
ପୁରୀ: ମାଘ ପୂର୍ଣ୍ଣିମାରେ ରବିବାର ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଦ୍ବିପ୍ରହର ଧୂପ ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ କରାଯିବ। ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କ ବେଶ କରାଇବେ। ଏହି ବେଶରେ ଶ୍ରୀବିଗ୍ରହଙ୍କ ପାଖରେ ଖିରି, ଅମାଲୁ ଭୋଗ କରାଯିବ। ଗଜ ଉଦ୍ଧାରଣ ବେଶରେ ଶ୍ରୀଜଗନ୍ନାଥ ବିଷ୍ଣୁ ରୂପରେ ଚାରି ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଡ଼ ପୃଷ୍ଠରେ ପଦ୍ମାସନ ଭଙ୍ଗୀରେ ବସି ଦର୍ଶନ ଦେଇଥାନ୍ତି। କୋଳରେ ମା’ ଲକ୍ଷ୍ମୀ ତଥା ଶ୍ରୀଦେବୀ ଉପବେଶନ କରିଥାଆନ୍ତି। ଶ୍ରୀବଳଭଦ୍ର ବାସୁଦେବ ରୂପରେ ଚତୁର୍ଭୁଜ ହସ୍ତପଦ ବିଶିଷ୍ଟ ପଦ୍ମାସନରେ ବସିଥାନ୍ତି। ଚାରିଭୁଜରେ ଶଙ୍ଖ, ଚକ୍ର, ହଳ ଓ ମୂଷଳ ଥାଏ। ଦେବୀ ସୁଭଦ୍ରା ଦୁଇହସ୍ତ ଓ ଦୁଇପାଦ ବିଶିଷ୍ଟ କୃଷ୍ଣଙ୍କ ପରି ଛନ୍ଦାୟିତ ପଦରେ ଏକ ପଦ୍ମ କଳିକା ଧରି ଦଣ୍ଡାୟମାନ ଅବସ୍ଥାରେ ରହିଥାନ୍ତି।




