Haunted House: ଛାୟା ନିବାସ ‘ଭୂତକୋଠି’ର ରହସ୍ୟ…ଯେଉଁଠି ରାତିରେ ଶୁଭୁଥିଲା ଘୁଙ୍ଗୁର ଶବ୍ଦ, ରଡ଼ି ଛାଡ଼ୁଥିଲେ ବିଲୁଆ, କୋକିଶିଆଳି

ଭୁବନେଶ୍ୱର,୦୩/ ୧୦(ବିଜୟ ମିଶ୍ର): ସନ୍ଧ୍ୟା ହେଲେ ଫଡ଼ ଫଡ଼ ହୋଇ ଉଡ଼ିଯାଉଥିଲେ ଦଳ ଦଳ ଚେମେଣି । ଭଙ୍ଗା କାନ୍ଥ ଉହାଡ଼ରୁ ପେଚାର ଅନୁନାଶିକ ହୁଁ ହୁଁ ଡାକ ଭୀତି ସଞ୍ଚାର କରୁଥିଲା । ପରିତ୍ୟକ୍ତ ଘରେ ଲୁଚି ରହିଥିବା ବିଲୁଆ, କୋକିଶିଆଳି, ଶାଳିଆପତନି ରଡ଼ି ଛାଡ଼ି ପଦାକୁ ବାହାରୁଥିଲେ । ଆମ୍ବ, ଜାମୁ ଗଛରେ ପବନ ପିଟି ହୋଇ ସାଏଁ ସାଏଁ ଶବ୍ଦ କରୁଥିଲା । କିଟି କିଟି ଅନ୍ଧାର ଭିତରେ ଅସଂଖ୍ୟ ଜୁଳୁଜୁଳିଆ ପୋକଙ୍କ ନୀଳ ଆଲୋକ ବାତାବରଣକୁ ଆହୁରି ପୈଶାଚିକ କରି ଦେଉଥିଲା । ଲୋକେ ସନ୍ଧ୍ୟା ପରେ ସେପଟେ ଯିବାକି ଭୟ କରୁଥିଲେ ।
ଆଜକୁ ପ୍ରାୟ ୫୦ ବର୍ଷ ତଳେ କେଦାରଗୌରୀ ରାସ୍ତା କଡ଼ ଭାସ୍କରେଶ୍ୱର ମନ୍ଦିର ସାମନାରେ ଏମିିତି ପରିବେଶରେ ଏକ ଜରାଜୀର୍ଣ୍ଣ ଦ୍ୱିତଳ ପ୍ରାସାଦ ଠିଆ ହୋଇଥିଲା । ନାଁ ଥିଲା ଛାୟା ନିବାସ । ଆଜକୁ ପ୍ରାୟ ୧୫୦ ବର୍ଷ ତଳେ ଜଣେ ବଙ୍ଗାଳି ଜମିଦାର ଏହି କୋଠିକୁ ନିର୍ମାଣ କରିଥିଲେ ବୋଲି କୁହାଯାଏ । ସଂପୃକ୍ତ ଜମିଦାରଙ୍କ ପରିବାର ଗ୍ରୀଷ୍ମକାଳରେ ଏଠାରେ ରହି କେଦାରଗୌରୀ ଅଞ୍ଚଳର ଅପୂର୍ବ ସବୁଜିମାର ଶୋଭା ଉପଭୋଗ କରୁଥିଲେ । ସ୍ୱାଧୀନତା ପରେ ଜମିଦାରୀ ଉଚ୍ଛେଦ ହୋଇଗଲା । ସଂପୃକ୍ତ ବଙ୍ଗାଳି ଆଉ ଛାୟା ନିବାସକୁ ଆସିଲେ ନାହିଁ । କାଳକ୍ରମେ କୋଠାଟି ଜରାଜୀର୍ଣ୍ଣ ହୋଇଗଲା । ଚଟାଣରେ ବଡ଼ ବଡ଼ ଉଇ ହୁଙ୍କା, କାନ୍ଥରେ ଶିଉଳି, ବର ଓସ୍ତ ଗଛ ମାଡ଼ିଗଲା । କୋଠରିରେ ସାପ, ବିଛା ବୁଲିଲେ । ଲୋକମୁଖରେ ଏହି ପ୍ରାସାଦଟି ଭୂତକୋଠି ପାଲଟିଗଲା ।
ସୌଜନ୍ୟ ପ୍ରମେୟ




