ମଞ୍ଚରେ ହନୁମାନ ସାଜି ଟଳିପଡ଼ିଥିଲେ… ଏବେ ମିଥୁନଙ୍କୁ ମନେ ପକାଉଛନ୍ତି ହନୁ, ଚିତା ଜଳିଥିବା ସ୍ଥାନରେ ଗଡ଼ାଉଛନ୍ତି ଲୁହ…

ସାନଖେମୁଣ୍ଡି,୨୮/୧୧: ବାଲ୍ୟ କାଳରୁ ଅଭିନୟକୁ ଜୀବନ ରୂପେ ଗ୍ରହଣ କରି ନେଇଥିଲେ । ହନୁମାନ ଓ କେବେକେବେ ବାଳି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ । କଳାକାର ମହଲରେ ସେ ବାଳି କଉଡ଼ିଆ ଭାବେ ପରିଚିତ ଥିଲେ । ନିଜେ ଥିଲେ ପ୍ରଚଣ୍ଡ ହନୁମାନ ଭକ୍ତ । ଛାତିରେ ଆଙ୍କିଥିଲେ ଶ୍ରୀରାମ ଓ ହନୁମାନଙ୍କ ଟାଟୁ । ପ୍ରତିଦିନ ହନୁମାନ ମନ୍ଦିର ଯାଇ ପୂଜା କରିବା ସହ ସେହି ନିକଟରେ ମାଙ୍କଡ଼ମାନଙ୍କୁ ଖାଇବା ଦେଇ ସେମାନଙ୍କ ସାଙ୍ଗରେ ବନ୍ଧୁ ଭଳି କଥାବାର୍ତ୍ତା ହେଉଥିଲେ । ସେମାନଙ୍କ ସହ ଫଟୋ ମଧ୍ୟ ଉଠାଉଥିବା କହନ୍ତି ଅନେକ ସହ-କଳାକାର ।
ହେଲେ ମଙ୍ଗଳବାର ରାତିରେ ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗାଁରେ ରାମାୟଣ ନାଟକ ପରିବେଷଣ ବେଳେ ମଞ୍ଚ ଉପରେ ଦର୍ଶକଙ୍କ ଆଗରେ ହୃଦ୍ଘାତରେ ଟଳି ପଡ଼ିଥିଲେ । ଆଉ ଯେଉଁଠି ତାଙ୍କ ଚିତା ଜଳିଥିଲା ଗାଁ ଶ୍ମଶାନର ସେଇ ସ୍ଥାନରେ ଏବେ ପ୍ରତିଦିନ କିଛି ହନୁମାଙ୍କଡ଼ ଆସି ବସି ରହୁଛନ୍ତି । ସତେ ଯେମିତି ସେମାନଙ୍କ ଭୂମିକାକୁ ମଞ୍ଚ ଉପରେ ଜୀବନ୍ତ କରି ଦେଖାଉଥିବା ଅଭିନେତା ମିଥୁନଙ୍କୁ ମନେ ପକାଉଛନ୍ତି । ସେମାନଙ୍କୁ ଖାଇବା ଦେବା, କଥା ହେଉଥିବା ଲୋକଟିକୁ ଖୋଜୁଛନ୍ତି । ଏହାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ମିଥୁନ ଶେଷଥର ଅଭିନୟ କରିଥିବା ସେହି ମଞ୍ଚ ତିନି ଦିନ ପରେ ବି ସେମିତି ରହିଛି, ଭଙ୍ଗାଯାଇନି । ଆଉ ତାହା ଚାରିପଟେ ମିଥୁନଙ୍କ ସ୍ମତିରେ ମହମବତି ଜଳାଇଛନ୍ତି ଦର୍ଶକ । କାଉଡ଼ିଆ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାମାୟଣ ନାଟକ ମଞ୍ଚସ୍ଥ ବେଳେ ହନୁମାନ ଭୂମିକାରେ ଅଭିନୟ କରୁଥିବା ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ମିଥୁନଙ୍କ କଳା ପ୍ରତିଭାର ସ୍ମୃତିଚାରଣ କରାଯାଇଥିଲା । ଗୁରୁବାର ସନ୍ଧ୍ୟାରେ ଗ୍ରାମବାସୀ ମହମବତି ଧରି ଗାଁ ପରିକ୍ରମା ସହ ନିରବ ପ୍ରାର୍ଥନା କରିଥିଲେ । ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଅନ୍ୟ କଳାକାର ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଦିବଙ୍ଗତ ମିଥୁନଙ୍କୁ କଳାକାର ମହଲରେ ବାଳି କୌଡ଼ିଆ ଭାବେ ସମସ୍ତେ ଜାଣିଥିଲେ । ଗାଁ ରାମାୟଣ ନାଟକ ଦଳର ଅଧିକାରୀ ସହ ହନୁମାନ ଚରିତ୍ରରେ ଅଭିନୟ କରି ଆସୁଥିଲେ ।
ସୌଜନ୍ୟ ପ୍ରମେୟ




