Shocking Stage Performance: ସାପ ନା କୋଚିଆ…? ନାଟକ ମଞ୍ଚରେ ଜିଅନ୍ତା ଖାଇଲେ କଳାକାର

ବ୍ରହ୍ମପୁର,୨୮\୧୧: ପୁଣି ଥରେ ନାଟକ ମଞ୍ଚରେ ବୀଭତ୍ସ ଦୃଶ୍ୟ । ରାମାୟଣ ମଞ୍ଚରେ କଳାକାର ଜିଅନ୍ତା ଛୋଟ ସାପ କିମ୍ବା କୋଚିଆ ମାଛ ଚୋବାଇ ଖାଉଥିବା ଭିଡିଓ ଭାଇରାଲ୍ ହୋଇଛି । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଲାଞ୍ଜିଆ ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗାଁରେ ଗତ ୧୯ ତାରିଖରେ କୋଠିଶାଳ ଯାତ୍ରା ଅବସରରେ ୨ ଦଳ ମଧ୍ୟରେ ରାମାୟଣ ନାଟକ ପ୍ରତିଯୋଗିତା ହେଉଥିଲା । ଗୋଟିଏ ପଟେ ଥିଲା ଗଞ୍ଜାମ ଜିଲ୍ଲା ବଉଳଝୋଳି ଗାଁର ନାଟକ ଦଳ ଏବଂ ଆରପଟେ ଥିଲା ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳର ରାମାୟଣ ପାର୍ଟି । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଚାଲିଥିଲା ପ୍ରତିଯୋଗିତା । ଆଉ ନାଟକକୁ ଜୀବନ୍ତ ତଥା ରୋମାଞ୍ଚକର କରିବାକୁ ଅଡ଼ବା ଦଳର ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ଜଣେ କଳାକାର ହାତରେ ଛୋଟ ସାପ ବା କୋଚିଆ ଭଳି ଦିଶୁଥିବା ଏକ ଜୀବକୁ ଧରି ଦର୍ଶକଙ୍କୁ ଦେଖାଇଥିଲେ ।
ଚାରିପଟେ ଅନ୍ୟ କଳାକାରମାନେ ତାଙ୍କୁ ଘେରି ରହିଥିଲେ । ପରେ ଅଟ୍ଟହାସ୍ୟ କରି ସେହି କଳାକାର ହାତରେ ଧରିଥିବା ଜୀବକୁ ପାଟିରେ କାମୁଡ଼ି ଚୋବାଇ ଖାଇ ଦେଇଥିଲେ । ତାଙ୍କ ପାଟିରୁ ରକ୍ତ ବାହାରିଥିଲା । ସେହିପରି ଅନ୍ୟ କିଛି କଳାକାର ଜେସିବି ଉପରେ ଚଢ଼ି ବିପଦପୂର୍ଣ୍ଣ ଶାରୀରିକ କୌଶଳ ପ୍ରଦର୍ଶନ କରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଲାଞ୍ଜିଆ ସରପଞ୍ଚ ଅନୀଲ କୁମାର ଗୌଡ଼ କହିଛନ୍ତି ଯେ ମଞ୍ଚରେ କଳାକାର ସାପ ଖାଇବା ମିଛ । ପ୍ରକୃତରେ ତାହା କୋଚିଆ ମାଛ ବା ଇଲ୍ ଅଟେ ଯାହାକୁ ଲୋକେ ଖାଦ୍ୟ ହିସାବରେ ଗ୍ରହଣ କରିଥାନ୍ତି । ସାପ ଖାଇବା କଥା ଗୁଜବ । ତେବେ ଏହା ପ୍ରଥମ କଥା ନୁହେଁ । ଗତ କିଛି ବର୍ଷରେ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି । କେବେ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ୍ ତ ଆଉ କେଉଁଠି ପ୍ରବଳ ବାଣ ଫୁଟାଇ ପରିବେଶ ପ୍ରଦୂଷଣ ତ ପୁଣି କେଉଁଠି ଜୀଅନ୍ତା କୁକୁଡ଼ାକୁ ମାରି ରକ୍ତ ପିଇବା ଭଳି ବୀଭତ୍ସ ଦୃଶ୍ୟ ପରିବେଷିତ ହୋଇଥିଲା ।
ଆଉ କେତେକ ସ୍ଥାନରେ ନାଟକ ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ ବିବାଦର କାରଣ ସାଜିଥିଲା । ଏହି ଗାଁରେ ଗତ ବର୍ଷ ଏହି ଗାଁରେ ରାମାୟଣ ମଞ୍ଚରେ ବାଣ ଫୁଟାଇବା ସମୟରେ ନିଆଁ ଲାଗି ମଞ୍ଚ ଜଳି ଯାଇଥିଲା । ସେହିପରି ଗତବର୍ଷ ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗାଁରେ ବାଦି ନାଟକ ସମୟରେ ମାତା ସୀତାଙ୍କ ଚରିତ୍ରକୁ ନେଇ ଅଶ୍ଲୀଳ ଓ ଆପତ୍ତିଜନକ ଅଭିନୟର ଅଭିଯୋଗ ଆସିଥିଲା । ଗତବର୍ଷ ହିଁ ହିଞ୍ଜିଳି ଥାନା ଅଞ୍ଚଳରେ ମଞ୍ଚ ଉପରେ ଜିଅନ୍ତା ଘୁଷୁରୀ ମାଂସ ଚୋବାଇ ଖାଇବା ସହ ବିଷଧର ସାପ ଧରି ଖେଳାଉଥିବା ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ ଜଣଙ୍କୁ ଗିରଫ କରିଥିଲା ।
ସୌଜନ୍ୟ ପ୍ରମେୟ




