ରାଜ୍ୟ

Elephant Attack: ହାତୀ ଘଉଡ଼ାଇବାବେଳେ ଅଘଟଣ, ମହିଳା ବନରକ୍ଷୀଙ୍କୁ ଦଳିଦେଲା ଦନ୍ତା, ଆଜି ହେବ ଶେଷକୃତ୍ୟ

କୁତ୍ରା,୨୮/୧୧: ସୁନ୍ଦରଗଡ଼ ଜିଲ୍ଲାରେ ହାତୀ-ମଣିଷ ସଂଘର୍ଷ ଉଗ୍ର ରୂପ ନେଉଛି । ଜନବସତିମୁହାଁ ହାତୀପଲ କେବଳ ଫସଲ ହାନି କରୁନାହାନ୍ତି³ ବରଂ ସେମାନଙ୍କ ହାବୁଡ଼ରେ ପଡ଼ି ନିରୀହଙ୍କ ଜୀବନ ଯାଉଛି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଝିରପାଣି ଖାଦାନପଡ଼ାରେ ଶୁକ୍ରବାର ଦନ୍ତା ଦଳିଦେବାରୁ ଜଣେ ମହିଳା ବନରକ୍ଷୀଙ୍କ ମୃତ୍ୟୁ ଘଟିଛି । ମୃତକ ପ୍ରତିଭା ବିଶି (୩୨) ।

ପଞ୍ଚରା ନିକଟ ଝିରପାଣି ଖାଦାନପଡ଼ା ଅଞ୍ଚଳରେ ଏକ ପଲରେ ୫୧ ହାତୀ ଘୂରି ବୁଲୁଛନ୍ତି । ହାତୀପଲ ଗତିବିଧି ଉପରେ ନିଜର ରଖିବାକୁ ସନ୍ଧ୍ୟାରେ ଦୁଇଜଣ ବନରକ୍ଷୀ ଏବଂ ୪ଜଣ ହାତୀ ସ୍କ୍ୱାଡ୍ ସଦସ୍ୟ ନିୟୋଜିତ ଥିଲେ । ବାଇକ୍ ଓ ସ୍କୁଟରରେ ଉପଦ୍ରୁତ ଅଞ୍ଚଳକୁ ଯାଇ ସେମାନେ ହାତୀଙ୍କୁ ଘଉଡ଼ାଉଥିଲେ । ପ୍ରତିଭା ଏକ ପୋଲ ପାଖରେ ଛିଡ଼ା ହୋଇଥିବା ବେଳେ ପଲରୁ ଅଲଗା ହୋଇ ଚାଲି ଆସିଥିବା ଏକ ଦନ୍ତା ଆକ୍ରମଣ କରିଥିଲା । ହାତୀକୁ ଘଉଡ଼ାଇବା ପରେ ସହକର୍ମୀମାନେ ଗୁରୁତର ପ୍ରତିଭାଙ୍କୁ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ମୃତଦେହ ଜବତ କରି ରାଜଗାଙ୍ଗପୁର ଡାକ୍ତରଖାନାର ମର୍ଗ ହାଉସ୍‌ରେ ରଖିଛି । ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ।

ସୁନ୍ଦରଗଡ଼ ଡିଏଫ୍ଓ ଯଶୱନ୍ତ ସିଂ ଡାକ୍ତରଖାନାରେ ପହଞ୍ଚି ପଚରାଉଚରା କରିଛନ୍ତି । ବଡ଼ଗାଁ ବନାଞ୍ଚଳରେ ୪ଟି ଚାରିଚକିଆ ଗାଡ଼ି ଅଛି । ତଥାପି ବନ କର୍ମଚାରୀମାନେ ହାତୀ ଘଉଡ଼ାଇବା ପାଇଁ କାହିକି ଦୁଇ ଚକିଆ ଗାଡ଼ିରେ ଆସିଥିଲେ ବୋଲି ପ୍ରଶ୍ନରେ ଡିଏଫ୍ଓ କହିଛନ୍ତି, ଏହାର ତଦନ୍ତ କରାଯିବ । ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ସରକାରଙ୍କ ପକ୍ଷରୁ ଯାହା ଭଲ ହୋଇପାରିବ ସେଥିପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ପ୍ରତିଭାଙ୍କ ଘର ବ୍ରଜରାଜନଗର ଅଞ୍ଚଳରେ । ସେ ୨୦୨୩ରୁ ଗେଲେବାହାଲ ବିଟ୍ରେ ପ୍ରଥମ ପୋଷ୍ଟିଂ ପାଇ ପଞ୍ଚରା ସେକ୍ସନ୍ରେ କାର୍ଯ୍ୟରତ ଥିଲେ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button