Nandankanan : ନନ୍ଦନକାନନରେ ମହାବଳ ବାଘ ‘ସେଫ୍’ର ମୃତ୍ୟୁ, ସଂଖ୍ୟା ୨୫କୁ ହ୍ରାସ

ବାରଙ୍ଗ, ୨୮/୧୧ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଏକ ଦୁଃଖଦ ଖବର । ପ୍ରାଣୀ ଉଦ୍ୟାନର ୩୧- ଡି ଖୁଆଡ଼ରେ ରହୁଥିବା ସାଧାରଣ ରଙ୍ଗର ଅଣ୍ଡିରା ମହାବଳ ବାଘ “ସେଫ୍’ର ପ୍ରାୟ ୧୬ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେଫ୍ର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୫କୁ ଖସିଆସିଛି ।
ସୂଚନା ଅନୁଯାୟୀ, “ସେଫ୍’ ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲା । ଗତ ସେପ୍ଟେମ୍ବର ୧୮ରୁ ଖାଦ୍ୟ ଗ୍ରହଣ ଧିରେ ଧିରେ କମାଇ ଦେଇଥିଲା । ତା’ଠାରେ ଯକୃତ ସମସ୍ୟା ଦେଖାଦେଇଥିଲା । ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସକଙ୍କ ଟିମ ଏବଂ ଓୟୁଏଟି ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତା’ର ଚିକିତ୍ସା ଚାଲିଥିଲା । ତେବେ ସମସ୍ତ ପ୍ରଚେଷ୍ଟା ସତ୍ତ୍ଵେ ତା’ର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ଶୁକ୍ରବାର ଭୋରୁ ତା’ର ମୃତ୍ୟୁ ଘଟିଛି । “ସେଫ୍’ ୨୦୧୬ ମସିହାରେ ପ୍ରାୟ ୬ ବର୍ଷ ବୟସରେ ହାଇଦ୍ରାବାଦରୁ ନନ୍ଦନକାନନ ଆସିଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ବଂଶ ବୃଦ୍ଧିରେ ସେଫ୍ର ଉଲ୍ଲେଖନୀୟ ଅବଦାନ ଥିଲା । ସେଫ୍ ସହ ୩ଟି ବାଘୁଣୀ ବିଜୟା, ଅଙ୍କିତା ଏବଂ ସ୍ନେହା ସହ ୪ ଥର ମିଳନରେ ୮ଟି ବାଘ ଶାବକ ଜନ୍ମ ହୋଇଥିଲେ । ସେଫ୍ର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୫କୁ ଖସିଆସିଛି । ସେଥିମଧ୍ୟରେ ୧୬ଟି ସାଧାରଣ ରଙ୍ଗର ବାଘ (୯ ଅଣ୍ଡିରା ଓ ୭ ମାଈ), ୫ଟି ଧଳା ବାଘ (୩ ଅଣ୍ଡିରା ଓ ୨ ମାଈ) ଏବଂ ୪ଟି କଳା ରଙ୍ଗର ମେଲାନିଷ୍ଟିକ୍ ବାଘ (୩ ଅଣ୍ଡିରା ଓ ୧ ମାଈ) ଅଛନ୍ତି ।
ସୌଜନ୍ୟ ପ୍ରମେୟ




