ବାଣିଜ୍ୟ

Indian Stock Market: ପ୍ରଥମେ ତାଇୱାନ ଆଉ ଏବେ ଦକ୍ଷିଣ କୋରିଆ ବି ଭାରତକୁ ଟପିଗଲା, ପଞ୍ଚମରୁ ସିଧା ସପ୍ତମକୁ ଖସିଲା ଭାରତ

ନୂଆଦିଲ୍ଲୀ: ଛୋଟ ଛୋଟ ଦେଶ ଠାରୁ ପଛରେ ପଡ଼ିଯାଉଛି ଭାରତ ଭଳି ବିଶାଳ ଦେଶ। ଏଇ କିଛିଦିନ ତଳେ ଷ୍ଟକ୍ ମାର୍କେଟ୍ ରେସ୍ରେ ତାଇୱାନ ଭଳି ଏକ ଛୋଟ ଦ୍ୱୀପ ଦେଶ ଭାରତର ଷ୍ଟକ୍ ମାର୍କେଟ୍କୁ ପଛରେ ପକାଇ ଦେଇଥିଲା। ଆଉ ଏବେ ଦକ୍ଷିଣ କୋରିଆ ବି ଭାରତ ଠାରୁ ଆଗେଇ ଯାଇଛି। ଆଉ ଏସବୁ ଖେଳ ଏଆଇ ବଢ଼ୁଥିବା ଡିମାଣ୍ଡର।

ତାଇୱାନ ଓ ଦକ୍ଷିଣ କୋରିଆ ଭଳି ରାଷ୍ଟ୍ର ସମୟର ଆବଶ୍ୟକତା ଦେଖି ପଦକ୍ଷେପ ନେଇ ଆଗେଇ ଯାଉଥିବା ବେଳେ ଭାରତ ପଛରେ ପଡିଯାଉଛି। ବର୍ତ୍ତମାନ ସମୟରେ ଏଆଇର ବର୍ଦ୍ଧିତ ଚାହିଦା ଯୋଗୁ ଚିପ୍ ତିଆରି କରୁଥିବା ବଡ଼ ବଡ଼ କମ୍ପାନୀର ଶେୟାର ଅହେତୁକ ବୃଦ୍ଧି ହେଉଛି, ଯାହା ଏହି ଦେଶଗୁଡ଼ିକର ଷ୍ଟକ୍ ମାର୍କେଟ୍କୁ ବଳ ଦେଉଛି।

Also Read- କାହିଁକି ଭାରତରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ, କିପରି ସମ୍ଭବ ହେବ ୮% ଅଭିବୃଦ୍ଧି; ସରକାରଙ୍କୁ କ’ଣ ପରାମର୍ଶ ଦେଲେ ସୁରଜିତ୍ ଭଲ୍ଲା

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆର ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ମୂଲ୍ୟ ଚଳିତ ବର୍ଷ ୮୬% ବୃଦ୍ଧି ପାଇ ୫ ଟ୍ରିଲିୟନ ଡଲାର (ପ୍ରାୟ ₹୪୭୫ ଲକ୍ଷ କୋଟି)ରେ ପହଞ୍ଚିଛି। ଏହି ସମୟରେ, ଭାରତୀୟ ଷ୍ଟକ୍ ବଜାରର ମାର୍କେଟ୍ ପ୍ରାଇସ ହ୍ରାସ ପାଇ ୪.୮ ଟ୍ରିଲିୟନ ଡଲାର (ପ୍ରାୟ ₹୪୫୬ ଲକ୍ଷ କୋଟି ଟଙ୍କାରେ) ପହଞ୍ଚିଛି।

ଦୁଇଟି କମ୍ପାନୀ ଭାଗ ସର୍ବାଧିକ

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ଦେଶର ଷ୍ଟକ୍ ବଜାର ରାଲି ପଛରେ ଟେକ୍ନୋଲୋଜୀ ଜାଏଣ୍ଟ ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ଏବଂ ଏସକେ ହାଇନିକ୍ସ ପ୍ରମୁଖ ଶକ୍ତି ପାଲଟିଛନ୍ତି। ଏଆଇ ସିଷ୍ଟମ ଏବଂ ଡାଟା ସେଣ୍ଟରରେ ବ୍ୟବହୃତ ମେମୋରୀ ଚିପ୍ସର ପ୍ରମୁଖ ଯୋଗାଣକାରୀ ଏହି ଦୁଇଟି କମ୍ପାନୀ ସମ୍ପ୍ରତି ୧ ଟ୍ରିଲିୟନ ଡଲାର ମାର୍କେଟ-କ୍ୟାପ୍ କ୍ଲବରେ ସାମିଲ ହୋଇଛନ୍ତି। ଏହି ଦୁଇ କମ୍ପାନୀର ତୀବ୍ର ଅଭିବୃଦ୍ଧି ଦକ୍ଷିଣ କୋରିଆର ବେଞ୍ଚମାର୍କ କୋସ୍ପି ସୂଚକାଙ୍କକୁ ରେକର୍ଡ ସ୍ତରକୁ ଉଠାଇ ନେଇଛି। ଫଳରେ ଦେଶ ପ୍ରତି ନିବେଶକଙ୍କ ବିଶ୍ୱାସ ବଢିଛି। ତେବେ କେବଳ ଏଆଇ ଗତି ନୁହେଁ, ଘରୋଇ ଆର୍ଥିକ ସଂସ୍କାର ମଧ୍ୟ ଦକ୍ଷିଣ କୋରିଆର ଷ୍ଟକ୍ ବଜାରକୁ ବଢ଼ାଇବେର ସହଯୋଗ କରିଛି ବୋଲି ବ୍ଲୁମବର୍ଗ ରିପୋର୍ଟ କରିଛି।

ରାଷ୍ଟ୍ରପତି ଲି ଜାଏ ମ୍ୟୁଙ୍ଗଙ୍କ କର୍ପୋରେଟ୍ ଶାସନ ସଂସ୍କାର ପାଇଁ ପ୍ରୟାସ ଏଆଇ ନିବେଶ ବୃଦ୍ଧି ସହିତ ସମନ୍ୱିତ ହୋଇଛି, ଯାହା ନିବେଶକମାନଙ୍କ ପାଇଁ ଏକ ଆକର୍ଷଣୀୟ ବଜାର ସୃଷ୍ଟି କରିଛି। ତଥାପି, କିଛି ବଜାର ବିଶେଷଜ୍ଞ ଚେତାବନୀ ଦେଇ କହିଛନ୍ତି ଯେ ଦକ୍ଷିଣ କୋରିଆର ବୃଦ୍ଧି କିଛି ମୁଷ୍ଟିମେୟ ଟେକ୍ନୋଲୋଜୀ କମ୍ପାନୀ ଉପରେ ବହୁଳ ଭାବରେ ନିର୍ଭରଶୀଳ। ଆସେଟ୍ ଭ୍ୟାଲୁ ଇନଭେଷ୍ଟର୍ସର ବରିଷ୍ଠ ନିବେଶ ବିଶ୍ଳେଷକ ରସ୍ ମ୍ୟାକଗାରି ବ୍ଲୁମବର୍ଗକୁ କହିଛନ୍ତି ଯେ ସାମସଙ୍ଗ ଏବଂ ଏସକେ ହାଇନିକ୍ସ ଭାଗ ଅଧିକ ରହିଛି। ତେବେ ଚଳିତ ବର୍ଷ ଚିପ ସାଇକଲେ ଯୋଗୁ ଏହି ପରିବର୍ତ୍ତନ ହୋଇଛି।
ହେଲେ ପ୍ରକୃତରେ ଦକ୍ଷିଣ କୋରିଆ ବଜାରର ଦୀର୍ଘକାଳୀନ ସଫଳତା, ଦେଶର ପ୍ରକୃତ କର୍ପୋରେଟ୍ ପ୍ରଶାସନ ସଂସ୍କାର ଜାରି ରଖିବା, ଏବଂ କିଛି ବଡ଼ ଟେକ୍ନୋଲୋଜୀ କମ୍ପାନୀ ବ୍ୟତୀତ ନିବେଶକଙ୍କ ବିଶ୍ୱାସକୁ ବିସ୍ତାର କରିପାରିବା ଉପରେ ନିର୍ଭର କରେ ବୋଲି ମ୍ୟାକଗାରି କହିଛନ୍ତି।

ଭାରତୀୟ ବଜାରକୁ ପଛରେ ପକାଇବାର ୩ ମୁଖ୍ୟ କାରଣ

୧. ଟଙ୍କାର ଦୁର୍ବଳତା: ଡଲାର ତୁଳନାରେ ଭାରତୀୟ ଟଙ୍କାର ନିରନ୍ତର ହ୍ରାସ ଯୋଗୁ ଡଲାର କ୍ଷେତ୍ରରେ ସାମଗ୍ରିକ ମୂଲ୍ୟାଙ୍କନ(Overall Valuation)ରେ ହ୍ରାସ ଘଟିଛି।
୨. ବିଦେଶୀ ନିବେଶକଙ୍କ ରେକର୍ଡ ଶେୟାର ବିକ୍ରି: ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ଭାରତୀୟ ବଜାରରୁ ରେକର୍ଡ ସ୍ତରରେ ପାଣ୍ଠି ପ୍ରତ୍ୟାହାର କରିଛନ୍ତି।
୩. AI କମ୍ପାନୀର ଅଭାବ:ଭାରତୀୟ ଷ୍ଟକ୍ ବଜାରରେ ବିଶ୍ୱ ଏଆଇ ଭିତ୍ତିଭୂମି କିମ୍ବା ଚିପ୍ ନିର୍ମାଣରେ ସିଧାସଳଖ ଜଡିତ ବଡ଼ କମ୍ପାନୀର ଅଭାବ ରହିଛି।

ଅର୍ଥନୀତି ମାମଲାରେ ଭାରତ ଏବେ ବି ଦକ୍ଷିଣ କୋରିଆ ଠାରୁ ଦୁଇଗଣ ବଡ଼

ଯଦିଓ ଦକ୍ଷିଣ କୋରିଆ ଷ୍ଟକ୍ ମାର୍କେଟ ମୂଲ୍ୟାୟନ (ମାର୍କେଟ୍ କ୍ୟାପ୍) ଦୃଷ୍ଟିରୁ ଭାରତକୁ ପଛରେ ପକାଇ ଦେଇଛି, ତଥାପି ଦେଶର ଅର୍ଥନୀତିର ଆକାର (GDP) ଦୃଷ୍ଟିରୁ ଭାରତ ଦକ୍ଷିଣ କୋରିଆଠାରୁ ବହୁତ ଆଗରେ ଅଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଆକଳନ ଅନୁଯାୟୀ, ଭାରତର ଅର୍ଥନୀତି $୪.୧୫ ଟ୍ରିଲିୟନ ଡଲାର ରହିଛି। ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରୁ ଗୋଟିଏ ଭାବେ ଉଭା ହୋଇଛି। ଅପରପକ୍ଷରେ ଦକ୍ଷିଣ କୋରିଆର ଜିଡିପି ମାତ୍ର $୧.୯୩ ଟ୍ରିଲିୟନ ଡଲାର, ଯାହା ଭାରତର ଅଧାରୁ ବି କମ୍।

ମାର୍କେଟ୍ କ୍ୟାପ୍ କ’ଣ ?

କୌଣସି ଦେଶର ଷ୍ଟକ୍ ବଜାରର “ବଜାର ପୁଞ୍ଜି” ସମସ୍ତ ତାଲିକାଭୁକ୍ତ କମ୍ପାନୀର ସେୟାରର ମୋଟ ମୂଲ୍ୟକୁ ବୁଝାଏ। ଯଦି କୌଣସି ଦେଶର ବଜାର ପୁଞ୍ଜି ବଢ଼ୁଛି, ତେବେ ଏହା ସୂଚିତ କରେ ଯେ ଏହାର କମ୍ପାନୀଗୁଡ଼ିକ ପ୍ରତି ନିବେଶକମାନଙ୍କର ବିଶ୍ୱାସ ବଢ଼ୁଛି। ଏହା ସିଧାସଳଖ ଦେଶର ଅର୍ଥନୀତିକୁ ମଧ୍ୟ ରୂପ ଦେଇଥାଏ।

 

 

 

ସୌଜନ୍ୟ Prameya News7

Show More
Back to top button