ଭ୍ରଦକ: କିନ୍ନରମାନଙ୍କ ସାମାଜିକ କାର୍ଯ୍ୟ ତଥା ପୂଜା ପାର୍ବଣ ପାଇଁ ଏକ ସ୍ଥାୟୀ କମ୍ୟୁନିଟି ସେଣ୍ଟର ନିର୍ମାଣ, ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ପଟ୍ଟା ସହ ସରକାରୀ ଯୋଜନାରେ ଘର ଯୋଗାଣ ଏବଂ ଅନ୍ତୋଦୟ ଅନ୍ନ ଯୋଜନାରେ ରାସନ ଯୋଗାଇ ଦେବା ଭଳି ଦାବି ନେଇ ଭଦ୍ରକ ବିଧାୟକଙ୍କୁ ଭେଟିଲେ ନବଜୀବନ କିନ୍ନର ସଂଘର କର୍ମୀ। ସଂଘର ସଭାପତି ଶ୍ରାବଣୀ କିନ୍ନରଙ୍କ ନେତୃତ୍ବରେ ଗୁରୁବାର ଶତାଧିକ କିନ୍ନର ଭଦ୍ରକ ବିଧାୟକଙ୍କୁ ତାଙ୍କ ବାସଭବନରେ ଭେଟି ଦାବି ଜଣାଇବା ସହ ଏହାର ସମାଧାନ ପାଇଁ ଅନୁରୋଧ କରିଛନ୍ତି।
ସେହିଭଳି ବିଧାୟକ ମଧ୍ୟ ଏହାକୁ ନେଇ ପ୍ରଶାସନ ସହ ଆଲୋଚନା କରି ଶୀଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ଭଦ୍ରକ ଜିଲ୍ଲାର ସୌମ୍ୟା ଦାସଙ୍କୁ ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ମିଳିବା ପରେ ବିଧାୟକ ମଧ୍ୟ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ତୃତୀୟଲିଙ୍ଗୀ ସମାଜର ସଶକ୍ତିକରଣ, ସୁରକ୍ଷା ଓ ସମ୍ମାନଜନକ ଜୀବନ ପାଇଁ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ ବୋଲି ବିଧାୟକ କହିଛନ୍ତି। ସୌମ୍ୟା ଦାସ ନିଜ ଦାୟିତ୍ୱକୁ ସଫଳତାର ସହ ପାଳନ କରିବେ ବୋଲି କହିଛନ୍ତି ବିଧାୟକ ।
ସୌଜନ୍ୟ Prameya News7

