ଖେଳ

Bhubaneswar Tiger: ଭୁବନେଶ୍ବର ଟାଇଗର୍ସ ୧ ରନ୍‌ରେ ଜିତିଲା

‘ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି’ର ଚତୁର୍ଥ ଦିବସର ପ୍ରଥମ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇ ଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭୁବନେଶ୍ବର ଟାଇଗର୍ସ ଡିଏଲ୍‌ଏସ୍‌ ପଦ୍ଧତିରେ ବିଜୟୀ ହୋଇଛି।

କଟକ: ‘ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି’ର ଚତୁର୍ଥ ଦିବସର ପ୍ରଥମ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇ ଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭୁବନେଶ୍ବର ଟାଇଗର୍ସ ଡିଏଲ୍‌ଏସ୍‌ ପଦ୍ଧତିରେ ବିଜୟୀ ହୋଇଛି। ଭୁବନେଶ୍ବର ଟାଇଗର୍ସ ଗୋଟିଏ ରନ୍‌ରେ କଟକ ପାନ୍ଥର୍ସକୁ ପରାସ୍ତ କରିଛି। ବୁଧବାର ଲଘୁଚାପ ବର୍ଷା ପାଇଁ ଅପରାହ୍‌ଣରେ ଥିବା ରାଉରକେଲା ସୁପରଷ୍ଟାର୍ସ ଓ ପୁରୀ ଟାଇଟାନସ୍‌ ଲିଗ୍‌ ମ୍ୟାଚ୍‌ ବାତିଲ ହୋଇଥିଲା। ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍‌ଟି ବିଳମ୍ବରେ ଖେଳାଯାଇଥିଲେ ମଧ୍ୟ ବର୍ଷା ପାଇଁ ଏହାକୁ ୯ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା କଟକ ପାନ୍ଥର୍ସ ଦଳ ୭.୪ ଓଭରରେ ୬ ୱିକେଟ୍‌ ହରାଇ ୫୩ ରନ୍‌ କରିଥିଲା।

ବର୍ଷା ହେବାରୁ କଟକ ପାଳି ସେହିଠାରେ ଅଟକି ଯାଇଥିଲା। ଦଳ ପକ୍ଷରୁ କାର୍ତ୍ତିକ ବିଶ୍ବାଳ ସର୍ବାଧିକ ୨୩ ରନ୍‌ କରିଥିବା ବେଳେ ସୌମ୍ୟରଞ୍ଜନ ବିଶ୍ବାଳ ୧୨ରନ୍‌ କରିଥିଲେ। ଭୁବନେଶ୍ବର ଟାଇଗର୍ସ ପକ୍ଷରୁ ରା‌ଜେଶ ମହାନ୍ତି ୨ଟି, ସମ୍ବିତ ବେଜା ୨ଟି ଓ ରାକେଶ ପଟ୍ଟନାୟକ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ। ମଧ୍ୟାନ୍ତର ପରେ ପୁଣି ବର୍ଷା ହେବାରୁ ଡିଏଲ୍‌ଏସ୍ ପଦ୍ଧତିରେ ଭୁବନେଶ୍ବର ଟାଇଗର୍ସ ପାଇଁ ଗୋଟିଏ ଓଭରରେ ୮ରନ୍‌ର ଟାର୍ଗେଟ ଧାର୍ଯ୍ୟ କରାଯାଇଥିଲା। ହେଲେ ରାଜେଶ ମହାନ୍ତିଙ୍କ ୫ରନ୍ ଓ ସ୍ବସ୍ତିକ ସାମଲଙ୍କ ୪ରନ୍‌ ସହାୟତାରେ ଭୁବନେଶ୍ବର ଟାଇଗର୍ସ ଗୋଟିଏ ଓଭର ଖେଳି ଗୋଟିଏ ୱିକେଟ୍‌ ହରାଇ ୯ରନ୍‌ ସଂଗ୍ରହ କରି ମ୍ୟାଚ୍‌ ଜିତିଥିଲା।

ରାଜେଶ ମହାନ୍ତି ଜିଉସ୍‌ ୱାର୍ଲଡକାଷ୍ଟ ପ୍ରାଇଭେଟ୍‌ ଲିମିଟେଡର ନିର୍ଦ୍ଦେଶକ ଗୁଲସନ ଝୁରାନୀଙ୍କଠାରୁ ‘ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ସ୍ବସ୍ତିକ ସାମଲ ‘ମୋମେଣ୍ଟ୍‌ ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ସ୍ପୋର୍ଟସ୍‌ ଏକ୍ସ କନସଲଟାନ୍‌ସିର ନିର୍ଦ୍ଦେଶକ ରୋହନ ଗୁପ୍ତା ଏବଂ କାର୍ତ୍ତିକ ବିଶ୍ବାଳ ‘ଡାଇନାମିକ୍‌ ଷ୍ଟ୍ରାଇକର ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ଭୁବନେଶ୍ବର ଟାଇଗର୍ସର ସହମାଲିକ ଅମନ ପଟ୍ଟନାୟକଙ୍କଠାରୁ ଗ୍ରହଣ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button