ରାଜ୍ୟ

Red Cross blood bank: ବିପଦ ମୁହଁରେ କେନ୍ଦ୍ରୀୟ ରେଡକ୍ରସ୍‌ ରକ୍ତଭଣ୍ଡାର: ଜମି, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ

ରାଜ୍ୟର ସର୍ବବୃହତ୍‌ ଆଉ ସବୁଠୁ ପୁରୁଣା ରକ୍ତଭଣ୍ଡାରର ନିଜସ୍ବ ଜମି ନାହିଁ। ରକ୍ତଭଣ୍ଡାର ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ବି ନାହିଁ। ବର୍ଷକୁ ୬୫ ହଜାରରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ...

କଟକ(କୃଷ୍ଣପ୍ରସାଦ ଦାସ): ରାଜ୍ୟର ସର୍ବବୃହତ୍‌ ଆଉ ସବୁଠୁ ପୁରୁଣା ରକ୍ତଭଣ୍ଡାରର ନିଜସ୍ବ ଜମି ନାହିଁ। ରକ୍ତଭଣ୍ଡାର ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ବି ନାହିଁ। ବର୍ଷକୁ ୬୫ ହଜାରରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ ସହ ରୋଗୀଙ୍କୁ ରକ୍ତ ଯୋଗାଉଥିବା କଟକର କେନ୍ଦ୍ରୀୟ ରେଡକ୍ରସ୍‌ ରକ୍ତଭଣ୍ଡାର ଅତ୍ୟନ୍ତ ବିପଦସଙ୍କୁଳ ସ୍ଥିତିରେ କାର୍ଯ୍ୟ କରୁଛି। ରକ୍ତଭଣ୍ଡାରର ଏଭଳି ସ୍ଥିତି ସାଙ୍ଗକୁ ଅଧିକ ବିପଦର କାରଣ ସାଜିଛି ଟିପିସିଓଡିଏଲ୍‌। ରକ୍ତଭଣ୍ଡାରର ଠିକ୍‌ ପ୍ରବେଶ ପଥ ପାର୍ଶ୍ବରେ ୧୧.୫ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ବସାଯାଇଛି। ଏଥିପାଇଁ କିଏ, କିଭଳି ଅନୁମତି ଦେଲେ, ତାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଟ୍ରାନ୍ସଫର୍ମର ସ୍ଥାନାନ୍ତର କରିବା ପାଇଁ ଏବେ ୧୫ଲକ୍ଷ ଟଙ୍କା ଦାବି କରୁଛି ଟିପିସିଓଡିଏଲ୍‌।

ରକ୍ତର କୌଣସି ବିକଳ୍ପ ନାହିଁ। ରାଜ୍ୟରେ ରକ୍ତ ଅଭାବ ଜନିତ ସମସ୍ୟା ଲାଗି ରହିଛି। ବିଶେଷ କରି ଚଳିତ ବର୍ଷ ବର୍ଷା ଦିନ ଶେଷ ହେବାକୁ ବସିଥିଲେ ବି ରକ୍ତ ଅଭାବଜନିତ ସମସ୍ୟା ଲାଗି ରହିଛି। ଏଭଳି ସ୍ଥିତିରେ ରାଜ୍ୟର ସର୍ବବୃହତ୍‌ ରକ୍ତଭଣ୍ଡାର ପ୍ରତି ପ୍ରଶାସନିକ ଓ ସରକାରୀସ୍ତରରେ ଏଭଳି ଉଦାସୀନତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି। ଅଗଷ୍ଟ ୧୩ ତାରିଖରେ କଟକ ସଦର ତହସିଲଦାର କଟକର କେନ୍ଦ୍ରୀୟ ରେଡକ୍ରସ୍‌ ରକ୍ତଭଣ୍ଡାର ନିର୍ଦ୍ଦେଶକକୁ ଏକ ଚିଠି ଦେଇଛନ୍ତି। ଯେଉଁ ସ୍ଥାନରେ ବର୍ତ୍ତମାନ ରକ୍ତଭଣ୍ଡାର ରହିଛି, ସେହି ଜମି ଏବଂ ରକ୍ତଭଣ୍ଡାର କର୍ମଚାରୀଙ୍କ କ୍ବାର୍ଟର୍ସ ପାଇଁ ଆବଶ୍ୟକ ପଡ଼ୁଥିବା ଜମି ନିଜ ନାମରେ କରିବାକୁ ହେଲେ ୭ କୋଟି ୮୫ ଲକ୍ଷ ୪ ହଜାର ୩୭୫ ଟଙ୍କା ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଶାସନ ଜମି ପାଇଁ ମାଗୁଛି ପାଖାପାଖି ୮ କୋଟି ଟଙ୍କା। ଟିପିସିଓଡିଏଲ୍‌ ଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ମାଗୁଛି ୧୫ ଲକ୍ଷ ଟଙ୍କା।

ଜମି, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ
ଜମି ପାଇଁ ତହସିଲ ମାଗୁଛି ୮କୋଟି
ଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ଟିପିସିଓଡିଏଲ୍‌ ମାଗୁଛି ୧୫ଲକ୍ଷ

କେନ୍ଦ୍ରୀୟ ରେଡକ୍ରସ୍‌ ରକ୍ତଭଣ୍ଡାର କୌଣସି ଲାଭଜନକ କମ୍ପାନି ନୁହେଁ ଯେ ଏତେ ଟଙ୍କା ଆଣି ପଇଠ କରିବ। କଟକ ଜିଲ୍ଲାପାଳ ହେଉଛନ୍ତି ରେଡକ୍ରସ୍‌ ସୋସାଇଟିର ସଭାପତି। କିନ୍ତୁ ପ୍ରଶାସନର ଏଭଳି ଚିଠି ଏବେ କେନ୍ଦ୍ରୀୟ ରେଡକ୍ରସ୍‌ ରକ୍ତଭଣ୍ଡାର ଉପରେ ଚଡ଼କ ପକାଇଛି। ରକ୍ତଭଣ୍ଡାର ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି ଯେ ରକ୍ତଭଣ୍ଡାରର ନିଜସ୍ବ ଜମି ନଥିବାରୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମିଳିପାରୁ ନାହିଁ। ଏହାର ପ୍ରବେଶ ପଥରେ ଅତ୍ୟନ୍ତ ବିପଦସଙ୍କୁଳ ସ୍ଥିତିରେ ଥିବା ଉଚ୍ଚ କ୍ଷମତା ସଂପନ୍ନ ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର ପାଇଁ ଟିପିସିଓଡିଏଲ୍‌ ପାଖାପାଖି ୧୫ ଲକ୍ଷ ଟଙ୍କା ମାଗୁଛି। ଏଭଳି ସ୍ଥିତିରେ ରକ୍ତଭଣ୍ଡାର ଏକପ୍ରକାର ଅସହାୟ ସ୍ଥିତିରେ ଅଛି। ଏ ସଂପର୍କରେ ବିିଭିନ୍ନ ଫୋରମ୍‌ରେ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ସରକାର ଏଥିରେ ହସ୍ତକ୍ଷେପ ନକଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଡାକ୍ତର ଦାସ କହିଛନ୍ତି। କେନ୍ଦ୍ରୀୟ ରେଡକ୍ରସ୍‌ ରକ୍ତଭଣ୍ଡାର ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଡକ୍ଟର ରଂଜନ କୁମାର ବିଶ୍ବାଳ କହିଛନ୍ତି ଯେ ରକ୍ତଭଣ୍ଡାରର ବିଭିନ୍ନ ସମସ୍ୟା ନେଇ ନିକଟରେ ରାଜ୍ୟପାଳଙ୍କୁ ଭେଟି ଅବଗତ କରାଯାଇଛି। ରାଜଭବନ ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଗଲେ ହୁଏତ ସମସ୍ୟାର ସମାଧାନ ହୋଇପାରିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button