Cyclone Fear: ଘୂର୍ଣ୍ଣିବଳୟ, ଲଘୁଚାପ ପୂର୍ବାନୁମାନ.. ଗଞ୍ଜାମକୁ ଅକ୍ଟୋବରରେ ବାତ୍ୟା ଭୟ, ସ୍ମୃତିରୁ ଯାଇନି ମହାବାତ୍ୟା, ଫାଇଲିନ୍ର କରାଳରୂପ

ବ୍ରହ୍ମପୁର,୦୩/୧୦: ଅକ୍ଟୋବର ଆସିଲେ ଗଞ୍ଜାମବାସୀଙ୍କ ମନରେ ବାତ୍ୟା ଛନକା ପଶେ । ଫାଇଲିନ୍, ହୁଡ୍ହୁଡ୍, ତିତ୍ଲି, ଦାନା, ମୋନ୍ଥା ସମେତ ଗୁଲାବ (ସେପ୍ଟେମ୍ବର ଶେଷ ସପ୍ତାହ)- ଏମିତି ଅନେକ ବାତ୍ୟା ଆସିଛନ୍ତି ଅକ୍ଟୋବରରେ । କିଏ ପ୍ରଳୟ କରିଛନ୍ତି ତ କିଏ କେବଳ ଡରେଇ ଚାଲିଯାଇଛନ୍ତି । ଗତ ସେପ୍ଟେମ୍ବର ଶେଷ ସପ୍ତାହରେ ଗଭୀର ଅବପାତ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ବ୍ରହ୍ମପୁର ସମେତ ଗଞ୍ଜାମ, ଗଜପତିର ଅର୍ଦ୍ଧେକ ଅଞ୍ଚଳ ବୁଡ଼ାଇଥିଲା । ଲୋକେ ଭାବିଥିଲେ ଅକ୍ଟୋବରରେ ବୋଧହୁଏ ଆଉ କିଛି ବିପର୍ଯ୍ୟୟ ହେବନି । ହେଲେ ଆସନ୍ତା ୧୨ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ଓ ୧୩ରେ ଲଘୁଚାପର ପୂର୍ବାନୁମାନ ପ୍ରବଳ ବର୍ଷାରେ କ୍ଷତିଗ୍ରସ୍ତଙ୍କ ଆଶଙ୍କା ବଢ଼ାଇଲାଣି ।
୧୯୯୯ ଅକ୍ଟୋବର ୨୯ ତାରିଖ ମହାବାତ୍ୟା ପୂର୍ବରୁ, ୧୭ ତାରିଖରେ ଗଞ୍ଜାମ ଜିଲ୍ଲାରେ ହୋଇଥିଲା ବଡ଼ ଧରଣର ବାତ୍ୟା । ମହାସପ୍ତମୀ ମଧ୍ୟରାତ୍ରିରୁ ମହାଷ୍ଟମୀ ସକାଳ ଯାଏଁ ହୋଇଥିବା ଏହି ବାତ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଉଜୁଡ଼ା ଭିତ୍ତିଭୂମି ସଜାଡ଼ିବାକୁ ଦୀର୍ଘ ବର୍ଷ ଲାଗିଥିଲା ଗଞ୍ଜାମବାସୀଙ୍କୁ । ଏହାର ୧୪ ବର୍ଷ ପରେ ଅର୍ଥାତ ୨୦୧୩ ଅକ୍ଟୋବର ୧୨ ତାରିଖର ଫାଇଲିନ୍ ମହାବାତ୍ୟାକୁ ମନେ ପକାଇ ଦେଇଥିଲା । ଫାଇଲିନ୍ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବାରୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଞ୍ଜାମ ଜିଲ୍ଲା । ଉଜାଡ଼ି ଦେଇଥିଲା ଲୋକଙ୍କ ଜୀବନଜୀବିକା । ହଜାର ହଜାର ଲୋକ ଜଳବନ୍ଦୀ ହେଲେ । ରାସ୍ତା ଧୋଇ ଯାଇଥିଲା, ବିଜୁଳି ଖୁଣ୍ଟ ଭାଙ୍ଗି ଯାଇଥିଲା, ବିଶାଳ ଗଛ ସବୁ ଉପୁଡ଼ି ଯାଇଥିଲା, ଶହ ଶହ ଘରର ଛପର ଉଡ଼ି ଯାଇଥିଲା । ସବୁଦିଗରୁ କ୍ଷତିଗ୍ରସ୍ତ ହୋଇଥିଲା ଗଞ୍ଜାମ ।
ପରବର୍ଷ, ଅକ୍ଟୋବର ୨୦୧୪ରେ ପୁଣି ଏକ ବାତ୍ୟା ‘ହୁଡ୍ହୁଡ୍’ର ପୂର୍ବାନୁମାନ ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଥିଲା । ମାତ୍ର ଏହା ବିଶାଖାପାଟଣାରେ ଲ୍ୟାଣ୍ଡଫଲ୍ କରିବାରୁ ଗଞ୍ଜାମ କ୍ଷୟକ୍ଷତିରୁ ବର୍ତ୍ତି ଯାଇଥିଲା । ସେହିପରି ଅକ୍ଟୋବର ୨୦୧୮ରେ ପୁଣି ଏକ ବାତ୍ୟା ‘ତିତ୍ଲି’ ଆସୁଥିବା ନେଇ ପାଣିପାଗ ବିଭାଗର ସୂଚନା ପରେ ବିଚଳିତ ହୋଇଥିଲେ ଜିଲ୍ଲାବାସୀ । ତେବେ ତିତ୍ଲି ଆନ୍ଧ୍ରପ୍ରଦେଶର ପଲାସାରେ ଲ୍ୟାଣ୍ଡଫଲ୍ କରିଥିଲା । ୨୦୨୧ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କଳିଙ୍ଗପଟନମ୍ ଓ ଗୋପାଳପୁର ମଧ୍ୟରେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ୍ କରିଥିଲେ ବି ଏହା ଦ୍ୱାରା ବିଶେଷ କ୍ଷୟକ୍ଷତି ହୋଇନଥିଲା । ୨୦୨୪ ଅକ୍ଟୋବର ୨୪ରେ ବାତ୍ୟା ‘ଦାନା’ ଗଞ୍ଜାମରେ ଭୟ ସୃଷ୍ଟି କରିଥିଲା । ପରେ ଏହା ପଶ୍ଚିମବଙ୍ଗ ମୁହାଁ ହେବାରୁ ଗଞ୍ଜାମରେ ପ୍ରଭାବହୀନ ଥିଲା ।
ସୌଜନ୍ୟ ପ୍ରମେୟ




