ବର୍ଜ୍ୟ ବୋଝ କମାଇବାକୁ ବିଏମ୍ସିର ମାଷ୍ଟରପ୍ଲାନ୍: ସୈନିକ ସ୍କୁଲ ଟିଟିଏସ୍ରୁ ହଟିବ ଆବର୍ଜନା ପାହାଡ଼, ପିପିପି ମୋଡ୍ରେ ଚାଲିବ ପରିଚାଳନା

ଭୁବନେଶ୍ୱର ୨୮/୧୧: ସୈନିକ ସ୍କୁଲ ପାଖ ଟିଟିଏସ୍ ବା ଅସ୍ଥାୟୀ ଡମ୍ପିଂୟାର୍ଡ ପିପିପି ମୋଡ୍ରେ ପରିଚାଳିତ ହେବ । ଏଠାରେ ଟ୍ରମେଲ୍ ଓ ଟେରେକ୍ସ ପରିଚାଳନା ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯିବ । ବିଏମ୍ସି ଓ ଘରୋଇ ସଂସ୍ଥା ମିଳିତ ଭାବେ ଟିଟିଏସ୍ ଚଲାଇବେ । ଏଠାରୁ ବାହାରୁଥିବା ଗୁଡ୍ ଆର୍ଥକୁ କଟକରେ ନିର୍ମାଣଧୀନ ସିବିଜି ପ୍ଲାଣ୍ଟ ପ୍ରକଳ୍ପରେ ବ୍ୟବହାର କରାଯିବ । ଟିଟିଏସ୍କୁ ଆସୁଥିବା ଓଦା ବର୍ଜ୍ୟକୁ ଆଗକୁ ଶୂନକୁ ଖସାଇବାକୁ ବିଏମ୍ସି ବଡ଼ ଯୋଜନା କରିଛି । ବିଏମ୍ସି କମିଶନର ଚଞ୍ଚଲ ରାଣା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଏଫଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଇଟିପି) ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ଏହା ଶିଳ୍ପାଞ୍ଚଳରୁ ନିର୍ଗତ ବର୍ଜ୍ୟପାଣିକୁ ଟ୍ରିଟ୍ମେଣ୍ଟ କରିବ । ମେହେରପାଲିରେ ୩୦୦ ଟିପିଡି କ୍ଷମତା ବିଶିଷ୍ଟ ବାୟୋ ଗ୍ୟାସ୍ ପ୍ଲାଣ୍ଟ ବା ସିବିଜି ପ୍ଲାଣ୍ଟ କାମ ଚାଲିଛି । ପ୍ରକଳ୍ପ କାମକୁ ତ୍ୱରିତ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୱେଷ୍ଟ ଟ୍ରାନ୍ସଫର ଷ୍ଟେସନ ତିଆରି ପାଇଁ ଟେଣ୍ଡର ଡାକିଛୁ । ସିବିଜି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଗଲେ ସୈନିକ ସ୍କୁଲ ଟିଟିଏସ୍କୁ ଓଦା ବର୍ଜ୍ୟ ପରିବହନ ଆପେ ବନ୍ଦ ହୋଇଯିବ । ଫଳରେ ଟିଟିଏସ୍ ଉପରୁ ବର୍ଜ୍ୟର ଚାପ କମିଯିବ । ବର୍ଜ୍ୟକୁ ଶୂନ କରିବାକୁ ମିଶନ ମୋଡ୍ରେ କାମ କରୁଛି ବିଏମ୍ସି ।
ଶୁକ୍ରବାର ବିଏମ୍ସି ଅତିରିକ୍ତ କମିଶନର ରମେଶ ଚନ୍ଦ୍ର ସେଠୀ, ଡେପୁଟି କମିଶନର ଏସ୍ ରାକେଶ କୁମାର ପାତ୍ର ଓ ସହକାରୀ କମିଶନର ଲୋକନାଥ ବେଜ୍ ଟିଟିଏସ୍କୁ ଯାଇ ବର୍ଜ୍ୟ ପରିଚାଳନା ସ୍ଥିତି ତଦାରଖ କରିଥିଲେ । ଗତ କିଛି ଦିନ ହେବ ଟିଟିଏସ୍ରେ ବର୍ଜ୍ୟ ପ୍ରକ୍ରିୟାକରଣ ଧିମା ହୋଇଥିଲା । ଲଗାତର ବର୍ଷା ଯୋଗୁ ବର୍ଜ୍ୟ ପ୍ରକ୍ରିୟାକରଣ ହୋଇ ପାରୁନଥିଲା । ପୁଣି ଟ୍ରମେଲ ଓ ଅନ୍ୟ ଯାନ୍ତ୍ରିକ ସମସ୍ୟା ଯୋଗୁ ଏଭଳି ସ୍ଥିତି ଉପୁଜିଥିଲା । ଏବେ ୮ ଘଣ୍ଟିଆ ସିଫ୍ଟରେ ବର୍ଜ୍ୟ ପ୍ରକ୍ରିୟାକରଣ ଚାଲିଛି । ଏହାକୁ ୧୨ ଘଣ୍ଟାକୁ ବଢ଼ାଯିବ । ୧୨ଘଣ୍ଟା ଯାଏ ଟ୍ରମେଲ ଜରିଆରେ ବର୍ଜ୍ୟ ପ୍ରକ୍ରିୟାକରଣ କରିବାକୁ ନିଷ୍ପତ୍ତି ହୋଇଛି । ଏଠାରେ ଚାଲିଥିବା ସେଡ ନିର୍ମାଣ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିଟିଏସ୍ରୁ ବର୍ଜ୍ୟର ପାହାଡ଼ ସଫା କରିବାକୁ ବିଏମ୍ସି ସ୍ୱତନ୍ତ୍ର ଅଭିଯାନ ଚଳାଇବ ।
ସୌଜନ୍ୟ ପ୍ରମେୟ




