ହାଇଦ୍ରାବାଦ: ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ସାରା ଦେଶରେ ବିବାଦ ଜାରି ରହିଛି। ଏହି ସମୟରେ ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଉଜ୍ଜଳ ଭୂୟାଁ ଏକ ବଡ଼ ବୟାନ ଦେଇଛନ୍ତି। ରବିବାର ହାଇଦ୍ରାବାଦ ସ୍ଥିତ ‘ନାଲସାର୍’ ଆଇନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଯେଉଁ ପ୍ରକ୍ରିୟା ଲକ୍ଷ ଲକ୍ଷ ଭାରତୀୟ ନାଗରିକଙ୍କୁ ସେମାନଙ୍କର ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ କରେ, ତାହା ସମ୍ପୂର୍ଣ୍ଣ ଭାବେ ମନମୁଖୀ ଏବଂ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ଅଟେ। କୌଣସି ବି ଯୁକ୍ତି କିମ୍ବା ପରିସ୍ଥିତି ଏଭଳି କାର୍ଯ୍ୟାନୁଷ୍ଠାନକୁ ସଠିକ୍ ବୋଲି ପ୍ରମାଣିତ କରିପାରିବ ନାହିଁ।
ଜଷ୍ଟିସ୍ ଭୂୟାଁ ନିଜ ବକ୍ତବ୍ୟରେ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ସମ୍ବିଧାନରେ ଦୁଇ ପ୍ରକାର ନାଗରିକଙ୍କ ପାଇଁ କୌଣସି ପ୍ରାବଧାନ ନାହିଁ। ଦେଶରେ ଏଭଳି ବ୍ୟବସ୍ଥା ହୋଇପାରିବ ନାହିଁ ଯେଉଁଠାରେ ଏକ ପ୍ରକାର ନାଗରିକଙ୍କ ପାଖରେ ଭୋଟ୍ ଦେବାର ଅଧିକାର ଥିବ ଏବଂ ଅନ୍ୟ ପ୍ରକାର ନାଗରିକଙ୍କ ପାଖରେ ଭୋଟ୍ ଦେବାର ଅଧିକାର ନଥିବ। ଯଦି କୌଣସି ସରକାରୀ ପ୍ରକ୍ରିୟା ଭାରତୀୟ ନାଗରିକଙ୍କୁ ସେମାନଙ୍କର ମୌଳିକ ଭୋଟ୍ ଅଧିକାରରୁ ସମ୍ପୂର୍ଣ୍ଣ ବଞ୍ଚିତ କରେ, ତେବେ ତାହା ଭାରତୀୟ ସମ୍ବିଧାନର ଧାରା ୩୨୬ ଏବଂ ଧାରା ୧୪ର ଉଲ୍ଲଂଘନ ବୋଲି ବିବେଚନା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କୌଣସି ପ୍ରକ୍ରିୟାର ପରିଣାମ ସ୍ୱରୂପ ଲକ୍ଷ ଲକ୍ଷ ଭାରତୀୟ ନାଗରିକ ନିଜର ଭୋଟ୍ ଅଧିକାର ହରାନ୍ତି, ତେବେ ସେମାନେ ନିଜ ଦେଶରେ ହିଁ ଦ୍ୱିତୀୟ ଶ୍ରେଣୀର ନାଗରିକ ପାଲଟିଯିବେ। ଭୋଟ୍ ଦେବାର ଅଧିକାର ନଥିବା ନାଗରିକ ସୃଷ୍ଟି କରିବା ଭଳି ପ୍ରକ୍ରିୟା ସମ୍ପୂର୍ଣ୍ଣ ବେଆଇନ। ଏଭଳି ପ୍ରକ୍ରିୟା ସମ୍ବିଧାନର ଆତ୍ମା ଉପରେ ଆକ୍ରମଣ ସଦୃଶ ବୋଲି ଜଷ୍ଟିସ୍ ଭୂୟାଁ କହିଛନ୍ତି।
ଏସ୍ଆଇଆର୍ ବିବାଦ: ସିଇସିଙ୍କ ମାମଲାରେ ଶୁଣାଣି ଆଜି
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଆସନ୍ତାକାଲି (ସୋମବାର) ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଏକ ବିଶେଷ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଜ୍ଞାନେଶ କୁମାରଙ୍କ ବିରୋଧରେ ଦାୟର ହୋଇଥିବା ଦୁଇଟି ଆବେଦନକୁ ଭିତ୍ତି କରି କୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଗଣମାଧ୍ୟମ ରିପୋର୍ଟ ଆଧାରରେ ଏହି ଆବେଦନ କରାଯାଇଥିବା ବେଳେ ନିର୍ବାଚନ କମିସନଙ୍କ କାର୍ଯ୍ୟଶୈଳୀ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୌଜନ୍ୟ ସମ୍ବାଦ