ରାଜ୍ୟ

Akshaya Mohanty : ଅକ୍ଷୟ ମହାନ୍ତିଙ୍କ ତିରୋଧାନ ଦିବସ, ୨୪ ବର୍ଷ ପରେ ବି ସ୍ମୃତି ସଂରକ୍ଷଣ ଅଧା, ସଙ୍ଗୀତ ଜଗତର ମହାନାୟକଙ୍କୁ ଭୁଲିଗଲା କି କର୍ମଭୂମି ?

କଟକ, ୧୮/୧୧ : ତାଙ୍କ ଗୀତରେ ଝୁମୁଛି ପିଢ଼ି ପରେ ପିଢ଼ି । ସମୟ ବଦଳିଛି ହେଲେ ଅକ୍ଷୟ ମହାନ୍ତି ବା ସମସ୍ତଙ୍କ ପ୍ରିୟ ଖୋକା ଭାଇଙ୍କ ଗୀତର ଆଦର କମିନାହିଁ । ଓଡ଼ିଆ ସଙ୍ଗୀତ ଜଗତର ଏହି ଅପ୍ରତିଦ୍ୱନ୍ଦ୍ୱୀ ତାରକାଙ୍କ ଗୀତ ଆଜି ବି ଲୋକଙ୍କ ମୁହଁରେ ଗୁଞ୍ଜରିତ ହେଉଛି । ମାତ୍ର ଦୁଃଖର ବିଷୟ, ତାଙ୍କ ସ୍ମୃତିକୁ ସ୍ଥାୟୀ ଭାବେ ସଜେଇ ରଖିବାରେ ତାଙ୍କ କର୍ମଭୂମି କଟକରେ ହେଉନି ଉଦ୍ୟମ ।  ୧୭ ନଭେମ୍ୱର ୨୦୦୨ରେ ଅକ୍ଷୟ ମହାନ୍ତିଙ୍କ ପରଲୋକ ହୋଇଥିଲା । ଆଜି ତାଙ୍କର ୨୪ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ପୁଣି ଥରେ ସାମ୍ନାକୁ ଆସିଛି ତାଙ୍କ ସ୍ମୃତି ସଂରକ୍ଷଣର ପ୍ରଶ୍ନ ।

ଶିକ୍ଷା, ଚାକିରି, ସଙ୍ଗୀତ ସାଧନା ଓ ସୃଜନଶୀଳତାର ଯାତ୍ରାରେ କଟକ ଥିଲା ତାଙ୍କ ଜୀବନର ଏକ ଅଂଶ । ଆକାଶବାଣୀ କଟକରୁ ଆରମ୍ଭ ହୋଇଥିବା ତାଙ୍କ ସଙ୍ଗୀତ ଯାତ୍ରା ପରବର୍ତ୍ତୀ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଓ ଆଧୁନିକ ସଙ୍ଗୀତ ଜଗତକୁ ନୂଆ ଦିଗ ଦେଇଥିଲା । ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ସାହିତ୍ୟିକ ଓ ଅଭିନେତା ଭାବେ ତାଙ୍କ ବହୁମୁଖୀ ପ୍ରତିଭାରେ ମହକିତ ହୋଇଥିଲା ସାରା ଓଡ଼ିଶା । ଗୌରବ ପାଇଥିଲା କଟକ ସହର । ରୋମାଣ୍ଟିକ୍‌ ଗୀତଠାରୁ ଆରମ୍ଭ କରି ଭଜନ, ଗଜଲ, ସୁଗମ ସଂଗୀତ ଓ ଚଳଚ୍ଚିତ୍ର ସଙ୍ଗୀତ ପର୍ଯ୍ୟନ୍ତ ତାଙ୍କ ସବୁ ସୃଷ୍ଟି କାଳର ସୀମା ଡେଇଁ ଆଜିର ଯୁବପିଢ଼ିଙ୍କୁ ମଧ୍ୟ ଆକର୍ଷିତ କରୁଛି ।  ତାଙ୍କ ସ୍ମୃତିରେ ବିଭିନ୍ନ ସମୟରେ ସଙ୍ଗୀତ ଉତ୍ସବ, ଶ୍ରଦ୍ଧାଞ୍ଜଳି ସଭା ଓ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ହୋଇଛି । ୨୦୨୩ରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଜାରି ‘ଲିଜେଣ୍ଡସ୍‌ ଅଫ୍‌ ଓଡ଼ିଶା’ ସ୍ମାରକୀ ଡାକଟିକଟରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଥିଲା । ୨୦୨୫ରେ କଟକ ମେୟର ସୁବାସ ସିଂହ ତାଙ୍କୁ ମରଣୋତ୍ତର ପଦ୍ମ ପୁରସ୍କାର ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍‌ ମଧ୍ୟ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିଲେ । କିନ୍ତୁ ଏବେ ଯାଏଁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ କଟକରେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button