Campus Election: ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା, ଦଶହରା ଛୁଟି ପୂର୍ବରୁ ଶେଷ ହେବ ନିର୍ବାଚନ ପ୍ରକ୍ରିୟା !

ଭୁବନେଶ୍ୱର, ୦୩/ ୧୦: ବହୁ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ ହେବ । ଏନେଇ ଶନିବାର ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ। ବିଜ୍ଞପ୍ତି ପ୍ରକାଶ ସହ କେଉଁ ଦିନ କଣ ସବୁ ପ୍ରକ୍ରିୟା ରହିବ ସେସବୁର ସଂପୂର୍ଣ୍ଣ ତାଲିକା ପ୍ରକାଶ ହେବ । ଦଶହରା ଛୁଟି ପୂର୍ବରୁ ଏହି ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ । କେବଳ ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।
ସୂଚନାଯୋଗ୍ୟ, ଗତ ୨୦୧୮ ମସିହାରୁ ବିଭିନ୍ନ ଆଳ ଦେଖାଇ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି । ୨୦୨୪ ମସିହାରେ ବିଜେପି ସରକାରକୁ ଆସିବା ପୂର୍ବରୁ ନିଜର ନିର୍ବାଚନୀ ଇସ୍ତାହାରରେ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ପ୍ରତିଶୃତି ଦେଇଥିଲା । ସରକାର ଆସିବା ପରେ ଖୁବ୍ କମ୍ ଦିନ ଥିବାରୁ ସରକାର ନିର୍ବାଚନୀ ପ୍ରସ୍ତୁତି କରିନଥିଲେ । ଏହାକୁ ନେଇ ଛାତ୍ର ବିଜେଡିଠୁ ଆରମ୍ଭ କରି ଏବିଭିପି, ଛାତ୍ର କଂଗ୍ରେସ ଭଳି ପ୍ରମୁଖ ଛାତ୍ର ସଂଗଠନ ମାନେ ଛାତ୍ର ସଂସଦ ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ । ଏପରିକି ଉଚ୍ଚଶିକ୍ଷା ମନ୍ତ୍ରୀ ଏକ ପ୍ରକାର ଗ୍ରୀନ୍ ସିଗ୍ନାଲ ଦେଇ କହିଥିଲେ, ସରକାର ଛାତ୍ର ସଂସଦ ନିର୍ବାଚନ ନେଇ ସକାରାତ୍ମକ ଅଛନ୍ତି । ଏନେଇ ବିଚାର ଚାଲିଛି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ ।
ସୌଜନ୍ୟ ପ୍ରମେୟ




