମାନର ଥିଲା ଏବଂ କେତେକ ପ୍ରଶ୍ନ ଏଆଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭଳି ମନେହେଉଥିଲା ବୋଲି ଛାତ୍ରମାନେ ଅଭିଯୋଗ କରିଥିଲେ। ଏହିସବୁ ଅଭିଯୋଗ ପରେ ଏନ୍‌ଟିଏ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର କମିଟି ଯାଞ୍ଚ କରି ସ୍ୱୀକାର କରିଥିଲା ଯେ ପ୍ରଶ୍ନପତ୍ର ପ୍ରସ୍ତୁତିରେ ମୌଳିକ ନିୟମାବଳୀର ପାଳନ କରାଯାଇ ନାହିଁ। ତ୍ରୁଟି ଗୁଡ଼ିକ ଏତେ ଅଧିକ ଥିଲା ଯେ  ଏହାକୁ ସଧାରିବା ସମ୍ଭବପର ନଥିଲା। ସେହି କାରଣରୁ ଏନ୍‌ଟିଏ ଉକ୍ତ ତିନୋଟି ବିଷୟର ପରୀକ୍ଷାକୁ ରଦ୍ଦ କରି ପୁନର୍ବାର ପରୀକ୍ଷା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ୟୁଜିସି ନେଟ୍ ର ଏହି ତିନୋଟି ବିଷୟର ପୁନଃ ପରୀକ୍ଷା ଆସନ୍ତା ୯ ଏବଂ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button