ରାଜ୍ୟ

Flood: ଉତ୍ତର ଓଡ଼ିଶାକୁ ବନ୍ୟା ଯନ୍ତ୍ରଣା: ୩୮ ବ୍ଲକ୍‌ର ୨୫୨ ପଞ୍ଚାୟତ ପ୍ରଭାବିତ, ଭଦ୍ରକରେ ଭାସିଯାଇ ଯୁବତୀ ମୃତ

Flood: ଉତ୍ତର ଓଡ଼ିଶାକୁ ବନ୍ୟା ଯନ୍ତ୍ରଣା: ୩୮ ବ୍ଲକ୍‌ର ୨୫୨ ପଞ୍ଚାୟତ ପ୍ରଭାବିତ, ଭଦ୍ରକରେ ଭାସିଯାଇ ଯୁବତୀ ମୃତ

ବାଲେଶ୍ବର/ବାରିପଦା/ଭଦ୍ରକ: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀ ଉଛୁଳିଛି। ଫଳରେ ଉତ୍ତର ଓଡ଼ିଶାର ମୋଟ ୩୮ଟି ବ୍ଲକ୍‌ର ୨୫୨ ପଞ୍ଚାୟତ ପ୍ରଭାବିତ ହୋଇଛି। ବାଲେଶ୍ବରରେ ପ୍ରବାହିତ ସୁବର୍ଣ୍ଣ‌ରେଖା, ବୁଢ଼ାବଳଙ୍ଗ, ସୋନ, କାଂଶବାଂଶ ଓ ଜଳକାରେ ବନ୍ୟା ଆସିଛି। ଫଳରେ ଜିଲ୍ଲାର ୧୧ ବ୍ଲକ୍‌ ଅଧୀନ ୧୨୬ ପଞ୍ଚାୟତର ୩ ଲକ୍ଷ ୫୭ ହଜାର ୪୬୬ ଲୋକ ପ୍ରଭାବିତ ‌ହୋଇଥିବା ବେଳେ ୬୭ ହଜାର ୨୬୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଚାଷଜମିରେ ବନ୍ୟାପାଣି ଜମି ରହିଛି। ଆଜି ସକାଳ ୮ଟା ସୁଦ୍ଧା ଜିଲ୍ଲାରେ ହାରାହାରି ୨୧ ମିମି ବର୍ଷା ରେକର୍ଡ ହୋଇଛି। ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦସଙ୍କେତ ୧୦.୩୬ ମିଟର ଥିବା ବେଳେ ସକାଳ ୫ଟା ସୁଦ୍ଧା ନଦୀର ଜଳସ୍ତର ୧୧.୬୮ ମିଟର ରହିଥିଲା। ତେବେ ଅପରାହ୍ଣ ୩ଟା ସୁଦ୍ଧା ଏହା ହ୍ରାସ ପାଇ ୧୧.୫୦ ମିଟରରେ ପହଞ୍ଚିଛି। ସେହିପରି ମଥାନୀଠାରେ ଜଳକାର ବିପଦସଙ୍କେତ ୬.୫୦ ମିଟର ଥିବା ବେଳେ ସକାଳ ୫ଟା ସୁଦ୍ଧା ନଦୀର ଜଳସ୍ତର ୬.୬୪ ମିଟର ରହିଥିଲା। ଯାହା ଅପରାହ୍ଣ ୩ଟା ସୁଦ୍ଧା ବୃଦ୍ଧି ପାଇ ୬.୬୬ ମିଟରରେ ପହଞ୍ଚିଛି। ଅନ୍ୟପଟେ ଏନ୍‌ଏଚ୍‌-୫ଠାରେ ବୁଢ଼ାବଳଙ୍ଗର ବିପଦସଙ୍କେତ ୮.୧୩ ମିଟର ଥିବା ବେ‌ଳେ ସକାଳ ୫ଟା ସୁଦ୍ଧା ନଦୀର ଜଳସ୍ତର ୮.୧୬ ମିଟର ରହିଥିଲା। ତେବେ ଅପରାହ୍ଣ ୩ଟା ସୁଦ୍ଧା ଜଳସ୍ତର ବିପଦସଙ୍କେତ ତଳକୁ ଖସି ୭.୬୦ ମିଟରରେ ପ୍ରବାହିତ ହେଉଛି। ସେହିପରି କାଂଶବାଂଶର ଜଳସ୍ତର ଖସୁଥିଲେ ମଧ୍ୟ ବିପଦସଙ୍କେତ ଉପରେ ଥିବା ଜଣାପଡ଼ିଛି।
ମୟୂରଭଞ୍ଜରେ ବୁଢ଼ାବଳଙ୍ଗ ସହ ଅନ୍ୟ ଛୋଟ ନଦୀଗୁଡ଼ିକରେ ବନ୍ୟା ଆସିଛି। ଯାହାଦ୍ବାରା ଜିଲ୍ଲାର ୨୦ ବ୍ଲକ୍‌ ଅଧୀନ ୫୨ ପଞ୍ଚାୟତ, ଗୋଟିଏ ପୌରପାଳିକା ଓ ଗୋଟିଏ ଏନ୍‌ଏସି ପ୍ରଭାବିତ ହୋଇଛି। ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୮ ହଜାର ୫୦୧ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଜିଲ୍ଲାର ୧ ହଜାର ୬ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ତେବେ ବର୍ଷା ପରିମାଣ କମିଥିବା ବେଳେ ବୁଢ଼ାବଳଙ୍ଗ ସହ ଅନ୍ୟ ନଦୀଗୁଡ଼ିକର ଜଳସ୍ତର ମଧ୍ୟ କମିବାରେ ଲାଗିଛି।

ବିପଦସଂକେତ ଉପରେ ସୁବର୍ଣ୍ଣରେଖା, ଜଳକା, ବୈତରଣୀ, ସାଳନ୍ଦୀ
୩୮ ବ୍ଲକ୍‌ର ୨୫୨ ପଞ୍ଚାୟତ ପ୍ରଭାବିତ
ଭଦ୍ରକରେ ଭାସିଯାଇ ଯୁବତୀ ମୃତ
ପାଣି କମୁଛି, ଲୋକଙ୍କ ଦୁର୍ଦ୍ଦଶା କମୁନି

ଭଦ୍ରକ ଦେଇ ପ୍ରବାହିତ ବୈତରଣୀ, ସାଳନ୍ଦୀ, ନାଳିଆ, ରେବ-କପାଳି ଆଦିରେ ବନ୍ୟା ଆସିଛି। ଫଳରେ ଜିଲ୍ଲାର ୭ ବ୍ଲକ୍‌ ଅଧୀନ ୭୪ ପଞ୍ଚାୟତ ତଥା ୧୯୧ ଗାଁର ପାଖାପାଖି ଅଢ଼େଇ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ ୫୨,୮୫୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ହେକ୍ଟର ହେକ୍ଟର ଚାଷଜମି ବନ୍ୟାପାଣିରେ ବୁଡ଼ି ରହିଛି। ଅନ୍ୟପଟେ ଶୌଚ ‌ହେବା ପାଇଁ ଗେଙ୍ଗୁଟିକୁ ଯାଇଥିବା ଧାମନଗର ବ୍ଲକ୍‌ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗୀର ଭୋଇସାହିର କ୍ରିଷ୍ଣାରାଣୀ ଜେନା (୨୦) ବନ୍ୟାଜଳରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ବୈତରଣୀର ଜଳସ୍ତର ସାମାନ୍ୟ କମିଛି। ଆଖୁଆପଦାଠାରେ ନଦୀର ଜଳସ୍ତର ବିପଦସଙ୍କେତ ୧୭.୮୩ ମିଟର ଥିବା ବେଳେ ସନ୍ଧ୍ୟା ସୁଦ୍ଧା ୧୮.୧୩ ମିଟରରେ ପ୍ରବାହିତ ହେଉଛି। ସେହିପରି ରାଜଘାଟଠାରେ ସାଳନ୍ଦୀର ବିପଦସଙ୍କେତ ୧୭ ଫୁଟ ଥିବା ବେଳେ ଜଳସ୍ତର ୧୯.୫୦ ଫୁଟରେ ପ୍ରବାହିତ ହେଉଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ଉଦ୍ଧାର ସହ ରିଲିଫ୍‌ ପ୍ରଦାନ କରାଯାଉଛି। ତେବେ ଶୀଘ୍ର କ୍ଷୟକ୍ଷତିର ଆକଳନ ସହ ପ୍ରଭାବିତଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button