ବୈଶିଙ୍ଗା (ଦୀପକ କୁମାର ସିଂହ): ଆକାଶରୁ ଅବିରତ ବର୍ଷା, ତଳେ ଫୁଲୁଛି ବୁଢ଼ାବଳଙ୍ଗ। ଚାରିଆଡ଼େ ପାଣି, ଘରେ ପାଣି, ରାସ୍ତା ଉପରେ ପାଣି। ଲଘୁଚାପଜନିତ ଲଗାଣ ବର୍ଷା ବେତନଟୀ ଅଞ୍ଚଳର ଜନଜୀବନକୁ ଏକପ୍ରକାର ବନ୍ଦୀ କରିଦେଇଛି। ଗତ ୨୪ ଘଣ୍ଟାରେ ୧୭୦ ମିମି ବର୍ଷା ରେକର୍ଡ ହେବା ପରେ ତଳିଆ ଅଞ୍ଚଳରେ ବନ୍ୟାର ବିପଦ ଘନେଇଛି। ନଦୀର ଜଳସ୍ତର ବିପଦସଂକେତ ଉପରେ ରହିଥିବାବେଳେ ନାଖରା ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି।
ବୁଧବାରଠାରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ଗଣ୍ଡବାଙ୍କ, ପ୍ରତିମାଦେଇପୁର, ପାଟଳିପୁରା, ଦାରିହା, କାଠପାଳ, ନାଖରା, ସିଙ୍ଗଲାମୁଣ୍ଡଳି, ଡେଁଫଉଦା ଆଦି ତଳିଆ ଅଞ୍ଚଳରେ ଘର ଭିତରକୁ ପାଣି ପଶିଛି। ଅନେକ ପରିବାର ଜଳବନ୍ଦୀ ହୋଇ ରହିଥିବାବେଳେ ରାତି ବଢ଼ିବା ସହ ଲୋକଙ୍କ ଆଶଙ୍କା ମଧ୍ୟ ବଢ଼ିଛି।
ପରିସ୍ଥିତି ଗମ୍ଭୀର ହେବା ପରେ ବିଧାୟକ ସନାତନ ବିଜୁଳିଙ୍କ ସହ ଜିଲ୍ଲାପାଳ ହେମକାନ୍ତ ସଏ, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲି, ଦୁଇ ଏଡିଏମ୍, ବେତନଟୀ ବିଡିଓ ମୁନା ସେଠୀ, ତହସିଲଦାର ଚନ୍ଦ୍ରଜିତ ବେହେରା ଓ ପୁଲିସ ଅଧିକାରୀମାନେ ନାଖରା ସେତୁ ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଲୋକଙ୍କୁ ସୁରକ୍ଷିତ ରଖିବା ଓ ଆବଶ୍ୟକସ୍ଥଳେ ତୁରନ୍ତ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି।
୫୦୦ ଲୋକଙ୍କୁ ଆଶ୍ରୟସ୍ଥଳୀ, ରନ୍ଧା ଖାଦ୍ୟ ବ୍ୟବସ୍ଥା
ବେଲାଣପୁରା ବାତ୍ୟା ଆଶ୍ରୟସ୍ଥଳୀ ସହିତ ଅନ୍ୟାନ୍ୟ ବିଦ୍ୟାଳୟ ଗୃହକୁ ପ୍ରଭାବିତ ଅଞ୍ଚଳର ପ୍ରାୟ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀରେ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଓ ଆବଶ୍ୟକ ସୁବିଧା ଯୋଗାଇବାର ବ୍ୟବସ୍ଥା ହୋଇଛି। ଯେକୌଣସି ଆପତ୍କାଳୀନ ସ୍ଥିତି ପାଇଁ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ପ୍ରସ୍ତୁତ ରହିଛନ୍ତି।
ସୌଜନ୍ୟ ସମ୍ବାଦ