Russia: ରୁଷ୍ରେ ସନ୍ଦିଗ୍ଧ ପ୍ଲେଗ୍ ସଂକ୍ରମଣ ନେଇ ବଢୁଛି ବିଶ୍ୱ ଚିନ୍ତା
ରୁଷ୍ର ସାଇବେରିଆ ଅଞ୍ଚଳରେ ଜଣେ ଲ୍ୟାବ୍ କର୍ମଚାରୀଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ନିମୋନିକ୍ ପ୍ଲେଗ୍ ସଂକ୍ରମଣ ଆଶଙ୍କା ବଢ଼ିଛି। ଗତ ସପ୍ତାହରେ ଘଟିଥିବା ଏହି ମୃତ୍ୟୁ ସମ୍ପର୍କରେ ରୁଷ୍ କର୍ତ୍ତୃପକ୍ଷ ସୀମିତ ସୂଚନା ଦେଇଛନ୍ତି।

ମସ୍କୋ: ରୁଷ୍ର ସାଇବେରିଆ ଅଞ୍ଚଳରେ ଜଣେ ଲ୍ୟାବ୍ କର୍ମଚାରୀଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ନିମୋନିକ୍ ପ୍ଲେଗ୍ ସଂକ୍ରମଣ ଆଶଙ୍କା ବଢ଼ିଛି। ଗତ ସପ୍ତାହରେ ଘଟିଥିବା ଏହି ମୃତ୍ୟୁ ସମ୍ପର୍କରେ ରୁଷ୍ କର୍ତ୍ତୃପକ୍ଷ ସୀମିତ ସୂଚନା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ଟେଲିଭିଜନ ଓ ଅନ୍ୟ ସରକାରୀ ଗଣମାଧ୍ୟମ ମଧ୍ୟ ଏହି ଘଟଣା ଉପରେ ବିଶେଷ ଆଲୋଚନା କରିନାହାନ୍ତି। ରୁଷ୍ର ସ୍ୱାସ୍ଥ୍ୟ ନିରୀକ୍ଷଣ ସଂସ୍ଥା ରୋସ୍ପୋତ୍ରେବନାଜୋର କହିଛି, ମୃତ ଲ୍ୟାବ୍ କର୍ମଚାରୀଙ୍କଠାରେ ‘ଅଜ୍ଞାତ କାରଣର ନିମୋନିଆ’ ଚିହ୍ନଟ ହୋଇଥିଲା। ତାଙ୍କ ଅସୁସ୍ଥତାର କାରଣ ନିମୋନିକ୍ ପ୍ଲେଗ୍ ବୋଲି ସଂସ୍ଥା ନିଶ୍ଚିତ କରିନାହିଁ। ଇର୍କୁସ୍କ ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ କାମ କରୁଥିବା ଏହି ମହିଳାଙ୍କ ଶରୀରରେ ତାଙ୍କ କାର୍ଯ୍ୟସ୍ଥଳ ସହ ସମ୍ପର୍କିତ କୌଣସି ବିପଜ୍ଜନକ ରୋଗଜୀବାଣୁ ମିଳିନଥିବା ଦାବି କରାଯାଇଛି।
ଇର୍କୁସ୍କର ଏକ ରାଜ୍ୟ ଟେଲିଭିଜନ ଚ୍ୟାନେଲ ଅନୁସାରେ, ମହିଳାଜଣକ ଅକ୍ଟୋବର ୨ରେ ଇର୍କୁସ୍କ ନିକଟସ୍ଥ ଶେଲେଖୋଭ୍ ସହରର ଏକ ହସ୍ପିଟାଲ୍ରେ ପ୍ରାଣ ହରାଇଥିଲେ। ଗଣମାଧ୍ୟମରେ ତାଙ୍କ ନାମ ୨୮ ବର୍ଷୀୟ ଦାର୍ୟା ଶିପିଲୋଭା ବୋଲି ପ୍ରକାଶ ପାଇଛି। ସେପ୍ଟେମ୍ବର ୨୯ରେ ସେ ଥଣ୍ଡାଜନିତ ଲକ୍ଷଣ ନେଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଏବଂ ତିନି ଦିନ ପରେ ମୃତ୍ୟୁ ଘଟିଥିଲା। ଘଟଣା ପରେ ହସ୍ପିଟାଲ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ମୃତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟ ପରୀକ୍ଷା ଓ ନିରୀକ୍ଷଣ କରାଯାଉଛି।
ସୌଜନ୍ୟ ସମ୍ବାଦ




