ରାଜ୍ୟ

କିଏ ଦଖଲ କରିବ ପଞ୍ଚାୟତ? ତିନି ଦଳର ଜୋରଦାର୍‌ କସରତ, ଜେନ୍‌- ଜିଙ୍କୁ ମନେଇବାକୁ ସରକାରୀ ଦଳର ପ୍ରୟାସ

ଭୁବନେଶ୍ୱର,୦୫/୧୦: ଆଗକୁ ଆସୁଛି  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏ ନେଇ  ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ  ମଧ୍ୟ ସବୁ ରାଜ୍ୟ ରାଜନୀତି ବେଶ୍‌ ସରଗରମ  ହୋଇପଡ଼ିଛି । ପଞ୍ଚାୟତ ନିର୍ବାଚନରେ ବାଜିମାତ୍‌  କରିବାକୁ ଶାସକ ବିଜେପିଠୁ ଆରମ୍ଭ କରି ମୁଖ୍ୟ  ବିରୋଧୀ ଦଳ ବିଜେଡି ଓ ଜାତୀୟ ଦଳ କଂଗ୍ରେସ  ଜୋରଦାର କସରତ ଆରମ୍ଭ କରିଛନ୍ତି । ଯେମିତି  ହେଉ ନିର୍ବାଚନ ଜିତିବାକୁ ଏବେଠୁ ରଣନୀତି  ପ୍ରସ୍ତୁତ କରିବାରେ ମାତିଲେଣି । କିଏ ଶୋଭାଯାତ୍ରା  କଲାଣି ତ କିଏ ସମାବେଶ । କେଉଁ ଦଳ ଅଧିକ  ପଞ୍ଚାୟତ ଦଖଲ କରିବ, ସେ ନେଇ ପ୍ରତିଦିନ  ଘନ ଘନ ବୈଠକ କରିବା ସହିତ ତର୍ଜମା  ଆରମ୍ଭ କଲେଣି । ଦଳୀୟ କାର୍ଯ୍ୟାଳୟଗୁଡ଼ିକରେ  ଏବେଠୁ ଗହଳି ଦେଖିବାକୁ ମିଳିଲାଣି ।

ଦ୍ୱିତୀୟ ଥର ବିଜେପି ରାଜ୍ୟ ପ୍ରଭାରୀ ଭାବେ  ନିଯୁକ୍ତ ହୋଇଥିବା ଡି.ପୁରନ୍ଦେଶ୍ୱରୀ ଶନିବାର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି  ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ  ମନ୍ତ୍ରିମଣ୍ଡଳର ସଦସ୍ୟଗଣ ଓ ଦଳର କର୍ମୀମାନଙ୍କୁ  ଭେଟିଛନ୍ତି । ଦଳକୁ ଆଗକୁ କେମିତି ମଜଭୁତ  କରାଯିବ ସେ ନେଇ ଆଲୋଚନା ହୋଇଥିବା  ସୂଚନା ଦେଇଛନ୍ତି । ତାଙ୍କ ଗସ୍ତ ବେଳେ ରାଜ୍ୟ  ବିଜେପି ପଞ୍ଚାୟତ ନିର୍ବାଚନ ଜିତିବାକୁ ଖସଡ଼ା  ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ଦଳର  ନେତାଙ୍କ ମନୋଭାବ କିପରି ରହିଛି ତା’ ଉପରେ  ପ୍ରଭାରୀ ଆଲୋଚନା କରିଥିବା କହିଛନ୍ତି । ଦଳ  କେମିତି ଆଗକୁ ଯିବ ତା ଉପରେ ବିଶେଷ  ଗୁରୁତ୍ୱ ଦିଆଯାଉଥିବା ପୁରନ୍ଦେଶ୍ୱରୀ କହିଛନ୍ତି ।

ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି  ଯେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ସବୁବେଳେ  ପ୍ରସ୍ତୁତ । କାରଣ ଆମ ଦଳ ସବୁବେଳେ ଗ୍ରାଉଣ୍ଡରେ  ରହେ । ଲୋକଙ୍କ ସେବାରେ ଆମେ ଅଛୁ । ପଞ୍ଚାୟତ  ନିର୍ବାଚନ ଆସିଲେ ସବୁ ସ୍ପଷ୍ଟ ହେବ । ବିଜେପିର  ପ୍ରଭାରୀ ବୈଠକରେ ସହଜ ସ୍ଥିତି ନ ଥିବା କହିଛନ୍ତି  ଶ୍ରୀ ଦାସ । ବିଜେପି ନିଜେ ଆତଙ୍କିତ ଅଛି । ଜେନ୍‌-ଜି କାହା ସପକ୍ଷରେ ଅଛନ୍ତି ବିଜେପିକୁ  ବୁଝେଇବାକୁ ପଡ଼ିବନି । ଜେନ୍‌-ଜିଙ୍କୁ ମନେଇବା ଚେଷ୍ଟା କାମ ଦେବନି ବୋଲି ସେ କହିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button