ରାଜ୍ୟ

Cannabis cultivation: ଗଞ୍ଜେଇ ଚାଷ ନଷ୍ଟ ପାଇଁ ଯାଇ ତହସିଲଦାର ହଟହଟା: ଗ୍ରାମବାସୀଙ୍କ ବିରୋଧ, ଗାଡ଼ିକୁ ପଥର ମାଡ଼

ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯାଇ କୋରାପୁଟ ଜିଲ୍ଲା ଦଶମନ୍ତପୁର ତହସିଲଦାର ପ୍ରିୟା ପୁଷ୍ପାଞ୍ଜଳି ବେହେରାଙ୍କୁ ହଟହଟା ହେବାକୁ ପଡ଼ିଛି। ଚଢ଼ଉକୁ ବିରୋଧ କରି ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହିତ ତହସିଲଦାରଙ୍କ ଗାଡ଼ିକୁ...

ଦଶମନ୍ତପୁର: ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯାଇ କୋରାପୁଟ ଜିଲ୍ଲା ଦଶମନ୍ତପୁର ତହସିଲଦାର ପ୍ରିୟା ପୁଷ୍ପାଞ୍ଜଳି ବେହେରାଙ୍କୁ ହଟହଟା ହେବାକୁ ପଡ଼ିଛି। ଚଢ଼ଉକୁ ବିରୋଧ କରି ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହିତ ତହସିଲଦାରଙ୍କ ଗାଡ଼ିକୁ ଟେକାପଥର ମାଡ଼ କରିଥିଲେ। ଖବର ପାଇ ପୁଲିସ ଫୋର୍ସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁର୍କାର ପଞ୍ଚାୟତ ଆଉଟଦରା ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳର ଏକର ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ଚାଲିଥିବା ନେଇ ପୁଲିସ ଓ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଗୁରୁବାର ଅତିରିକ୍ତ ଜିଲ୍ଲା ଅଧୀକ୍ଷକ ଅମ୍ବିତ ମହାନ୍ତିଙ୍କ ନେତୃତ୍ବରେ ଜିଲ୍ଲା ପୁଲିସ, ଅବକାରୀ ଅଧିକାରୀ ଓ କର୍ମଚାରୀ ଗଞ୍ଜେଇ ଚାଷ ନଷ୍ଟ ପାଇଁ ଗାଁରେ ପହଞ୍ଚିଥିଲେ। ଚଢ଼ଉରେ ଦଶମନ୍ତପୁର ଥାନା ଅଧିକାରୀ ଚରଣ ସିଂ ମାଝୀ, ତହସିଲଦାର ପ୍ରିୟା ପୁଷ୍ପାଞ୍ଜଳି ବେହେରା, ଅବକାରୀ ଇନ୍‌ଚାର୍ଜ କୁଶ ଜାଲଙ୍କ ସମେତ ଦୁଇ ସେକ୍ସନ ଏପିଆର୍‌ ଫୋର୍ସ, ଏକ ପ୍ଲାଟୁନ ଡିଭିଏଫ୍ ଯବାନ ସାମିଲ ହୋଇଥିଲେ। ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ପୁଲିସ ଓ ଅବକାରୀ ଟିମ୍‌ କାଟି ପେଟ୍ରୋଲ ପକାଇ ପୋଡ଼ି ନଷ୍ଟ କରିଥିଲେ। ଚଢ଼ଉ ସମୟରେ ଗାଁର କେତେକ ମହିଳା ରାସ୍ତା ଅବରୋଧ କରିବା ସହ ପ୍ରଥମେ ତହସିଲଦାରଙ୍କ ଗାଡ଼ିକୁ ଟେକାପଥର ମାଡ଼ କରିଥିଲେ।

ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକକୁ ମଧ୍ୟ ଗ୍ରାମବାସୀ ୩ଘଣ୍ଟା କାଳ ଅଟକ ରଖିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଯୋଗୁଁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଏହି ଆଦିବାସୀ ଗାଁରେ ଜୀବନଜୀବିକା ପାଇଁ ଅନ୍ୟ ପନ୍ଥା ନାହିଁ। ତେଣୁ ସ୍ବଳ୍ପ ଜମିରେ ଗଞ୍ଜେଇ ଚାଷ କରିଥିଲୁ। ତେବେ ଗଞ୍ଜେଇ ଚାଷ ପରିବର୍ତ୍ତେ ଅନ୍ୟ ଚାଷ କରିବାକୁ ତହସିଲଦାର ପରାମର୍ଶ ଦେଇଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button