ଯୁଯୁମୁରା: ଯିଏ ଏଯାଏଁ ଚାଲି ଶିଖିନଥିଲା, ସେ କୂଅ ପାଖକୁ ଗଲା କେମିତି? ରାତିରେ ମା’ କୋଳରେ ଶୋଇଥିବା ୧୦ ମାସର ଶିଶୁପୁତ୍ର ସକାଳୁ କୂଅରେ ଭାସିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ। ସମ୍ବଲପୁରଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଦଳିତପଡ଼ାରେ ଘଟିଥିବା ଏହି ରହସ୍ୟଜନକ ଶିଶୁମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହେଉଥିବା ବେଳେ ମା’, ବାପା, ଅଜା, ଆଈ ଓ ମାମୁଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ତେବେ ଶିଶୁର ମୃତ୍ୟୁ ପଛରେ ପ୍ରକୃତ କାରଣ କଣ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଯୁଯୁମୁରା ଥାନା ଅଧିକାରୀ ଅନିମା ଏକ୍କା କହିଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଶିଶୁର ମା’ ରମିତା ବାଗ (ଛଦ୍ମନାମ)ଙ୍କ ଘର ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳରେ। ପାରିବାରିକ ସମସ୍ୟା ଯୋଗୁଁ ସେ ସମ୍ବଲପୁରର ଏକ ହୋଟେଲରେ କାମ କରି ଜୀବିକା ନିର୍ବାହ କରୁଥିଲେ। ସେଠାରେ ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ଗ୍ରାମର ଲୋକେଶ୍ୱର ପ୍ରଧାନ (୨୫)ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ଉଭୟଙ୍କ ପରିବାର ସେମାନଙ୍କ ବିବାହକୁ ସ୍ୱୀକୃତି ଦେଇ ନଥିଲେ। ଫଳରେ ରମିତା ନିଜ ପୁଅ ସହ ଜେଜେବାପା ସୁରେଶ ରଣଜିତଙ୍କ ପାଖରେ ରହୁଥିଲେ। ଅନ୍ୟପଟେ ରମିତା ଓ ଲୋକେଶ୍ୱରଙ୍କ ମଧ୍ୟରେ ସମ୍ପର୍କ ଜାରି ରହିଥିଲା। ଉଭୟ ବିଭିନ୍ନ ସମୟରେ ଫୋନ୍ରେ କଥା ହେଉଥିବା ବେଳେ ଲୋକେଶ୍ୱର ତାଙ୍କୁ ଭେଟିବାକୁ ଆସୁଥିଲେ। ରମିତା ଓ ଶିଶୁର ଖର୍ଚ୍ଚ ପାଇଁ ସେ ଟଙ୍କା ମଧ୍ୟ ଦେଉଥିବା କୁହାଯାଉଛି।
ଘଟଣା ଘଟିବାର ପୂର୍ବଦିନ ବୁଧବାର ବିଳମ୍ବିତ ରାତି ସମୟ ପର୍ଯ୍ୟନ୍ତ ଉଭୟ ଫୋନ୍ରେ କଥା ହୋଇଥିଲେ। ରାତିରେ ରମିତା ନିଜ ୧୦ ମାସର ପୁଅ ସହ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ଉଠି ପୁଅକୁ ଖୋଜିବା ବେଳେ ସେ ପାଖରେ ନଥିବା ଦେଖିଥିଲେ। ଘର ଓ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ରାତି ପ୍ରାୟ ୧୨ଟା ୩୦ରେ ଜରୁରିକାଳୀନ ନମ୍ବର ୧୧୨କୁ ଫୋନ୍ କରି ଶିଶୁ ନିଖୋଜ ହୋଇଥିବା
ସମ୍ପର୍କରେ ଜଣାଇଥିଲେ। ଗୁରୁବାର ସକାଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ସମୟରେ କୂଅରେ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲା। ଏହି ଘଟଣାରେ ଯୁଯୁମୁରା ଥାନା ପୁଲିସ କେସ୍ ନମ୍ବର ୨୧୦/୨୦୨୬ ରୁଜୁ କରି ଶିଶୁ ମୃତ୍ୟୁରେ ପରିବାରର ସଦସ୍ୟଙ୍କ ଭୂମିକା ଓ ଘଟଣାକ୍ରମର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।