ରାଜ୍ୟ

ବର୍ଜ୍ୟ ବୋଝ କମାଇବାକୁ ବିଏମ୍‌ସିର ମାଷ୍ଟରପ୍ଲାନ୍: ସୈନିକ ସ୍କୁଲ ଟିଟିଏସ୍‌ରୁ ହଟିବ ଆବର୍ଜନା ପାହାଡ଼, ପିପିପି ମୋଡ୍‌ରେ ଚାଲିବ ପରିଚାଳନା

ଭୁବନେଶ୍ୱର  ୨୮/୧୧: ସୈନିକ ସ୍କୁଲ ପାଖ ଟିଟିଏସ୍‌ ବା ଅସ୍ଥାୟୀ ଡମ୍ପିଂୟାର୍ଡ ପିପିପି  ମୋଡ୍‌ରେ ପରିଚାଳିତ ହେବ । ଏଠାରେ ଟ୍ରମେଲ୍‌ ଓ ଟେରେକ୍ସ ପରିଚାଳନା ପାଇଁ ଘରୋଇ ସଂସ୍ଥାକୁ  ଦାୟିତ୍ୱ ଦିଆଯିବ । ବିଏମ୍‌ସି ଓ ଘରୋଇ ସଂସ୍ଥା ମିଳିତ ଭାବେ ଟିଟିଏସ୍‌ ଚଲାଇବେ । ଏଠାରୁ ବାହାରୁଥିବା ଗୁଡ୍‌ ଆର୍ଥକୁ କଟକରେ ନିର୍ମାଣଧୀନ  ସିବିଜି ପ୍ଲାଣ୍ଟ ପ୍ରକଳ୍ପରେ ବ୍ୟବହାର କରାଯିବ ।  ଟିଟିଏସ୍‌କୁ ଆସୁଥିବା ଓଦା ବର୍ଜ୍ୟକୁ ଆଗକୁ  ଶୂନକୁ ଖସାଇବାକୁ ବିଏମ୍‌ସି ବଡ଼ ଯୋଜନା  କରିଛି । ବିଏମ୍‌ସି କମିଶନର ଚଞ୍ଚଲ ରାଣା  ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଏଫଲୁଏଣ୍ଟ ଟ୍ରିଟମେଣ୍ଟ  ପ୍ଲାଣ୍ଟ(ଇଟିପି) ସଫଳତାର ସହ କାର୍ଯ୍ୟକାରୀ  ହୋଇଛି । ଏହା ଶିଳ୍ପାଞ୍ଚଳରୁ ନିର୍ଗତ ବର୍ଜ୍ୟପାଣିକୁ  ଟ୍ରିଟ୍‌ମେଣ୍ଟ କରିବ । ମେହେରପାଲିରେ ୩୦୦  ଟିପିଡି କ୍ଷମତା ବିଶିଷ୍ଟ ବାୟୋ ଗ୍ୟାସ୍‌ ପ୍ଲାଣ୍ଟ ବା  ସିବିଜି ପ୍ଲାଣ୍ଟ କାମ ଚାଲିଛି । ପ୍ରକଳ୍ପ କାମକୁ ତ୍ୱରିତ୍‌  କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୱେଷ୍ଟ ଟ୍ରାନ୍ସଫର  ଷ୍ଟେସନ ତିଆରି ପାଇଁ ଟେଣ୍ଡର ଡାକିଛୁ । ସିବିଜି  ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଗଲେ ସୈନିକ ସ୍କୁଲ  ଟିଟିଏସ୍‌କୁ ଓଦା ବର୍ଜ୍ୟ ପରିବହନ ଆପେ ବନ୍ଦ  ହୋଇଯିବ । ଫଳରେ ଟିଟିଏସ୍‌ ଉପରୁ ବର୍ଜ୍ୟର  ଚାପ କମିଯିବ । ବର୍ଜ୍ୟକୁ ଶୂନ କରିବାକୁ ମିଶନ  ମୋଡ୍‌ରେ କାମ କରୁଛି ବିଏମ୍‌ସି ।

ଶୁକ୍ରବାର ବିଏମ୍‌ସି ଅତିରିକ୍ତ କମିଶନର  ରମେଶ ଚନ୍ଦ୍ର ସେଠୀ, ଡେପୁଟି କମିଶନର  ଏସ୍‌ ରାକେଶ କୁମାର ପାତ୍ର ଓ ସହକାରୀ  କମିଶନର ଲୋକନାଥ ବେଜ୍‌ ଟିଟିଏସ୍‌କୁ ଯାଇ  ବର୍ଜ୍ୟ ପରିଚାଳନା ସ୍ଥିତି ତଦାରଖ କରିଥିଲେ ।  ଗତ କିଛି ଦିନ ହେବ ଟିଟିଏସ୍‌ରେ ବର୍ଜ୍ୟ  ପ୍ରକ୍ରିୟାକରଣ ଧିମା ହୋଇଥିଲା । ଲଗାତର  ବର୍ଷା ଯୋଗୁ ବର୍ଜ୍ୟ ପ୍ରକ୍ରିୟାକରଣ ହୋଇ  ପାରୁନଥିଲା । ପୁଣି ଟ୍ରମେଲ ଓ ଅନ୍ୟ ଯାନ୍ତ୍ରିକ  ସମସ୍ୟା ଯୋଗୁ ଏଭଳି ସ୍ଥିତି ଉପୁଜିଥିଲା ।  ଏବେ ୮ ଘଣ୍ଟିଆ ସିଫ୍ଟରେ ବର୍ଜ୍ୟ ପ୍ରକ୍ରିୟାକରଣ  ଚାଲିଛି । ଏହାକୁ ୧୨ ଘଣ୍ଟାକୁ ବଢ଼ାଯିବ । ୧୨ଘଣ୍ଟା  ଯାଏ ଟ୍ରମେଲ ଜରିଆରେ ବର୍ଜ୍ୟ ପ୍ରକ୍ରିୟାକରଣ  କରିବାକୁ ନିଷ୍ପତ୍ତି ହୋଇଛି । ଏଠାରେ ଚାଲିଥିବା  ସେଡ ନିର୍ମାଣ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ଟିଟିଏସ୍‌ରୁ ବର୍ଜ୍ୟର ପାହାଡ଼ ସଫା  କରିବାକୁ ବିଏମ୍‌ସି ସ୍ୱତନ୍ତ୍ର ଅଭିଯାନ ଚଳାଇବ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button