ଡିଏମ୍ଏଫ୍ରେ କଳାହାଣ୍ଡି ପାଇଛି ୧୫୦ କୋଟି: ଖର୍ଚ୍ଚ ହୋଇନି~୩୦ କୋଟି
ଖଣି ଖୋଳି ରାଜସ୍ୱ ଆଦାୟ ହେଉଛି। ଖଣି ପ୍ରଭାବିତଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କାର ପାଣ୍ଠି ବି ଖର୍ଚ୍ଚ ହେଉଛି। ହେଲେ ଯେଉଁମାନଙ୍କ ଜୀବନଧାରଣର ମାନ ବଦଳାଇବା ପାଇଁ ଏହି ଅର୍ଥ ବିନିଯୋଗ ହେଉଛି, ସେମାନଙ୍କ ପାଖରେ ବିକାଶର ସୁଫଳ ପହଞ୍ଚି ପାରୁନାହିଁ।

ଭବାନୀପାଟଣା (ଦେବେନ୍ଦ୍ର କୁମାର ବିଶି): ଖଣି ଖୋଳି ରାଜସ୍ୱ ଆଦାୟ ହେଉଛି। ଖଣି ପ୍ରଭାବିତଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କାର ପାଣ୍ଠି ବି ଖର୍ଚ୍ଚ ହେଉଛି। ହେଲେ ଯେଉଁମାନଙ୍କ ଜୀବନଧାରଣର ମାନ ବଦଳାଇବା ପାଇଁ ଏହି ଅର୍ଥ ବିନିଯୋଗ ହେଉଛି, ସେମାନଙ୍କ ପାଖରେ ବିକାଶର ସୁଫଳ ପହଞ୍ଚି ପାରୁନାହିଁ। କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ବିନିଯୋଗରେ ଗତ ୩ ବର୍ଷରେ ହାତକୁ ନିଆଯାଇଥିବା ୮୨୦ଟି ପ୍ରକଳ୍ପ ମଧ୍ୟରୁ ୪୫୦ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୨୨୬ଟି ଅଧାପନ୍ତରିଆ ହୋଇ ପଡ଼ିଛି। ୧୪୪ଟି ପ୍ରକଳ୍ପର କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।
ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଡିଏମ୍ଏଫ୍ ପାଣ୍ଠିର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ କଳାହାଣ୍ଡିରେ ଏହି ଅର୍ଥର ବିନିଯୋଗ ଓ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ଥୁଆମୂଳ ରାମପୁର ବ୍ଲକ୍ର ଖଣି ପ୍ରଭାବିତ ଅଡ୍ରି, ମାଲିଗାଁ ଓ ଗୋପୀନାଥପୁର ପଞ୍ଚାୟତର ୬ଟି ଗାଁରେ ଅଧିକାଂଶ ଅର୍ଥ ଖର୍ଚ୍ଚ ହୋଇଛି। ବିଶେଷକରି ଅଡ୍ରି ପଞ୍ଚାୟତରେ ଗତ ୩ ବର୍ଷରେ ୯୦ଟି ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିମଧ୍ୟରୁ ୫ କୋଟି ୭୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ୫୨ଟି ପ୍ରକଳ୍ପର ନିର୍ମାଣ ସରିଛି। ଅନ୍ୟପକ୍ଷରେ ୭ କୋଟି ୮୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ୩୨ଟି ପ୍ରକଳ୍ପର କାମ ଅଧାରେ ଝୁଲିରହିଛି। ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟ ଅଟକଳ ଥିବା ୬ଟି ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ଅଡ୍ରି ପଞ୍ଚାୟତରେ ଡିଏମ୍ଏଫ୍ ପାଣ୍ଠିରୁ ବିପୁଳ ଅର୍ଥ ଖର୍ଚ୍ଚ ହୋଇଥିଲେ ସୁଦ୍ଧା ତାହାର ଉପଯୋଗିତାକୁ ନେଇ ଲମ୍ବା ଅଭିଯୋଗ ରହିଛି। ପ୍ରତିବର୍ଷ ଗୋଟିଏ ସ୍ଥାନରେ ଦୁଇଥର କାମ ହେଉଛି। ଦୁର୍ଗମ ଗାଁଗୁଡ଼ିକରେ ସୋଲାର ଲାଇଟ୍ ସ୍ଥାପନ ପାଇଁ ବିପୁଳ ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ କିଛି ମାସ ଜଳିବା ପରେ ସେଗୁଡ଼ିକ ଅଚଳ ହୋଇପଡ଼ିଛି। ନିମ୍ନମାନର କାମ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଥିବାବେଳେ ଏଥିପାଇଁ କାହାକୁ ଉତ୍ତରଦାୟୀ କରାଯାଉନାହିଁ। ସାମଗ୍ରୀ କିଣାରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି।
ଜିଲ୍ଲାରେ ଡିଏମ୍ଏଫ୍ ପାଣ୍ଠି ରାଜନେତା ଓ ଠିକାଦାରଙ୍କ ପାଇଁ ଦୁଧିଆଳି ଗାଈ ପାଲଟିଛି। କାମ ବାଣ୍ଟିବା ପାଇଁ ୧୦ରୁ ୨୦ ପ୍ରତିଶତ ରାଜନେତାମାନେ ନେଉଥିବାବେଳେ ଗୋଟିଏ କାମକୁ ଦେଖାଇ ବିଭିନ୍ନ ସ୍ଥାନରେ ପାଣ୍ଠି ହରିଲୁଟ୍ ନେଇ ସଙ୍ଗିନ ଅଭିଯୋଗ ହେଉଛି। ତଥ୍ୟ ଅନୁଯାୟୀ, ୨୦୧୫-୧୬ ମସିହାରୁ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳ ପାଇଁ ଡିଏମ୍ଏଫ୍ ପାଣ୍ଠି ଖର୍ଚ୍ଚ କରାଯାଉଛି। ଗତ ୩ ବର୍ଷରେ ଜିଲ୍ଲାରେ ମୋଟ ୭୯ କୋଟି ୭୯ ଲକ୍ଷ ୬୮ ହଜାର ୬୪୭ ଟଙ୍କା ଖର୍ଚ୍ଚ ହୋଇଛି। ବର୍ଷୱାରୀ ହିସାବ ଅନୁଯାୟୀ ୨୦୨୩-୨୪ରେ ୨୩ କୋଟି ୮୨ ଲକ୍ଷ ୮୦ ହଜାର ୬୯୦ ଟଙ୍କା, ୨୦୨୪-୨୫ରେ ୧୩ କୋଟି ୭୬ ଲକ୍ଷ ୬୪ ହଜାର ୧୬୯ ଟଙ୍କା ଏବଂ ୨୦୨୫-୨୬ରେ ୪୨ କୋଟି ୨୦ ଲକ୍ଷ ୨୩ ହଜାର ୭୮୮ ଟଙ୍କା ବ୍ୟୟ ହୋଇଛି। ସେହିପରି ଏହି ତିନି ବର୍ଷରେ ଡିଏମ୍ଏଫ୍ ପାଣ୍ଠିକୁ ୨୦୨୩-୨୪ରେ ୧୮ କୋଟି ୫୧ ଲକ୍ଷ ୨୪ ହଜାର ୪୦୦ ଟଙ୍କା, ୨୦୨୪-୨୫ରେ ୯ କୋଟି ୩୩ ଲକ୍ଷ ୪ ହଜାର ୯୨୦ ଟଙ୍କା ଏବଂ ୨୦୨୫-୨୬ରେ ୨୬ କୋଟି ୭୩ ଲକ୍ଷ ୭୪ ହଜାର ୧୫୭ ଟଙ୍କା ଆଦାୟ ହୋଇଛି। ପାଣ୍ଠିରେ ୩୦ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି।
ସୌଜନ୍ୟ ସମ୍ବାଦ




