NEET paper leak: ନିଟ୍ ଆନ୍ଦୋଳନ ପରେ ସିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ
ନିଟ୍ ପ୍ରଶ୍ନପତ୍ର ଲିକ୍ ବିରୋଧୀ ଆନ୍ଦୋଳନ ଶେଷ ହେବା ପରେ ମଧ୍ୟ ବିବାଦ ଥମିନାହିଁ। ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ ସହ ଜଡ଼ିତ କିଛି ପ୍ରଦର୍ଶନକାରୀଙ୍କୁ ଆକ୍ରମଣ, ଧମକ ଓ ସୋସିଆଲ ମିଡିଆରେ ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରାଯାଉଥିବା ଅଭିଯୋଗ ଆସିଛି।

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ବିରୋଧୀ ଆନ୍ଦୋଳନ ଶେଷ ହେବା ପରେ ମଧ୍ୟ ବିବାଦ ଥମିନାହିଁ। ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ ସହ ଜଡ଼ିତ କିଛି ପ୍ରଦର୍ଶନକାରୀଙ୍କୁ ଆକ୍ରମଣ, ଧମକ ଓ ସୋସିଆଲ ମିଡିଆରେ ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରାଯାଉଥିବା ଅଭିଯୋଗ ଆସିଛି। ସିଜେପି (କକ୍ରୋଚ୍ ଜନତା ପାର୍ଟି) ପକ୍ଷରୁ ଏହାକୁ ନେଇ ଚିନ୍ତା ପ୍ରକାଶ କରାଯିବା ସହ ସରକାରଙ୍କୁ ସତର୍କ କରାଯାଇଛି। ଏପରି ହେଲେ ପୁଣି ଆନ୍ଦୋଳନ ହେବ ବୋଲି ସିଜେପି ଧମକ ଦେଇଛି।
ସିଜେପି ନେତୃତ୍ବ କହିଛି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ର ଓ ଯୁବକମାନଙ୍କୁ ଟାର୍ଗେଟ୍ କରାଯାଉଛି। ବିଜେପି ସମର୍ଥକ ସୋସିଆଲ ମିଡିଆରେ ଆନ୍ଦୋଳନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଅନେକ ଭିଡିଓ ଛାଡ଼ିଛନ୍ତି। ଆନ୍ଦୋଳନ ସମୟରେ କିଛି ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଓ ସୁରକ୍ଷା ବଳଙ୍କ ବିରୋଧରେ ଆପତ୍ତିଜନକ ଓ ଅଭଦ୍ର ଟିପ୍ପଣୀ ଥିବା ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ସରକାରଙ୍କ ସମର୍ଥକମାନେ ଏହି ଭିଡିଓକୁ ବିରୋଧ କରି ଆନ୍ଦୋଳନକାରୀ ନିଜ ମର୍ଯ୍ୟାଦା ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ସିଜେପିର କହିବା କଥା ଏହି ଭିଡ଼ିଓଗୁଡ଼ିକ ପୂରା ଆନ୍ଦୋଳନର ପ୍ରତିନିଧିତ୍ବ କରୁନାହାନ୍ତି। କିଛି ଅସାମାଜିକ ତତ୍ତ୍ବଙ୍କ କାର୍ଯ୍ୟକୁ ନେଇ ପୂରା ଆନ୍ଦୋଳନକୁ ବଦନାମ କରିବା ଉଚିତ ନୁହେଁ।
ଆନ୍ଦୋଳନ ପରେ ସିଜେପି କର୍ମୀଙ୍କ ପରିଚୟ ଉଜାଗର କରାଯିବା ସହ ସେମାନଙ୍କୁ ଟାର୍ଗେଟ୍ କରାଯାଉଥିବା ସଂଗଠନ ଅଭିଯୋଗ କରିଛି। ଏକ ଭିଡିଓରେ, କନଟ୍ ପ୍ଲେସ୍ରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରାଯାଉଛି। ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ କିଛି ଲୋକ ଜଣେ ଯୁବକଙ୍କୁ ଘେରି ମାଡ଼ ମାରୁଛନ୍ତି। ପରେ ସେ ମୁଣ୍ଡରେ ଆଘାତ ପାଇ ଅଟୋରେ ବସିଥିବାର ନଜର ଆସିଥିଲେ। ଆନ୍ଦୋଳନକାରୀମାନଙ୍କୁ ପ୍ରଶ୍ନ କରାଯାଇଛି, ସେମାନେ ଭାରତକୁ ନେପାଳ କରିଦେବେ କି? ଭାରତବାସୀ ଏହା ହେବାକୁ ଦେବେ ନାହିଁ। ସିଜେପି କହିଛି ଯେ, ଛାତ୍ରମାନଙ୍କ ବିରୋଧରେ କୌଣସି ପ୍ରକାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ। ଆନ୍ଦୋଳନକାରୀଙ୍କୁ ସରକାର ଯେଉଁ ଆଶ୍ବାସନା ଦେଇଛନ୍ତି, ତାହା ପୂରଣ ହେବା ଦରକାର ବୋଲି ସଂଗଠନ କହିଛି।
ସୌଜନ୍ୟ ସମ୍ବାଦ




