ରାଜ୍ୟ

Circuit House: ସର୍କିଟ ହାଉସ୍‌ରୁ ବନ୍ଧୁକ ମିଳିବା ଘଟଣା: ରିମାଣ୍ଡ୍‌ରେ ଗଲେ ୩ ଅଭିଯୁକ୍ତ

ରାଉରକେଲା ସର୍କିଟ୍‌ ହାଉସ୍‌ରୁ ୪ଟି ବନ୍ଧୁକ, ୯ଟି ଜୀବନ୍ତ ଗୁଳି ଓ ମ୍ୟାଗାଜିନ୍‌ ଜବତ ଘଟଣାକୁ ୫ ଦିନ ବିତିସାରିଲେ ସୁଦ୍ଧା, ମୁଖ୍ୟ ଅଭିଯୁକ୍ତ କିଏ ଓ କେଉଁ ଉଦ୍ଦେଶ୍ୟରେ ରୁମ୍‌ ବୁକ୍‌ କରିଥିଲେ, ତାହା ଏଯାଏଁ ସ୍ପଷ୍ଟ କରୁନି ପୁଲିସ।

ରାଉରକେଲା: ରାଉରକେଲା ସର୍କିଟ୍‌ ହାଉସ୍‌ରୁ ୪ଟି ବନ୍ଧୁକ, ୯ଟି ଜୀବନ୍ତ ଗୁଳି ଓ ମ୍ୟାଗାଜିନ୍‌ ଜବତ ଘଟଣାକୁ ୫ ଦିନ ବିତିସାରିଲେ ସୁଦ୍ଧା, ମୁଖ୍ୟ ଅଭିଯୁକ୍ତ କିଏ ଓ କେଉଁ ଉଦ୍ଦେଶ୍ୟରେ ରୁମ୍‌ ବୁକ୍‌ କରିଥିଲେ, ତାହା ଏଯାଏଁ ସ୍ପଷ୍ଟ କରୁନି ପୁଲିସ। ସର୍କିଟ୍‌ ହାଉସ୍‌ ଦାୟିତ୍ବରେ ଥିବା ପାନପୋଷ ଉପଜିଲ୍ଲାପାଳଙ୍କ ଭୂମିକା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାରେ ରଘୁନାଥପାଲି ପୁଲିସ ୭ ଜଣ, ବିକାଶ ଡୁଙ୍ଗୁରୀ, ନାରାୟଣ ସାହୁ, ସାଗର ସାହୁ, କରତାର ସିଂହ, ବିକି ଶର୍ମା, ରାଜେଶ ଶ୍ରୀବାସନ୍ତବ ଓ ରାଜେଶ ସାହୁଙ୍କୁ ଗିରଫ କରିଥିଲା। ପୁଲିସ ଆଜି ତିନି ଅଭିଯୁକ୍ତ ବିକାଶ, ସାଗର ଓ ରାଜେଶଙ୍କୁ ୨ ଦିନିଆ ରିମାଣ୍ଡ୍‌ରେ ନେଇଛି। ବନ୍ଧୁକ କାରବାର, ରାଜନୈତିକ ଲିଙ୍କ୍ ବାବଦରେ ଖୋଳତାଡ଼ ଚଳାଇବା ସହିତ କେଉଁ ଉଦ୍ଦେଶ୍ୟରେ ଏବଂ କାହା ଆଶୀର୍ବାଦରେ ଅଭିଯୁକ୍ତମାନେ ସର୍କିଟ୍‌ ହାଉସ୍‌ରେ ୨୦ ଦିନ ଧରି ଆଡ଼ା ଜମାଇଥିଲେ, କେଉଁଠାରୁ ବନ୍ଧୁକ ଆଣିଲେ ଓ କ’ଣ ଅପରାଧ ଯୋଜନା ଥିଲା, ସେନେଇ ଅଧିକ ପଚରାଉଚରା କରୁଛି।

ଯୁବନେତାଙ୍କ ନାଁରେ ରୁମ୍‌ ବୁକ୍‌! 
ପ୍ରଶାସନ ମୁହଁ ଖୋଲୁନି

ଅନ୍ୟପଟେ ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ନାଁରେ ଏହି ସର୍କିଟ ହାଉସର ଦୁଇଟି ରୁମ୍ ବୁକ୍ କରାଯାଇଥିବା ଅଭିଯୋଗ ଉଠିଛି। ଅପରପକ୍ଷରେ ସଂପୃକ୍ତ ଯୁବନେତା କେବଳ ଜୁଲାଇ ଶେଷ ସପ୍ତାହରେ ୨ ଦିନ ପାଇଁ ରୁମ୍‌ ବୁକ୍‌ କରିଥିବା ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ପୁଲିସ ସର୍କିଟ୍‌ ହାଉସ୍‌ର ନଥିପତ୍ର ଓ ସିସିଟିଭି ଫୁଟେଜ୍‌ ଯାଞ୍ଚ ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ଲୋଡ଼ିଛି। ଏଣେ ଯୁବନେତାଙ୍କୁ ସୁରକ୍ଷା ଦେବାକୁ ପ୍ରଶାସନ ଦିନରାତି ଏକ କରିଦେଇଛି। ସର୍କିଟ୍‌ ହାଉସ୍‌ ପରିଚାଳନା ଦାୟିତ୍ବରେ ଅଛନ୍ତି ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ। ସେ କିଭଳି କୁଖ୍ୟାତ ଅପରାଧୀଙ୍କୁ ଏତେଦିନ ଧରି ରୁମ୍‌ ଯୋଗାଇଲେ, ପ୍ରଶ୍ନ ଉଠିଛି। ଅଭିଯୁକ୍ତମାନେ କୁଆଡ଼େ ସର୍କିଟ୍‌ ହାଉସ୍‌ର କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାସତ୍ତ୍ବେ ପ୍ରଶାସନ ପକ୍ଷରୁ ପୁଲିସ୍‌ରେ ଏତଲା ଦିଆଯାଇନି। ଏନେଇ ଉପଜିଲ୍ଲାପାଳ ଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ କହିଲେ, ଘଟଣା ତଦନ୍ତ ପରିସରଭୁକ୍ତ। ସେ କିଛି ପ୍ରତିକ୍ରିୟା ଦେଇପାରିବେନି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button