Inner Ratna Bhandar Inventory Resumes ୩ଘଣ୍ଟା ଧରି ଚାଲିଲା ଭିତର ରତ୍ନଭଣ୍ଡାର ଗଣତି, ଶୁକ୍ରବାର ପୁଣି ଗଣତି
ଦୀର୍ଘ ୪ ମାସ ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ପୁଣି ଆରମ୍ଭ ହୋଇ ୩ ଘଣ୍ଟା ୧୦ ମିନିଟ୍ ଚାଲିଥିଲା। ଶୁକ୍ରବାର ସକାଳ ଧୂପ ପରେ ପୁଣି ଗଣତି ହେବ।

ଭୁବନେଶ୍ବର/ ପୁରୀ: ବିଭିନ୍ନ କାରଣକୁ ନେଇ ପ୍ରାୟ ୪ ମାସ ଧରି ଅଟକି ରହିଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା ପୁଣି ଆଜି (ଗୁରୁବାର) ଠାରୁ ଆରମ୍ଭ ହୋଇଛି। ଆଜି ପ୍ରାୟ ୩ ଘଣ୍ଟା ଧରି ଭିତର ରତ୍ନ ଭଣ୍ଡାର ଗଣତି ଚାଲିଥିବା ବେଳେ ଆସନ୍ତା କାଲି (ଶୁକ୍ରବାର) ପୁଣିଥରେ ଏହି ପ୍ରକ୍ରିୟା ହେବ।
ଅପରାହ୍ଣରେ ଶ୍ରୀପାଢ଼ୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଚଳନ୍ତି ଭଣ୍ଡାର, ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାରରେ ୧୭ ଦିନରେ ୯୩ଘଣ୍ଟା ୫୧ ମିନିଟ ଧରି ଗଣତି ହୋଇଛି। ଆଜିର ଗଣତି ଦୀର୍ଘ ୩ ଘଣ୍ଟା ୧୦ ମିନିଟ୍ ଧରି ହୋଇଥିଲା। ଗଣତି ସରିବା ପରେ ଚାବି ଟ୍ରେଜେରିରେ ରଖାଯାଇଛି। ଆସନ୍ତାକାଲି ସକାଳ ଧୂପ ନୀତି ସମାପନ ପରେ ପୁନର୍ବାର ଏହି କାର୍ଯ୍ୟ ଆରମ୍ଭ ହେବ। ଚାବି ଟ୍ରେଜେରିରୁ ଆଣିବାର ପରେ ଭଣ୍ଡାର ଖୋଲାଯିବ। ଗଣତି କାମ ଚାଲିଥିବାରୁ ଭକ୍ତମାନଙ୍କୁ ଭିତରକାଠ ଦର୍ଶନରୁ ବଞ୍ଚିତ କରାଯାଇଛି। ଭକ୍ତମାନେ କେବଳ ବାହାରକାଠ ନିକଟରୁ ଦର୍ଶନ କରିଛନ୍ତି।
ପୂର୍ବରୁ ତିନିଟି ପୁରୁଣା ସିନ୍ଦିୁକରେ ରତ୍ନ ରହିଛି। ଏହି ସିନ୍ଦୁକ ଯେତେବେଳେ ଗଣତି ହେବ, ସେତେବେଳେ ପୁରୁଣା ସିନ୍ଦୁକ ବଦଳାଯାଇ ନୂଆ ସିନ୍ଦୁକରେ ରଖାଯିବ। ଏଥିପାଇଁ ତିନିଟି ନୂଆ ସିନ୍ଦୁକ ପ୍ରସ୍ତୁତ ହୋଇ ସାରିଛି। କେତେକ ଅଳଙ୍କାରରେ ଏକାଧିକ ରତ୍ନ ଖଚିତ ହୋଇଥିବାରୁ ଏହାକୁ ଚିହ୍ନଟ, ଓଜନ, ୩ଡି ମ୍ୟାପିଂ କରିବାରେ ସମୟ ଲାଗୁଛି। ଭିତର ଭଣ୍ଡାାରରେ କେବଳ ଗଣତି ହୁଏ, ମଣତି ହୁଏନାହିଁ। ସମଗ୍ର ପ୍ରକ୍ରିୟା କେବେ ସରିବ ତାହା ଏବେ ଠୁଁ କହିହେବନି।
ସୌଜନ୍ୟ ସମ୍ବାଦ




