ବନ ବାହିନୀକୁ ମିଳୁନି ଅସ୍ତ୍ରଶସ୍ତ୍ର ତାଲିମ୍: ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ କରୁଛନ୍ତି, ଶିକାରୀ ଗୁଳିରେ ଟଳୁଛନ୍ତି…

ଭୁବନେଶ୍ୱର, ୨୮/୧୧(ସମ୍ବିତ କୁମାର ବେହେରା): ଗତବର୍ଷ ମେ’ ୨୩ ବିଳମ୍ବିତ ରାତି ଘଟଣା । ଖବର ମିଳିଲା, ଢ଼େଙ୍କାନାଳ ହିନ୍ଦୋଳ ରେଞ୍ଜ ରାଜମୋହନପୁର ଘଞ୍ଚ ଜଙ୍ଗଲର ଏକ ଚାଳଘରେ ଶିକାରୀମାନେ ବନଜନ୍ତୁକୁ ପୋଡି଼ ଖାଉଛନ୍ତି । ତୁରନ୍ତ ଚାଳଘରକୁ ଚାରିପଟୁ ଘେରିଥିଲା ବନ ବିଭାଗର ପାଟ୍ରୋଲିଂ ଟିମ୍ ।
ଟିମ୍ର ନେତୃତ୍ୱ ନେଉଥିଲେ ଫରେଷ୍ଟ ଗାର୍ଡ ତଥା ହିନ୍ଦୋଳ ସେକ୍ସନର ଭାରପ୍ରାପ୍ତ ଫରେଷ୍ଟର ପ୍ରହ୍ଲାଦ ପ୍ରଧାନ । କିନ୍ତୁ ଠିକଣା ସମୟରେ ବନ୍ଧୁକ ଫୁଟାଇ ପାରିଲେନି । ଶିକାରୀମାନେ ତାଙ୍କଠୁ ବନ୍ଧୁକ ଛଡ଼ାଇ ନେଇ ଗୁଳି କରି ମାରିଦେଲେ । ପ୍ରହ୍ଲାଦ ଧରିଥିବା ୨୦-ବୋର ପମ୍ପ ଆକ୍ସନ ଗନ୍ (ପିଏଜି) ହିଁ ତାଙ୍କ ପାଇଁ କାଳ ସାଜିଲା ବୋଲି ତଦନ୍ତରୁ ଜଣାପଡିଲା ।
ମୃତ୍ୟୁର ଠିକ୍ ମାସକ ତଳେ ସର୍ବଶ୍ରେଷ୍ଠ ଫରେଷ୍ଟ ଗାର୍ଡର ଉପାଧି ପାଇଥିଲେ ପ୍ରହ୍ଲାଦ । ମୃତ୍ୟୁ ପରେ ୪ ଶିକାରୀ ଗିରଫ ହେଲେ । ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ । କିନ୍ତୁ, ବନ୍ଧୁକ ଚାଳନାର ଢ଼ିଲା ତାଲିମ୍ ଯୋଗୁ ପ୍ରହ୍ଲାଦଙ୍କ ଭଳି ଜଣେ ଦକ୍ଷ କ୍ଷେତ୍ର ଅଧିକାରୀଙ୍କୁ ହରାଇଲା ବନ ବିଭାଗ ।
କେବଳ ପ୍ରହ୍ଲାଦ କାହିଁକି, ଏମିତି ହଜାର ହଜାର ସଂଖ୍ୟାରେ ବନ କର୍ମଚାରୀ ଜୀବନକୁ ବାଜିରେ ଲଗାଇ ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ କରୁଛନ୍ତି । ପଚାରିଲେ କହୁଛନ୍ତି, ଆମ ହାତରେ ବନ୍ଧୁକ ଧରାଯାଇଛି ସତ । ହେଲେ, ଫୁଟାଇବା ତରିକା ଶିଖିନୁ । ବନ୍ଧୁକ ଧରାଇବା ବେଳେ ଯାହା କିଛି ତାଲିମ୍ ନେଇଥିଲୁ । ଏବେ ଭୁଲିଗଲୁଣି । ତସ୍କରଙ୍କ ଅତ୍ୟାଧୁନିକ ବନ୍ଧୁକ ଆଉ ବିଷଯୁକ୍ତ ତୀରରେ କେତେବେଳେ ଯେ ଜୀବନ ପଳାଯିବ, କହିହେବନି ।
ବନ ବିଭାଗ ତଥ୍ୟ ମୁତାବକ, ଏବେ ସୁଦ୍ଧା ବନ ବାହିନୀ ପାଖେ ପ୍ରାୟ ୧୪୦୦ଟି ବନ୍ଧୁକର ହିସାବ ଅଛି । ସେଥିରୁ ୯୦୦ଟି ବନ୍ଧୁକ ୨୦୨୩ ମସିହା ପରଠୁ କିଣାଯାଇଛି । ୦.୩୨ ଏମ୍ଏମ୍ ରାଇଫଲ, ୫.୫୬ ଏମ୍ଏମ୍ ଏକ୍ସାଲିବୁର, ୯ ଏମ୍ଏମ୍ ଅଟୋ-ପିସ୍ତଲ, ୧୨-ବୋର ପମ୍ପ ଆକ୍ସନ ଗନ (ପିଏଜି) ଏବଂ ଇନ୍ସାସ୍ ରାଇଫଲ ଭଳି ବନ୍ଧୁକ ଅଛି । ୫୦୦ଟି ପମ୍ପ ଆକ୍ସନ ଗନ ଓ ୨୦୦ଟି ଅଟୋ-ପିସ୍ତଲ ଧରିଛନ୍ତି ବନ ବାହିନୀ । ବିଭିନ୍ନ ବନଖଣ୍ଡରେ ଗତ ଏପ୍ରିଲ ସୁଦ୍ଧା ପ୍ରାୟ ୨୦ଟି ମକ୍ ଡ୍ରିଲ୍ ହୋଇଥିବା ବନ ବିଭାଗ ସୂଚନା ଦେଇଛି ।
କାହିଁ ପୁରୁଣା କାଳର ପମ୍ପ ଆକ୍ସନ ଗନ ଏବେ ବି ବନ ବାହିନୀର ସବୁଠୁ ବଡ଼ ଅସ୍ତ୍ର । ଯାହାକୁ ଚଳାଇବା ବହୁତ କଷ୍ଟ । ୨ ରାଉଣ୍ଡ ଯୁକ୍ତ ବନ୍ଧୁକ ଧରି ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ ପାଇଁ ଅସୁରକ୍ଷିତ ମଣୁଛନ୍ତି ବନରକ୍ଷୀ । ୦.୩୨ ଏମ୍ଏମ୍ ରାଇଫଲ ଧରି ଶିକାରୀଙ୍କୁ ସାମ୍ନା କରିବାକୁ ପଛଘୁଞ୍ଚା ଦେଉଛନ୍ତି ବନ କର୍ମଚାରୀ । ବନ୍ଧୁକ କଥା ଛାଡ଼ନ୍ତୁ, ଏବେ ବି ଅନେକ ବନଖଣ୍ଡରେ କ୍ଷେତ୍ର ଅଧିକାରୀ ଓ କର୍ମଚାରୀଙ୍କୁ ବନ୍ଧୁକ ଦିଆଯାଇନି । ହାତରେ ଖଣ୍ଡେ ଲାଠି ନହେଲେ ପ୍ଲାଷ୍ଟିକ୍ ପାଇପ୍ ଧରି ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛନ୍ତି ।
୨୦୨୩ ମସିହା ବେଳକୁ ଶିମିଳିପାଳରେ ଶିକାରୀଙ୍କ ରାଜ୍ ଚାଲିଥିଲା । ମେ’ ମାସରେ ବନରକ୍ଷୀ ବିମଳ ଜେନା ଓ ଜୁନ୍ ମାସରେ ଶିମିଳିପାଳରେ ଫରେଷ୍ଟର ମାଥି ହାଂସଦାଙ୍କୁ ମାରିଥିଲେ ଶିକାରୀ । ଜୁନ୍ ୨୦ରୁ ଅଣ-ସଂରକ୍ଷିତ ବନ କର୍ମଚାରୀ ସଂଘ ଧାରଣା ଦେଲେ । ବନ୍ଧୁକ ନ ଦେଲେ, ଘଞ୍ଚ ଜଙ୍ଗଲକୁ ଯିବେନି ବୋଲି ଜିଦ୍ରେ ଅଟଳ ରହିଲେ । ୩ ବର୍ଷ ପରେ ବି ମହାବଳଙ୍କ ରାଇଜରେ ସ୍ଥିତି ସେତେଟା ବଦଳିନି ।
ଶିମିଳିପାଳ ପାଇଁ ୧୫ଟି ୫.୫୬ ଏମ୍ଏମ୍ ଇନସାସ ରାଇଫଲ, ୫ଟି ଲେଖାଏ ୯ ଏମ୍ଏମ୍ ଅଟୋ ପିସ୍ତଲ ଓ ୧୨ ଗଜ୍ ପମ୍ପ ଆକ୍ସନ ଗନ (ପିଏଜି) କିଣାଯାଇଛି । ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ (ଏସଟିପିଏଫ୍) ରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ସେତେବେଳେ ଢ଼େର୍ ବନ୍ଧୁକ ଚାଳନା ତାଲିମ୍ ଦିଆଗଲା । କିନ୍ତୁ ୨ ବର୍ଷ ହେଲା, ଫାୟାରିଂ ରେଞ୍ଜ ମାଟି ମାଡ଼ି ନାହାନ୍ତି ଏସ୍ଟିପିଏଫ୍ର ସୁରକ୍ଷାକର୍ମୀ । ନବନିଯୁକ୍ତ କର୍ମଚାରୀଙ୍କ ବନ୍ଧୁକ ଟ୍ରିଗରରେ ଏଯାଏ ଆଙ୍ଗୁଠି ରଖିବା ଶିଖିପାରିଲେନି । ସୁନାବେଡ଼ା, ରାଜନଗର, ପୁରୀ, ଦେବ୍ରିଗଡ଼, ସାତକୋଶିଆ, ଚନ୍ଦକା, ବାଲେଶ୍ୱର, କେନ୍ଦୁଝର ଭଳି ବନଖଣ୍ଡ (ବନ୍ୟପ୍ରାଣୀ)ରେ ମଧ୍ୟ ସମାନ ଅବସ୍ଥା । ଅସ୍ତ୍ରଶସ୍ତ୍ର ତାଲିମ୍ ପାଇଁ ଡିଏଫଓ ଆଗଭର । କିନ୍ତୁ ଜିଲ୍ଲା ପୁଲିସର ଅବହେଳା ଯୋଗୁ ଠିକଣା ସମୟରେ ତାଲିମ୍ ମିଳିପାରୁନି ।
ବନ ବିଭାଗର ଭିତିରି ଖବର ମୁତାବକ, ୨୨ରୁ ଅଧିକ ବନଖଣ୍ଡ (ବନ୍ୟପ୍ରାଣୀ, ଟେରିଟୋରିଆଲ୍)ରେ ବନ୍ଧୁକ କିଣା ପ୍ରକ୍ରିୟା ଅଧାରେ ଆଣ୍ଠେଇଛି । ଅସ୍ତ୍ରଶସ୍ତ୍ର କିଣିବା ବେଳେ ବିଧିବଦ୍ଧ କମିଟି ଗଢ଼ାଯାଇନଥିଲା । ଥରଟିଏ ଟେଣ୍ଡର ବି ଡକାଯାଇନାହିଁ । ବିନା କୌଣସି ମାର୍ଗଦର୍ଶିକାରେ ଡିଏଫଓମାନେ ମନଇଚ୍ଛା ବନ୍ଧୁକ କିଣିଛନ୍ତି । ବନ୍ଧୁକ କିଣାବିକାରେ ମଧ୍ୟ ଢେର୍ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି ।
ପିସିସିଏଫ(ବନ୍ୟପ୍ରାଣୀ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସମସ୍ତ ବନଖଣ୍ଡ ଅଧିକାରୀ ନିଜ ଆବଶ୍ୟକତା ହିସାବରେ ବନ୍ଧୁକ ଅର୍ଡର ଦେଇଥିଲେ । ଅଧିକାଂଶ ଡିଏଫ୍ଓ ସରକାରୀ ଅସ୍ତ୍ରଶସ୍ତ୍ର ହାଉସରୁ ବନ୍ଧୁକ କିଣି ସାରିଲେଣି । କିନ୍ତୁ କ୍ଷେତ୍ର ଅଧିକାରୀମାନେ ଠିକଣା ସମୟରେ ତାଲିମ୍ ପାଉନଥିବା ଅଭିଯୋଗ ହେଉଛି । ତାଲିମ୍ ନେଇ ସ୍ଥାନୀୟ ଜିଲ୍ଲା ପୁଲିସକୁ ଅନେକବାର ଅବଗତ କରାଯାଉଛି । ତଥାପି ତାଲିମ ପାଇଁ ପଛଘୁଞ୍ଚା ଦେଉଛି ପୁଲିସ ପ୍ରଶାସନ ।
ସୌଜନ୍ୟ ପ୍ରମେୟ




