Orangutans Heath Update: ଖେଳକୁଦ କରିବା ସହ ସକ୍ରିୟ ଅଛନ୍ତି ୪ ଓରାଙ୍ଗଉଟାନ, ଗୋଟିଏ ଓରାଙ୍ଗଉଟାନକୁ ରକ୍ତହୀନତା

ବାରଙ୍ଗ ୨୪/୦୯: ବାଲେଶ୍ୱରରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିବା ୫ ଓରାଙ୍ଗଉଟାନ ଶାବକ ଧୀରେ ଧୀରେ ପୂର୍ବାପେକ୍ଷା ଅଧିକ ସକ୍ରିୟ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟୁଛି । ସାଧାରଣ ଭାବରେ ସେମାନେ ଖାଇବା ପିଇବା କରୁଛନ୍ତି । ତେବେ ଗୋଟିଏ ଶାବକଠାରେ ରକ୍ତହୀନତା ଦେଖାଦେଇଛି । ତେଣୁ ତା’ର ସ୍ୱାସ୍ଥ୍ୟ ଉପରେ ଅଧିକ ନଜର ରଖାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ୮ ତାରିଖ ରାତିରେ ବାଲେଶ୍ୱରରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲେ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ଲାଳନପାଳନ କେନ୍ଦ୍ର ସଙ୍ଗରୋଧ ଗୃହରେ ସେମାନଙ୍କୁ ରଖାଯାଇଛି । ପିସିସିଏଫଙ୍କ ଦ୍ୱାରା ଗଠିତ ବୈଷୟିକ କମିଟି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତାଙ୍କ ପରାମର୍ଶରେ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ଚିକିତ୍ସା କରୁଛନ୍ତି । କିଛି ସମୟ ଅନ୍ତରରେ ଆବଶ୍ୟକ ଖାଦ୍ୟ ଦିଆଯାଉଛି । କ୍ଷୀର ପାଉଡ଼ର ପରିମାଣ ବୃଦ୍ଧି କରାଯିବା ସହିତ ଗାଜର ଓ ବିନ୍ସ ସିଝା ଖାଇବାକୁ ଦିଆଯାଉଛି । ସଙ୍ଗରୋଧରେ ରହିବା ଇତିମଧ୍ୟରେ ୧୬ ଦିନ ବିତିଗଲାଣି । ସେମାନେ ଖେଳକୁଦ କରିବା ସହିତ ସକ୍ରିୟ ହେଉଛନ୍ତି । ନିୟମ ଅନୁଯାଇ ସେମାନେ ଆହୁରି ୧୪ ଦିନ ସଙ୍ଗରୋଧରେ ରହିବେ । ପରେ ସେମାନେ କେଉଁଠି ରହିବେ ସ୍ପଷ୍ଟ ହେବ ।
ସୌଜନ୍ୟ ପ୍ରମେୟ




