EV boats: ଓଡ଼ିଶାରେ ଚାଲିବ ଇଭି ବୋଟ୍, ପ୍ରଥମ ପର୍ଯ୍ୟାୟରେ ୫ ସ୍ଥାନରେ ହେବ ବ୍ୟବସ୍ଥା

ଭୁବନେଶ୍ବର ୨୮।୫: ଓଡ଼ିଶାରେ ଚାଲିବ ଇଭି ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ହେବ ବ୍ୟବସ୍ଥା । ପାରମ୍ପରିକ ଓ ଡିଜେଲ ବୋଟ୍ ବଦଳରେ ଚାଲିବ ପରିବେଶ ଅନୁକୂଳ ବୈଦ୍ୟୁତିକ ବୋଟ୍ । କୋଲାବ, ହୀରାକୁଦ, ଭିତରକନିକା ଓ ବରକୁଳ ପାଇଁ ଆହ୍ୱାନ ହେଲା ଟେଣ୍ଡର । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ OTDC ପକ୍ଷରୁ ପ୍ରକ୍ରିୟା ଆରମ୍ଭ, ଖୁବଶୀଘ୍ର ମିଳିବ ସୁବିଧା ।

ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଫର୍ଦ୍ଦ । ଏଣିକି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଚାଲିବ ପରିବେଶ ଅନୁକୂଳ ଇଭି ବୋଟ୍ ବା ବୈଦ୍ୟୁତିକ ଡଙ୍ଗା । ବର୍ତ୍ତମାନର ତେଲ ସଙ୍କଟ ଏବଂ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ସ୍ଥାନରେ ଥିବା ପାରମ୍ପରିକ କିମ୍ବା ଡିଜେଲ୍ ବୋଟ୍‌କୁ ବଦଳାଇ ଇଭି ବୋଟ୍‌ରେ ପରିଣତ କରାଯିବ । ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ OTDC ପକ୍ଷରୁ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି ।

କୋରାପୁଟର କୋଲାବ ପାଇଁ ୩୦ ଆସନ ବିଶିଷ୍ଟ ବୋଟ୍ ଆସିବ । ସମ୍ବଲପୁରର ହୀରାକୁଦ ପାଇଁ ୨ଟି ସ୍ଥାନରେ ଯଥାକ୍ରମେ ୨୦ ଓ ୧୦ ଆସନ ବିଶିଷ୍ଟ ବୋଟ୍ ଚାଲିବ । କେନ୍ଦ୍ରାପଡ଼ାର ଭିତରକନିକା ପାଇଁ ୨୦ ଆସନ ଏବଂ ଖୋର୍ଦ୍ଧା ଚିଲିକାର ବରକୁଳ ପାଇଁ ୮ ଆସନ ବିଶିଷ୍ଟ ବିଳାସପୂର୍ଣ୍ଣ ବୋଟ୍ରେ ବ୍ୟବସ୍ଥା କରାଯାଉଛି । ସବୁଠାରୁ ବଡ଼ କଥା ହେଲା, ପର୍ଯ୍ୟଟକଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବୋଟ୍ ଗୁଡ଼ିକରେ ଇଭି ସହିତ ସୋଲାର ତଥା ସୌରଶକ୍ତି ଏବଂ ସିଏନଜି ବ୍ୟବହାରର ମଧ୍ୟ ସୁବିଧା ରହିବ ।

 

 

 

ସୌଜନ୍ୟ Prameya News7