Andhra Election: କୋଟିଆରେ ଆନ୍ଧ୍ରକୁ ଝଟକା, ୪ ଓଡ଼ିଆ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର !

କୋରାପୁଟ,୨୮\୧୧: କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ନେଇ ଦେଖାଦେଇଛି ନୂଆ ମୋଡ଼ । ଓଡ଼ିଶା ପକ୍ଷରୁ ସରପଞ୍ଚ ପଦ ପାଇଁ ଦାଖଲ କରିଥିବା ୪ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ଏହାକୁ ନେଇ ଉତ୍ତେଜନା ବଢ଼ିଛି । ଫାଟୁସିନେରୀ ପ୍ରାର୍ଥୀ ବିଶୁ ପାଙ୍ଗି ଆଣିଛନ୍ତି ସଙ୍ଗିନ୍ ଅଭିଯୋଗ । କହିଛନ୍ତି, ନାମାଙ୍କନ ପ୍ରତ୍ୟାହାର କରିବା ପରେ ତାଙ୍କ ପତ୍ନୀଙ୍କ ସମେତ ୭ ଜଣଙ୍କୁ ଆନ୍ଧ୍ର ପୁଲିସ ସାଲୁର ଥାନାକୁ ନେଇଯାଇଛି ।
ସୂଚନା ଅନୁଯାୟୀ, ଫଗୁଣସିନେରୀରୁ ବାସୁ ଚାଡ଼ାପଲ୍ଲୀ ଓରଫ୍ ବିଶୁ ପାଙ୍ଗି ଓ ତାଙ୍କ ପତ୍ନୀ କୁନେତି ଗିଣ୍ଡେ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ସେହିପରି ଗଞ୍ଜେଇପଦରରୁ ବର୍ସା ଚାଡ଼ାପଲ୍ଲୀ ଓ କାରା ସୁନ୍ଦରୀ ମଧ୍ୟ ପ୍ରାର୍ଥିପତ୍ର ଫେରାଇ ନେଇଛନ୍ତି । ଫଳରେ ଏହି ଦୁଇ ଅଞ୍ଚଳରେ ଓଡ଼ିଶା ପକ୍ଷରୁ ସରପଞ୍ଚ ପଦ ପାଇଁ ଆଉ କେହି ପ୍ରାର୍ଥୀ ନାହାନ୍ତି । ନାମାଙ୍କନ ପ୍ରତ୍ୟାହାର ପରେ ପ୍ରାର୍ଥୀଙ୍କ ସମେତ ୭ ଜଣଙ୍କୁ ସାଲୁର ଥାନାରେ ଅଟକ ରଖାଯାଇଥିବା ଅଭିଯୋଗ ସମ୍ପର୍କରେ କୋରାପୁଟ ଉପଜିଲ୍ଲାପାଳ ଏବଂ ଅନ୍ୟ କେତେକ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ପ୍ରତିକ୍ର୍ରିୟା ନେବାକୁ ଉଦ୍ୟମ କରାଯାଇଥିଲା । ହେଲେ ସେମାନେ ଫୋନ୍ ଉଠାଇନଥିଲେ ।
ଆନ୍ଧ୍ର ପକ୍ଷରୁ କୋଟିଆ ଅଞ୍ଚଳର ୨୧ ବିବାଦୀୟ ଗାଁକୁ ନେଇ ୩ଟି ପଞ୍ଚାୟତ ଗଠନ କରି ନିର୍ବାଚନ କରାଯାଉଛି । ଏଥିପାଇଁ ପୂର୍ବରୁ ୫୮ ନାମାଙ୍କନ ଦାଖଲ ହୋଇଥିଲା । ସେ ଭିତରେ ରହିଥିଲା ୧୨ ସରପଞ୍ଚ ଓ ୪୬ ୱାର୍ଡସଭ୍ୟ ପାଇଁ ନାମାଙ୍କନ । ଆସନ୍ତା ଡିସେମ୍ବର ୨ରେ ଭୋଟ୍ଗ୍ରହଣ କରିବ ଆନ୍ଧ୍ର । ଏଣେ ଓଡ଼ିଶା ପ୍ରଶାସନ ପକ୍ଷରୁ ଡିସେମ୍ବର ୧ ଓ ୨ରେ କୋଟିଆରେ ‘ପରବ’ ଆୟୋଜନ ଲାଗି ପ୍ରସ୍ତୁତି ଚାଲିଛି । ସୀମାନ୍ତ ଅଞ୍ଚଳରେ ପୁଲିସ ପହରା, ଫ୍ଲାଗ୍ମାର୍ଚ୍ଚ ସହ ପ୍ରଶାସନିକ ତଦାରଖକୁ ଜୋରଦାର କରାଯାଇଛି ।
ସୌଜନ୍ୟ ପ୍ରମେୟ




