Hirakud Dam to Become Water Heritage ହୀରାକୁଦ ହେବ ଜଳ ଐତିହ୍ୟ ଓ ପର୍ଯ୍ୟଟନର ଆକର୍ଷଣୀୟ କେନ୍ଦ୍ର, ୧୦୦ କୋଟି ଟଙ୍କା ମଞ୍ଜୁର
ହୀରାକୁଦ ବନ୍ଧକୁ ଆକର୍ଷଣୀୟ ଜଳ ଐତିହ୍ୟ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ୯୯.୯୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଠାରେ ସଂଗ୍ରହାଳୟ, ୱାଟର ସିମ୍ଫୋନି, ଲାଇଟ୍ ଓ ଲେଜର୍ ଶୋ ସହ ଆଧୁନିକ ପର୍ଯ୍ୟଟକ ସୁବିଧା ରହିବ।

ଭୁବନେଶ୍ୱର: ଓଡ଼ିଶାର ଐତିହାସିକ ହୀରାକୁଦ ବନ୍ଧକୁ ଏକ ଆକର୍ଷଣୀୟ ଜଳ ଐତିହ୍ୟ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ ହେବ। ଏଥିପାଇଁ ରାଜ୍ୟ ସରକାର ୯୯.୯୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ପୁଞ୍ଜି ନିବେଶ ପାଇଁ ସ୍ୱତନ୍ତ୍ର ସହାୟତା (SASCI) ଯୋଜନା ଅଧୀନରେ ଜଳ ସମ୍ପଦ ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି ପ୍ରକଳ୍ପ ଅନୁଦିତ ହୋଇଥିବାବେଳେ ଜଳ ସମ୍ପଦ ବିଭାଗ ଅଧୀନ ଓଡ଼ିଶା ନିର୍ମାଣ ନିଗମ (ଓସିସିଏଲ୍) ଏହାର ନିର୍ମାଣ ଦାୟିତ୍ବ ନେଇଛି।
ସରକାରଙ୍କ ପକ୍ଷରୁ ଆଜି (ଗୁରୁବାର) ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ଏହି ପ୍ରକଳ୍ପର ପ୍ରମୁଖ ଆକର୍ଷଣ ହେବ ହୀରାକୁଦ ଡ୍ୟାମ୍ ସଂଗ୍ରହାଳୟ। ଏଠାରେ ହୀରାକୁଦ ବନ୍ଧର ନିର୍ମାଣ ଇତିହାସ, ଯାନ୍ତ୍ରିକ ଦକ୍ଷତା ଏବଂ ରାଜ୍ୟର ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳବିଦ୍ୟୁତ୍ ଉତ୍ପାଦନ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏହାର ଅବଦାନକୁ ପ୍ରଦର୍ଶିତ କରାଯିବ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏକ ଆଧୁନିକ ଆଗମନ ପ୍ଲାଜା ନିର୍ମାଣ କରାଯାଉଛି। ଏଥିରେ ସପିଂ କମ୍ପ୍ଲେକ୍ସ, ଫୁଡ୍ କୋର୍ଟ, ପାର୍କିଂ ବ୍ୟବସ୍ଥା, ଆଧୁନିକ ଶୌଚାଳୟ ଓ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସବୁଜିମାର ବ୍ୟବସ୍ଥା ରହିବ।
ଏହି ପ୍ରକଳ୍ପର ଅନ୍ୟତମ ପ୍ରମୁଖ ଆକର୍ଷଣ ହେବ ୱାଟର ସିମ୍ଫୋନି, ଲାଇଟ୍ ଓ ଲେଜର୍ ଶୋ ଏବଂ ପ୍ରୋଜେକ୍ସନ୍ ମ୍ୟାପିଂ। ଜଳ, ଆଲୋକ, ସଙ୍ଗୀତ ଓ ଚିତ୍ରାବଳୀର ସମନ୍ୱୟରେ ହୀରାକୁଦର ଐତିହାସିକ ଓ ଯାନ୍ତ୍ରିକ ଗୌରବକୁ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶନ କରାଯିବ।
ସୌଜନ୍ୟ ସମ୍ବାଦ




