Teacher Recruitment: ପ୍ରାଥମିକ ସ୍କୁଲରେ ୫୪ ହଜାର ଶିକ୍ଷକ ପଦବି ଖାଲି : ପ୍ରତିବର୍ଷ ଅବସର ନେଉଛନ୍ତି, ହେଲେ ନିଯୁକ୍ତି ନାହିଁ

ଭୁବନେଶ୍ୱର, ୧୮/୧୧: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କଙ୍କରାଇ ଗାଁ ପ୍ରାଥମିକ ସ୍କୁଲ । ଶିକ୍ଷକ ନିଯୁକ୍ତି ଦାବିରେ ୨୫୦ ଛାତ୍ରଛାତ୍ରୀ ଗତ ସପ୍ତାହରେ ରାସ୍ତାରେ ବସି ଆନ୍ଦୋଳନ କଲେ । କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଲଖବାହାଲି ସ୍କୁଲର ୧୧୫ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ । ଏହାକୁ ନେଇ ପିଲାଏ ଆଉ ଅଭିଭାବକ ତାତିଲେ । ଶିକ୍ଷକ ଦିଅନ୍ତୁ ନଚେତ୍ ଆମେ ଧାରଣାରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଲେ । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବଡ଼ବାହାଳ ପଞ୍ଚାୟତ ଉଚ୍ଚ ପ୍ରାଥମିକ ସ୍କୁଲରେ ୯ଟି ଶ୍ରେଣୀକୁ ୩ ଜଣ ଶିକ୍ଷକ । ଏହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ ।
ରାଜ୍ୟରେ ପ୍ରାଥମିକ ଶିକ୍ଷାର ଇଏ ହେଲା ବିକଳ ଚିତ୍ର । ଏବେ ସ୍ଥିତି ଏମିତି ଯେ କେଉଁ ସ୍କୁଲରେ ଶିକ୍ଷକ ଅଭାବ ତ ଆଉ କେଉଁଠି ଗୋଟିଏ ଶିକ୍ଷକ ୮ଟି ଶ୍ରେଣୀରେ ପଢ଼ାଉଛନ୍ତି । ୧୪୫୮ଟି ସ୍କୁଲରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ପିଲାଏ କହିଲେଣି ଆମକୁ ଭାତ ଓ ଅଣ୍ଡା ନୁହେଁ, ମାଷ୍ଟର ଦିଅନ୍ତୁ । ପ୍ରାଥମିକ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ା ଯାଉଛି । ସେଥିରେ ପୁଣି ସରକାର ଏବେ ଶିଶୁ ବାଟିକା ଶ୍ରେଣୀ ମଧ୍ୟ ଖୋଲିଛନ୍ତି । ଶିଶୁ ବାଟିକା ପାଇଁ ଗୋଟିଏ ହେଲେ ବି ଶିକ୍ଷକ ନିଯୁକ୍ତି କରାଯାଇନାହିଁ । ପ୍ରାଥମିକ ସ୍କୁଲରେ ପାଞ୍ଚଟି ଶ୍ରେଣୀକୁ ଅତି କମ୍ରେ ୫ଜଣ ଶିକ୍ଷକ ରହିବା କଥା । ସେହିପରି ଉଚ୍ଚ ପ୍ରାଥମିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ୩ଟି ଶ୍ରେଣୀ ରହିଛି । ସେହି ଅନୁସାରେ ୩ ଜଣ ଶିକ୍ଷକ ରହିବା କଥା । ହେଲେ ସେହି ଅନୁପାତରେ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ । ବର୍ତ୍ତମାନ ରାଜ୍ୟରେ ୨୬ ହଜାର ୮୯୦ ପ୍ରାଥମିକ ସ୍କୁଲ (ପ୍ରଥମରୁ ପଞ୍ଚମ ଶ୍ରେଣୀ) ରହିଛି । ୫ ଜଣ ଲେଖାଏଁ ଶିକ୍ଷକ ହିସାବକୁ ନେଲେ ୧ ଲକ୍ଷ ୩୪ ହଜାର ୪୫୦ ଶିକ୍ଷକ ରହିବା କଥା । ସେହିପରି ୧୫ ହଜାର ୬୬୩ଟି ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ (ଷଷ୍ଠରୁ ଅଷ୍ଟମ) ଅଛି । ଏହି ସ୍କୁଲରେ ୩ ଜଣ ଲେଖାଏଁ ଶିକ୍ଷକଙ୍କୁ ହିସାବକୁ ନେଲେ ୪୬ ହଜାର ୯୮୯ ଜଣ ଶିକ୍ଷକ ରହିବା କଥା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମୋଟ ୧ ଲକ୍ଷ ୮୧ ହଜାର ୪୩୯ ଜଣ ଶିକ୍ଷକ ଆବଶ୍ୟକ ।
ସରକାରୀ ତଥ୍ୟ କହୁଛି, ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ପାଇଁ ମୋଟ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁରୀପ୍ରାପ୍ତ ପଦବି ରହିଛି । ଉଦବେଗର ବିଷୟ ହେଲା ଏବେ ପ୍ରାଥମିକ ସ୍କୁଲ ସ୍ତରରେ ୫୪ ହଜାର ୧୧୯ ଶିକ୍ଷକ ପଦବି ଖାଲି ରହିଛି । ଅର୍ଥାତ ସ୍କୁଲଗୁଡିକରେ ୪୦ ପ୍ରତିଶତ ଶିକ୍ଷକ ନାହାନ୍ତି । ବାକି ୩୮ ହଜାର ୪୭୪ ଜଣ ଶିକ୍ଷକ ପଦୋନ୍ନତି ଅପେକ୍ଷାରେ ଅଛନ୍ତି । ଏଲିମେଣ୍ଟାରୀ କ୍ୟାଡର୍ ଲେଭଲ-୩ ଉଚ୍ଚ ପ୍ରାଥମିକ ସ୍କୁଲରେ ୧୭ ହଜାର ୬୯୬ ପ୍ରଧାନଶିକ୍ଷକ ପଦବି ରହିଛି । ଏଥିରୁ ୩ ହଜାର ୮୩୩ ଜଣ ଶିକ୍ଷକ ଅଛନ୍ତି । ବାକି ୧୩ ହଜାର ୮୬୩ ପଦବି ଖାଲି ରହିଛି । ସେହିପରି ପ୍ରାଥମିକ ସ୍କୁଲ ବରିଷ୍ଠ ପ୍ରାଥମିକ ଶିକ୍ଷକ (ଲେଭଲ-୩)ରେ ୧୦୭୩ ମଞ୍ଜୁରୀପ୍ରାପ୍ତ ପଦବିରୁ ୩୨୭ ଜଣ କାର୍ଯ୍ୟରତ ଥିବା ବେଳେ ୭୪୬ ପଦବି ଖାଲି ରହିଛି । ପ୍ରାଥମିକ ସ୍କୁଲ ପ୍ରାଥମିକ ଶିକ୍ଷକ (ଲେଭଲ-୪) ୧୫ ହଜାର ୭୭୨ ମଞ୍ଜୁରୀପ୍ରାପ୍ତ ପଦବିରୁ ୮ ହଜାର ୫୬୭ ଜଣ କାର୍ଯ୍ୟରତ ଅଛନ୍ତି ବାକି ୭ ହଜାର ୨୦୫ ପଦବି ଖାଲି ରହିଛି । ସେହିପରି ସାଇନ୍ସ ଗ୍ରାଜୁଏଟ୍ ଶିକ୍ଷକ (ଲେଭଲ-୪)ରେ ୧୭ ହଜାର ୬୯୬ ମଞ୍ଜୁରୀପ୍ରାପ୍ତ ପଦବିରୁ ୪ ହଜାର ୫୬୨ ଜଣ ଶିକ୍ଷକ ଅଛନ୍ତି ବାକି ୧୩ ହଜାର ୧୩୪ଟି ପଦବି ଖାଲି ପଡ଼ିଛି । କଳା ଗ୍ରାଜୁଏଟ୍ ଶିକ୍ଷକ (ଲେଭଲ-୪)ରେ ୧୭ ହଜାର ୬୯୬ଟି ମଞ୍ଜୁରୀପ୍ରାପ୍ତ ପଦବି ରହିଛି । ଏଥିରୁ ୯ ହଜାର ୫୯୮ଜଣ କାର୍ଯ୍ୟରତ ଥିବା ବେଳେ ୮ ହଜାର ୯୮ଟି ପଦବି ଖାଲି ରହିଛି ।
ସୌଜନ୍ୟ ପ୍ରମେୟ




