Pitabas Panda death anniversary: ପୀତବାସ ପଣ୍ଡା ହତ୍ୟାକୁ ବର୍ଷେ, ଜାମିନ୍ରେ ଦୁଇଜଣ, ଜେଲ୍ରେ ୧୪ ଅଭିଯୁକ୍ତ

ବ୍ରହ୍ମପୁର,୦୬/୧୦: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ ବର୍ଷେ ପୂରିଛି । ଦୁଇଜଣ ଅଭିଯୁକ୍ତ ଜାମିନ ପାଇସାରିଥିବାବେଳେ ଅନ୍ୟ ୧୪ଜଣ ଏବେ ବି ଜେଲ୍ରେ ଅଛନ୍ତି । ଏହି ହାଇପ୍ରୋଫାଇଲ୍ ହତ୍ୟାକୁ ନେଇ ରାଜନୈତିକ ବିବାଦ ବି ମୁଣ୍ଡ ଟେକିଛି । ଏହି ଘଟଣାରେ ଗଣମାଧ୍ୟମରେ ବିବାଦୀୟ ବାଇଟ୍ ଦେଇ କୋର୍ଟରେ କ୍ଷମା ମାଗିଛନ୍ତି ତତ୍କାଳୀନ ଏସ୍ପି । ସେପଟେ ବିକ୍ରମ ପଣ୍ଡାଙ୍କ ଗିରଫଦାରୀକୁ ନେଇ ମଧ୍ୟ ପୁଲିସ ଅପଦସ୍ତ ହୋଇଛି । ଗିରଫ କଲାବେଳେ ତଦନ୍ତକାରୀ ପୁଲିସ ଅଧିକାରୀ ସୁପ୍ରିମ୍କୋର୍ଟଙ୍କ ଆଦେଶର ଅନୁସରଣ କରିନଥିବା ଦର୍ଶାଇ ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଏପଟେ ପୀତବାସଙ୍କ ବନ୍ଧୁ, ପରିବାର ତାଙ୍କୁ ମନେପକାଇ ଲୁହ ଗଡ଼ାଉଛନ୍ତି ।
୨୦୨୫ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା । ରାତି ୧୦ଟାରେ ପୀତବାସ ପଣ୍ଡା ଏସ୍ଏନ୍ଟି ରୋଡ଼ରେ ଥିବା ତାଙ୍କ ଅଫିସରୁ ଫେରୁଥିଲେ । ବୈକୁଣ୍ଠ ନଗର ଛକ ବୁଲାଣିରେ ତାଙ୍କ ଘରଠୁ ମାତ୍ର ଶହେ ମିଟର ଦୂରରେ ଦୁଇଜଣ ଦୁର୍ବୃତ୍ତ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ । ସେହି ରାତିରେ ହିଁ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ଜିଲ୍ଲାର ବହୁ ବିଧାୟକ ଓ ବିଜେପି ନେତା ରାତିରେ ଆସି ଏମ୍କେସିଜି ଏଫ୍ଏମ୍ଟିରେ ପହଞ୍ଚିଥିଲେ । ଛୁଟିରେ ଯାଇଥିବା ବ୍ରହ୍ମପୁର ଏସ୍ପି ଡା.ସରବଣା ବିବେକ ଏମ୍ ତୁରନ୍ତ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ ।
କେମିତି ହୋଇଥିଲା ହତ୍ୟା
ଅକ୍ଟୋବର ୬ ତାରିଖ ରାତି ୧୦ଟାରେ ଗୋଟିଏ ବାଇକ୍ରେ ଦୁଇଜଣ ହେଲମେଟ ପିନ୍ଧିଥିବା ଯୁବକ ଆସି ହତ୍ୟା କରିଥିବା ଜଣାପଡିଥିଲା । ସେହି ବାଇକ୍ର ନମ୍ବର ପ୍ଲେଟ୍ରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ସେହି ବାଇକ୍ ମାସକ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୧୨ ତାରିଖରେ ଗୋଇଲୁଣ୍ଡିରେ ଥିବା ମୋବାଇଲ୍ ରିଚାର୍ଜ ଦୋକାନ (ପଣ୍ଡା ଟାଇମ୍ ଏଣ୍ଡ ମୋବାଇଲ୍) ରେ ଦେଖିବାକୁ ମିଳିଥିଲା । ପୁଲିସ ରିଚାର୍ଜ ଦୋକାନିର ମୋବାଇଲ୍ ଯାଞ୍ଚ କରିବା ପରେ ବିହାରର ମିଥୁନ୍ କୁମାରଙ୍କ ଆକାଉଣ୍ଟକୁ ୯, ୫୦୦ ଟଙ୍କା ୟୁପିଆଇରେ ପଠାଯାଇଥିଲା । ମିଥୁନ୍ର ମୋବାଇଲ୍ ଫୋନ୍ ଯାଞ୍ଚ କରିବା ବେଳେ ବିପିନ ସ୍ୱାଇଁଙ୍କ ସହ ସେ ନିୟମିତ ଯୋଗାଯୋଗରେ ଥିବା ଜଣାପଡିଥିଲା । ବିପିନ ଅନ୍ୟ ତିନିଜଣ ସିମାଞ୍ଚଳ ନାୟକ, ଶିଶୁପାଲ୍ ପାଶୱାନ ଓ କୁନ୍ଦନ କୁମାର ସହ ଯୋଗାଯୋଗରେ ଥିବା ଜଣାପଡିଥିଲା । ସେମାନଙ୍କୁ ତୁରନ୍ତ ପୁଲିସ ଗିରଫ କରିଥିଲା । ଜେରା କରିବା ସମୟରେ ବିପିନ ସ୍ୱାଇଁ ସବୁ ସତ କହିଥିଲା । ସେମାନଙ୍କୁ ବନ୍ଥପଲ୍ଲୀର ଉମା ବିଷୋୟୀ ସେପ୍ଟେମ୍ବର ୧୧ ତାରିଖରେ ବ୍ରହ୍ମପୁର ଡାକିଥିବା ପ୍ରକାଶ କରିଥିଲା । ବ୍ରହ୍ମପୁର ଆସିବା ପରେ ଏହି ଚାରିଜଣଙ୍କୁ ଅଳକାପୁରୀରେ ଥିବା ଶୂନ୍ୟ ଦାସଙ୍କ ଘରେ ରଖାଯାଇଥିଲା । ସେଠାରେ ଉମା ବିଷୋୟୀ ଉପରୋକ୍ତ ଚାରିଜଣଙ୍କ ସହ ଯୋଗୀ ରାଉତକୁ ସାକ୍ଷାତ କରାଇଥିଲା । ପୀତବାସ ପଣ୍ଡାଙ୍କୁ ହତ୍ୟା କରିବାକୁ ସେଠାରେ ଯୋଜନା ହୋଇଥିଲା । ଏଥିପାଇଁ ଉମା ୧୦ଲକ୍ଷ ଟଙ୍କା ଦେବ ବୋଲି ଡିଲ୍ କରିଥିଲା । ଉମା ଗୋଟିଏ ୯ ଏମ୍ଏମ୍ ଓ ଗୋଟିଏ ସିଙ୍ଗଲ ସଟ୍ ପିସ୍ତଲ ଏବଂ ଗୋଟିଏ ବାଇକ୍ ସେମାନଙ୍କୁ ଦେଇଥିଲା ।
ସେପ୍ଟେମ୍ବର ୧୨ ତାରିଖରେ ପୀତବାସଙ୍କୁ ହତ୍ୟା ଉଦ୍ୟମ ସଫଳ ହୋଇନଥିଲା । ଡିଲ୍ ହେବା ପରେ ଉମା ଉପରୋକ୍ତ ଚାରିଜଣଙ୍କୁ ୫୦ ହଜାର ଟଙ୍କା ଦେଇଥିଲା । ସେହି ଟଙ୍କାରୁ ୯୫୦୦ଟଙ୍କା ଶିଶୁପାଲ ତାଙ୍କ ସମ୍ପର୍କୀୟ ମିଥୁନ୍ କୁମାରଙ୍କୁ ପଠାଇଥିଲା । ଶିଶୁପାଲ୍ର ସ୍ତ୍ରୀ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ଓ କୁନ୍ଦନ କୁମାର ବିହାର ଫେରିଯାଇଥିଲେ । ସେପଟେ ବିପିନ ଓ ସୀମାଞ୍ଚଳ ମଧ୍ୟ ଚୁପ୍ ରହିଥିଲେ । କିଛିଦିନ ପରେ ଉମା ସେମାନଙ୍କୁ ଫୋନ୍ କରିଥିଲା କିନ୍ତୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା । ଉମା ବିଷୋୟୀ ଏଥିପାଇଁ ବନ୍ଥପଲ୍ଲୀର କୁରୁପତି ଓ ବାଙ୍ଗାଲୁରୁରେ ରହୁଥିବା ଚିଣ୍ଟୁ ପ୍ରଧାନ ସହ ଯୋଗାଯୋଗ କରିଥିଲା । ଘଟଣା ଦିନ ଚିଣ୍ଟୁ ବାଇକ୍ ଚଳାଇଥିଲା ଏବଂ କୁରୁପତି ପଛରେ ବସିଥିଲା । ରାତି ୧୦ଟାରେ ବୈକୁଣ୍ଠନଗର ଛକ ଦେଇ ପୀତବାସ ଯାଉଥିବା ବେଳେ କୁରୁପତି କହିଥିଲା ପଣ୍ଡା ଆଜ୍ଞା ନମସ୍କାର । ପୀତବାସ ବାଇକ୍ ଅଟକାଇବା କ୍ଷଣି ସେ ଛାତିକୁ ଗୁଳି ଚାଳନା କରିଥିଲା ।
ଗିରଫ ଅଭିଯୁକ୍ତ
ଅକ୍ଟୋବର ୨୨ ତାରିଖରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ), କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇ, ଚିଣ୍ଟୁ ପ୍ରଧାନ, ବିପିନ ସ୍ୱାଇଁ, କାଳୁ ଚରଣ ନାହକ, ବିହାରର ଶିଶୁପାଳ ପାଶୱାନ, କୁନ୍ଦନ କୁମାର, ଯୋଗେନ୍ଦ୍ର ରାଉତ, ସିମାଞ୍ଚଳ ନାୟକ, ରାଜେନ୍ଦ୍ର ସାହୁ, କାଳୁ ଚରଣ ବେହେରାଙ୍କୁ ଗିରଫ କରିଥିବା ବେଳେ ପରବର୍ତ୍ତୀ ସମୟରେ ଉମା ବିଷୋୟୀ, କୁରୁପତି ଭୂୟାଁ, ସୁନୀଲ ହୋତା ଓ ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା ପୁଲିସ ।
ସୌଜନ୍ୟ ପ୍ରମେୟ




