ଦେଶ ବିଦେଶ

‘ଜ୍ଞାନେଶଙ୍କ ନିଲମ୍ବନ ଦାବିକୁ ଅଗ୍ରାହ୍ୟ’

ନୂଆଦିଲ୍ଲୀ : ଏସ୍‌ଆଇଆର ବିବାଦକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ କୌଣସି ଅନ୍ତରୀଣ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତଙ୍କ ସହମତି ବିନା ଏସ୍ଆଇଆର କାର୍ଯ୍ୟକାରୀ କରିବାରେ ଏକଚାଟିଆ ନିଷ୍ପତ୍ତି ନେଇଥିବା କାରଣରୁ ଜ୍ଞାନେଶଙ୍କୁ ତାଙ୍କ ପଦରୁ ନିଲମ୍ବନ କରିବାକୁ ଦାବି କରାଯାଇଥିଲା। ମାତ୍ର ଏପରି ଦାବିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ସିଇସି ଭାବେ ଜ୍ଞାନେଶ କୁମାରଙ୍କ କାର୍ଯ୍ୟକଳାପ ବିରୋଧରେ ହୋଇଥିବା ବିଭିନ୍ନ ଅଭିଯୋଗ ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ପୀଠ ସୋମବାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଭାରତର ନିର୍ବାଚନ ଆୟୋଗଙ୍କୁ​‌ ନୋଟିସ ଜାରି କରିଛନ୍ତି। ନୋଟିସରେ ଏସ୍‌ଆଇଆର କାର୍ଯ୍ୟକାରୀ କରିବା ଓ ଫର୍ମ-୬ରେ ହୋଇଥିବା ବିବାଦୀୟ ପରିବର୍ତ୍ତନ ସମ୍ପର୍କିତ ନିଷ୍ପତ୍ତିର ରେକର୍ଡକୁ କୋର୍ଟରେ ଉପସ୍ଥାପନ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଛନ୍ତି।

ରେକର୍ଡ ଯାଞ୍ଚ ପରେ ଏସ୍‌ଆଇଆର ଓ ଅନ୍ୟାନ୍ୟ ନିଷ୍ପତ୍ତି ଏକଚାଟିଆ ଥିଲା ନା ସର୍ବସମ୍ମତି ଥିଲା ତାହା ଜଣାପଡିବ। ରେକର୍ଡ ଯାଞ୍ଚ ପୂର୍ବରୁ କୌଣସି ଗଣମାଧ୍ୟମ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି। ରେକର୍ଡ ଉପସ୍ଥାପନ ପାଇଁ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟ କୌଣସି ନିର୍ଦିଷ୍ଟ ସମୟସୀମା ଦେଇ ନଥିବାରୁ ଆବେଦନକାରୀଙ୍କ ଓକିଲ ଆପତ୍ତି ଉଠାଇଥିଲେ। ଏହା ସତ୍ତ୍ବେ ସୁପ୍ରିମକୋର୍ଟ ଏଥିପାଇଁ ସମୟ ସୀମା ଧାର୍ଯ୍ୟ କରି ନଥିଲେ।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button