Vande Mataram: ‘ବନ୍ଦେ ମାତରମ୍’କୁ ‘ଜନଗଣ ମନ’ ସମାନ ଆଇନଗତ ସୁରକ୍ଷା
ଜାତୀୟ ସଙ୍ଗୀତ ‘ଜନଗଣ ମନ’ ଭଳି ଜାତୀୟ ଗୀତ ‘ବନ୍ଦେ ମାତରମ୍’କୁ ମଧ୍ୟ ସମାନ ଆଇନଗତ ସୁରକ୍ଷା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ‘ପ୍ରିଭେନ୍ସନ୍ ଅଫ୍ ଇନ୍ସଲ୍ଟ୍ସ ଟୁ ନ୍ୟାସନାଲ ଅନର୍ (ସଂଶୋଧନ) ବିଲ୍, ୨୦୨୬’କୁ ଅନୁମୋଦନ ଦେବା ପରେ... Mahendra Sahu profile image by Mahendra Sahu & Sambad Digital Desk August 11, 2026, 8:23 PM IST

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ଜନଗଣ ମନ’ ଭଳି ଜାତୀୟ ଗୀତ ‘ବନ୍ଦେ ମାତରମ୍’କୁ ମଧ୍ୟ ସମାନ ଆଇନଗତ ସୁରକ୍ଷା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ‘ପ୍ରିଭେନ୍ସନ୍ ଅଫ୍ ଇନ୍ସଲ୍ଟ୍ସ ଟୁ ନ୍ୟାସନାଲ ଅନର୍ (ସଂଶୋଧନ) ବିଲ୍, ୨୦୨୬’କୁ ଅନୁମୋଦନ ଦେବା ପରେ ଏହା ଆଇନରେ ପରିଣତ ହୋଇଛି। ଏହା ଫଳରେ ‘ବନ୍ଦେ ମାତରମ୍’ ଗାନ ସମୟରେ ଜାଣିଶୁଣି ବାଧା ସୃଷ୍ଟି କରିବା କିମ୍ବା ଏହାର ଅପମାନ କରିବା ଏବେ ଦଣ୍ଡନୀୟ ଅପରାଧ ହୋଇଛି।
ରାଷ୍ଟ୍ରପତି ଭବନ ପକ୍ଷରୁ ମଙ୍ଗଳବାର ଏହି ଅନୁମୋଦନ ଦିଆଯାଇଛି। ସଂସଦର ଉଭୟ ଗୃହରେ ବିଲ୍ ପାସ୍ ହେବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ନୂଆ ଆଇନ ଅନୁସାରେ ‘ବନ୍ଦେ ମାତରମ୍’କୁ ଅପମାନ କରିବା, ଏହାର ଗାନକୁ ଜାଣିଶୁଣି ବାଧା ଦେବା କିମ୍ବା ଏହା ଗାନ କରାଯାଉଥିବା ସମୟରେ ଅସମ୍ମାନଜନକ ଆଚରଣ କରିବା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଏହି ବ୍ୟବସ୍ଥା ଜାତୀୟ ସଙ୍ଗୀତ ପ୍ରତି ଥିବା ଆଇନଗତ ସୁରକ୍ଷା ସହ ସମାନ ଭାବେ ଲାଗୁ ହେବ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ‘ବନ୍ଦେ ମାତରମ୍’ ଭାରତର ସ୍ୱାଧୀନତା ସଂଗ୍ରାମ ସହ ଗଭୀର ଭାବେ ଜଡ଼ିତ। ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଏହି ଗୀତ ରଚନା କରିଥିଲେ। ଏହା ପ୍ରଥମେ ତାଙ୍କ ‘ଆନନ୍ଦମଠ’ ଉପନ୍ୟାସରେ ପ୍ରକାଶ ପାଇଥିଲା। ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହା ଦେଶଭକ୍ତିର ପ୍ରମୁଖ ପ୍ରତୀକ ଭାବେ ଲୋକପ୍ରିୟ ହୋଇଥିଲା। ଚଳିତବର୍ଷ ‘ବନ୍ଦେ ମାତରମ୍’ ରଚନାର ୧୫୦ ବର୍ଷ ପୂରଣ ହୋଇଥିବାରୁ ଏହାର ବିଶେଷ ଗୁରୁତ୍ୱ ରହିଛି। ସ୍ୱାଧୀନତା ଦିବସ ପୂର୍ବରୁ ଏହି ଆଇନ ଲାଗୁ ହେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ମତରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ପ୍ରତି ସମ୍ମାନ ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ଏହି ସଂଶୋଧନର ପ୍ରମୁଖ ଉଦ୍ଦେଶ୍ୟ।
ସୌଜନ୍ୟ ସମ୍ବାଦ




