ରାଜ୍ୟ

Cinema Mela Goa: ଗୋଆରେ ସିନେମା ମେଳା, ଗୋଟିଏ ଫ୍ରେମରେ ସମଗ୍ର ବିଶ୍ୱ

ଭୁବନେଶ୍ୱର, ୨୮/୧୧ : ସିନେମା, ସୃଜନ, ସମ୍ପର୍କ ସହ ସମ୍ମେଳନ ତଥା ମହାମେଳନ । ସିନେମା ଫ୍ରେମରେ ବାନ୍ଧି ହୋଇଛି ସମଗ୍ର ବିଶ୍ୱ । ସିନେମା ଓ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଗୋଆରେ ଚାଲିଛି ସିନେମା ମେଳା । ନଭେମ୍ବର ୨୦ରୁ ଆରମ୍ଭ ହୋଇଛି ୯ ଦିନିଆ ସିନେମା ପର୍ବ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୬ । ଯାହା ୨୮ ପର୍ଯ୍ୟନ୍ତ ଚାଲିବ । ସେଥିପାଇଁ ଉତ୍ସବ ମୁଖର ହୋଇଉଠିଛି ଗୋଆର ପାଣାଜୀ ତଥା ବିଭିନ୍ନ ଅଞ୍ଚଳ ।

ମୁଖ୍ୟ କାର୍ଯ୍ୟକ୍ରମସ୍ଥଳ ଜିଏମସିରୁ ନେଇ ବେଳାଭୂମି ପର୍ଯ୍ୟନ୍ତ ସବୁଠି ସିନେମା, ସୃଜନର ସମ୍ଭାର । ସକାଳ ୧୦ରୁ ରାତି ୧୦ ପର୍ଯ୍ୟନ୍ତ କେବଳ ସିନେମା ବିଷୟରେ ଚର୍ଚ୍ଚା । ସିନେପ୍ରେମୀ କେଉଁଠି ସିନେମା ଦେଖୁଛନ୍ତି, ପୁଣି କଳା ଏକାଡେମୀ ଭଳି ସ୍ଥାନରେ କଳାକାର, ନିର୍ମାତାଙ୍କ ସହ ସିନେମାକୁ ନେଇ ଚର୍ଚ୍ଚା, ଆଲୋଚନା କରୁଛନ୍ତି । ଏମିତି ବ୍ୟବସ୍ଥା ହୋଇଛି କେହି କୁଆଡେ ଯାଉ ହିଁ ନାହାନ୍ତି । ସେଠି ଖିଆପିଆ କରି ଦିନ ତମାମ ସିନେମା କଥା ହେଉଛନ୍ତି । ସେଥିପାଇଁ ସବୁ ବ୍ୟବସ୍ଥା ହୋଇଛି । ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ଗୋଆ ସରକାର ବି ରାସ୍ତା, ବେଳାଭୂମି, କାର୍ଯ୍ୟକ୍ରମସ୍ଥଳୀକୁ ସେହିଭଳି ସଜାଇଛନ୍ତି । ପ୍ରତିଦିନ ସଞ୍ଜ ନଇଁଲେ ଲାଗୁଛି ସହର ନୂଆବୋହୂ ବେଶରେ ସଜେଇ ହୋଇ କାହାକୁ ଆପେକ୍ଷା କରିଛି ।

ସେହି ଭିତରେ ପୁଣି ଚିତ୍ରକଳା ପ୍ରଦର୍ଶନୀ, ଏଫଏମ ରେଡିଓ ଆଳାପ, ସେଲ୍‌ଫି ପଏଣ୍ଟ, ଖାଦ୍ୟ ପ୍ରାଙ୍ଗଣ, କାଫେ, ସିନେମା ଭିତ୍ତିକ ବୁକ ଷ୍ଟଲରେ କଳାକାର -ନିର୍ମାତାଙ୍କ ଭେଟଘାଟ, ବିଭିନ୍ନ ସଂଗୀତ ରସିକଙ୍କ ସଂଗୀତ ପରିବେଷଣ, ସିନେମା ଦେଖିବାକୁ ମଲ୍‌ଟିପ୍ଲେକ୍ସ ଆଗରେ ସିନେପ୍ରେମୀଙ୍କ ଲମ୍ବା ଲାଇନ।  ସିନେମା ସ୍କ୍ରିନିଂ ପୂର୍ବରୁ ରେଡ କାର୍ପେଟରେ କଳାକାରଙ୍କୁ ସ୍ୱାଗତ, ସିନେମାକୁ ନେଇ ପ୍ରେସ ମିଟ, ପ୍ରତିଦିନ ଇଫିର ହଳାଚାଲକୁ ନେଇ ପତ୍ରିକା ପ୍ରକାଶ ଭଳି ଅନେକ କାର୍ଯ୍ୟକ୍ରମ ଚାଲିଛି ।

ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କ ପାଇଁ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଷ୍ଟ୍ରିଟ ବ୍ୟାଣ୍ଡ ପ୍ରଦର୍ଶନ ରାସ୍ତା ପାର୍ଶ୍ୱରେ ହୋଇଛି । ବିଭିନ୍ନ ରାଜ୍ୟର କଳାକାର ମଧ୍ୟ ଲୋକକଳା ପରିବେଷଣ କରୁଛନ୍ତି କ୍ଷ ଖାଇବା ଏବଂ କିଣାବିକା ଲାଗି ଅନେକ ପସରା ବି ମେଲିଛି । ଯେହେତୁ ସ୍ଥାନୀୟ ଅଞ୍ଚଳର ୧୦ରୁ ଅଧିକ ସ୍ଥାନରେ ଇଫିର ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି, ସେଥିଲାଗି ସିନେପ୍ରେମୀ ଏବଂ ପରିଦର୍ଶକଙ୍କ ଯାତାୟାତ ପାଇଁ ସ୍ୱତନ୍ତ୍ର ଅଟୋ ଏବଂ ବସ ସୁବିଧା ରହିଛି, ଯାହା ସମ୍ପୂର୍ଣ୍ଣ ମାଗଣା । ଫଳରେ ଉତ୍ସବକୁ ଦେଶ ବିଦେଶରୁ ଆସିଥିବା ସିନେପ୍ରେମୀ, କଳାକାର, ନିର୍ମାତା ଗୋଆରେ ପର୍ଯ୍ୟଟନକୁ ଉପଭୋଗ ସହ ଫେଷ୍ଟିଭାଲ ଓ ସିନେମାର ଅଦ୍ଭୁତ ପ୍ରକାର ମଜା ନେଉଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button