Odisha High Court: ଟ୍ରାଫିକ ସମସ୍ୟା ଦୂର ପାଇଁ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଚହଟା-ନରାଜ ରାସ୍ତାରେ ହେବ ଆଲୋକ ବ୍ୟବସ୍ଥା
କଟକ ଡିସିପିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଅର୍ବାନ ପୁଲିସ ଆଇନ ଅନୁସାରେ ଏହି ପ୍ରସଂଗରେ ପଦକ୍ଷେପ ନିଆଯିବ। ଜିଲ୍ଲା ପ୍ରଶାସନର ଏଡିଏମ ପାହ୍ୟାର ଅଧିକାରୀ, କେଏମସିର ଡେପୁଟି କମିସନର ଓ କେଡିଏର ଏହି ପାହ୍ୟାର ଅଧିକାରୀ କମିଟିରେ ସଦସ୍ୟ ରହିବେ।

କଟକ: କଟକ ମହାନଗରର ଟ୍ରାଫିକ୍ ଭିଡ଼ ଆଉ ଏକ ସାଧାରଣ ଅସୁବିଧା ହୋଇ ରହି ନାହିଁ, ବରଂ ଏହା ଏକ ସ୍ଥାୟୀ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଫଳରେ ଜନସାଧାରଣ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଜରୁରୀ ସେବା ବିଳମ୍ବିତ ହେଉଛି। ଏଭଳି ସ୍ଥିତି ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହିତ ତୁରନ୍ତ ଏହି ସମସ୍ୟାର ସମାଧାନ ଉପରେ ଗୁରୁତ୍ବାରୋପ କରିଛନ୍ତି। କଟକ ଡିସିପିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଅର୍ବାନ ପୁଲିସ ଆଇନ ଅନୁସାରେ ଏହି ପ୍ରସଂଗରେ ପଦକ୍ଷେପ ନିଆଯିବ। ଜିଲ୍ଲା ପ୍ରଶାସନର ଏଡିଏମ ପାହ୍ୟାର ଅଧିକାରୀ, କେଏମସିର ଡେପୁଟି କମିସନର ଓ କେଡିଏର ଏହି ପାହ୍ୟାର ଅଧିକାରୀ କମିଟିରେ ସଦସ୍ୟ ରହିବେ। ୱାର୍ଡ ଗୁଡ଼ିକରେ ଟ୍ରାଫିକ ଭିଡ କମାଇବା, ଡ୍ରେନ ଓ ସଡକ ଅବରୋଧମୁକ୍ତ କରିବା, ଉଚ୍ଛେଦ ପରେ ପୁଣି ଜବରଦଖଲ ନ ହେବା ପ୍ରସଂଗରେ କମିଟି ସମାଧାନମୂଳକ ବ୍ୟବସ୍ଥା ନେଇ ପରାମର୍ଶ ପ୍ରଦାନ କରିବ। ଅଗଷ୍ଟ ୨୭ରେ ଏହି ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ସମୟରେ କମିଟିର ପରାମର୍ଶ ଉପସ୍ଥାପନ କରିବାକୁ ହାଇକୋର୍ଟ କହିଛନ୍ତି। ଜଷ୍ଟିସ କୃଷ୍ଣ ରାମ ମହାପାତ୍ର ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକ ସହର ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
କାଉଡିଆମାନେ ଚହଟାରୁ ନରାଜ ଦିଗକୁ ଶ୍ରାବଣ ମାସରେ ଯାତ୍ରା କରୁଥିବା ବେଳେ ଏହି ରାସ୍ତାରେ କୌଣସି ଆଲୋକ ବ୍ୟବସ୍ଥା ନଥିବାରୁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ବୋଲି ମାମଲାର ଶୁଣାଣି ବେଳେ ଆଇନଜୀବୀ କାଜଲ ସାହୁ ଦର୍ଶାଇଥିଲେ। ଏହା ଏକ ଗୁରୁତର ପ୍ରସଂଗ ହୋଇଥିବାରୁ ତୁରନ୍ତ ଆଲୋକ ବ୍ୟବସ୍ଥା କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ କେଏମସି ନିକଟରୁ ଜବାବ ଲୋଡ଼ିଥିଲେ। ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଅସ୍ଥାୟୀ ଆଲୋକ ବ୍ୟବସ୍ଥା କରିବା ପାଇଁ ଟିପିସିଓଡିଏଲ ସହିତ ବିଚାରବିମର୍ଶ କରାଯାଇ ପଦକ୍ଷେପ ନିଆଯିବ ବୋଲି କେଏମସି ପକ୍ଷରୁ ଦର୍ଶାଯାଇଥିଲା। ଅଗଷ୍ଟ ୨୦ରେ କେଏମସି ଓ ଟିପିସିଓଡିଏଲର ଅଧିକାରୀମାନେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଏହି ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାତୃଭବନ ନିକଟ ଡ୍ରେନେଜ ବ୍ୟବସ୍ଥା ଅନୁଧ୍ୟାନ କରି ସପ୍ତାହେ ଭିତରେ ରିପୋର୍ଟ ଦାଖଲ କରିବାକୁ ଆଡଭୋକେଟ କମିଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଳାଶୟ ପ୍ରସଂଗରେ ଜୁଲାଇ ୯ର ନିର୍ଦ୍ଦେଶ ପାଳନ କରି କଟକ ଏଡିଏମ(ରାଜସ୍ବ) ଏକ ସତ୍ୟପାଠ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ତରଫରୁ ଘରୋଇ ଜମିରେ ଜଳାଶୟ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ଲୋଡ଼ା ଯାଇଛି। ଜଳାଶୟ ସଂକ୍ରାନ୍ତୀୟ ମାମଲା ଗୁଡ଼ିକର ସ୍ଥିତି ସଂପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ କରାଯାଇଥିଲା। ଏହି ପ୍ରସଂଗରେ ସେପ୍ଟେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି ହେବ।
କେଡିଏ ଅଧିନରେ ସେକ୍ଟର-୧୨ରେ ଥିବା ବିଜୁ ପଟ୍ଟନାୟକ ପାର୍କରେ ଥିବା ଅଭାବ ସଂକ୍ରାନ୍ତରେ ଉଲ୍ଲେଖ କରି କେଡିଏ ଇଂଜିନିୟରିଂ ସଦସ୍ୟ ଏକ ସତ୍ୟପାଠ ଦାଖଲ କରିଥିଲେ। ସେହିଭଳି ଭାବେ ସେକ୍ଟର-୬ସ୍ଥିତ ଜୟପ୍ରକାଶ ନାରାୟଣ ପାର୍କ ଓ ଜଷ୍ଟିସ ବି.କେ.ରାୟ ପାର୍କ ସଂକ୍ରାନ୍ତରେ ଆଡଭୋକେଟ କମିଟି ସଦସ୍ୟ ରିପୋର୍ଟ ଦାଖଲ କରିଥିଲେ।
ସେପ୍ଟେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି
କେଡିଏ ସେକ୍ଟର-୧୧ରେ ୫୨୦୦ ବର୍ଗଫୁଟର ଏକ ପ୍ଲଟ ପ୍ରାଥମିକ ସ୍କୁଲ ନିର୍ମାଣ ପାଇଁ ଚିହ୍ନିତ ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏହି ପ୍ଲଟ ଜିଲ୍ଲା ପ୍ରଶାସନକୁ ଏହି ଉଦ୍ଦେଶ୍ୟ ପାଇଁ ପ୍ରଦାନ କରାଯାଇ ନାହିଁ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ସେପ୍ଟେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି ସମୟରେ ଏହି ପ୍ରସଂଗରେ ହେବାକୁ ଥିବା ଅଗ୍ରଗତି ସଂକ୍ରାନ୍ତରେ ଅବଗତ କରିବାକୁ କେଡିଏକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ଏଲ.ସାମନ୍ତରାୟ, ଆଇନଜୀବୀ ହୃଦାନନ୍ଦ ମହାପାତ୍ର, ବିଭୁତି ଭୂଷଣ ଚୌଧୁରୀ, କାଜଲ ସାହୁ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।
ସୌଜନ୍ୟ ସମ୍ବାଦ




