ରାଜ୍ୟ

Jagannath: ୩ ଦିବ୍ୟାଙ୍ଗ ଜଗନ୍ନାଥ: ସହାନୁଭୂତି ଦେଖାଅନି, ସ୍ବାବଲମ୍ବୀ ହେବାକୁ ଦିଅ

ଜୀବନର ପ୍ରତିଟି ମୁହୂର୍ତ୍ତ ସଂଘର୍ଷମୟ। ସ୍ୱପ୍ନ ଆଗରେ ପାହାଡ଼ ଭଳି ଛିଡ଼ା ହେଉଛି ପ୍ରତିବନ୍ଧକ। ତଥାପି ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି ସେମାନେ। ଜନ୍ମରୁ ଦିବ୍ୟାଙ୍ଗ। ହାତଗୋଡ଼ ନ ଥିବାରୁ ସାଧାରଣ ଜୀବନ ଜିଇଁବା ମଧ୍ୟ ସେମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ।

ବରଗଡ଼ (ସୁଦୀପ୍ତ ଷଡ଼ଙ୍ଗୀ): ଜୀବନର ପ୍ରତିଟି ମୁହୂର୍ତ୍ତ ସଂଘର୍ଷମୟ। ସ୍ୱପ୍ନ ଆଗରେ ପାହାଡ଼ ଭଳି ଛିଡ଼ା ହେଉଛି ପ୍ରତିବନ୍ଧକ। ତଥାପି ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି ସେମାନେ। ଜନ୍ମରୁ ଦିବ୍ୟାଙ୍ଗ। ହାତଗୋଡ଼ ନ ଥିବାରୁ ସାଧାରଣ ଜୀବନ ଜିଇଁବା ମଧ୍ୟ ସେମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ। ହେଲେ ଏହି ଶାରୀରିକ ଅକ୍ଷମତା ସେମାନଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ପାରିନାହିଁ। ଅନ୍ୟର ସହାନୁଭୂତି ଅପେକ୍ଷା ନିଜ ଉଦ୍ୟମରେ କିଛି ରୋଜଗାର କରି ସମ୍ମାନର ସହ ବଞ୍ଚିବାକୁ ସ୍ୱପ୍ନ ଦେଖୁଛନ୍ତି ବରଗଡ଼ ଜିଲ୍ଲାର ୩ ଦିବ୍ୟାଙ୍ଗ ଜଗନ୍ନାଥ। ଯାହାଙ୍କ ଆତ୍ମବିଶ୍ବାସ ଓ ମନୋବଳ ଆଗରେ ଜଣେ ସକ୍ଷମ ମଣିଷ ମଧ୍ୟ ଫିକା ପଡ଼ିଯିବ।

ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ଭେରୁଆମୁଣ୍ଡା ଗ୍ରାମର ଜଗନ୍ନାଥ ତାଣ୍ଡି। ୧୭ ବର୍ଷ ବୟସ୍କ ଜଗନ୍ନାଥ ଯୁକ୍ତ୨ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଜନ୍ମରୁ ସେ ଦିବ୍ୟାଙ୍ଗ। ତାଙ୍କର ହାତଗୋଡ଼ ନାହିଁ। ବଡ଼ କଷ୍ଟରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ କରିଥାନ୍ତି। ଦିବ୍ୟାଙ୍ଗ ହେଲେ ମଧ୍ୟ ସେ ନିଜକୁ ଅନ୍ୟଠାରୁ କେବେ କମ୍‌ ଭାବି ନାହାନ୍ତି। ଭଲ ପାଠପଢ଼ି ଜଣେ ଶିକ୍ଷକ ହେବାକୁ ସେ ସ୍ବପ୍ନ ଦେଖିଛନ୍ତି। ବାପା କ୍ଷୀରୋଦ ତାଣ୍ଡି ତାଙ୍କୁ ପ୍ରତିଦିନ କଲେଜ ନେବା ଆଣିବା କରିଥାନ୍ତି। ବେଳେବେଳେ ଅନ୍ୟମାନଙ୍କୁ ଦେଖିଲେ ଦୁଃଖ ଲାଗେ। ହାତଗୋଡ଼ ଥିଲେ ସେମାନଙ୍କ ଭଳି ସାଧାରଣ ଜୀବନ ବଞ୍ଚିଥାନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ଜଗନ୍ନାଥ।

ହାତଗୋଡ଼ ନଥିଲେ ବି ମନୋବଳ ସୁଦୃଢ଼

ଅନ୍ୟଜଣେ ଦିବ୍ୟାଙ୍ଗ ଯୁବକ ହେଉଛନ୍ତି ପାକଇମାଳ ବ୍ଲକ୍‌ ଭାଟିକଲୋନିର ଜଗନ୍ନାଥ ପୋଢ଼(୩୦)। ତାଙ୍କର ମଧ୍ୟ ହାତଗୋଡ଼ ନାହିଁ। ବାପା-ମା’ଛେଉଣ୍ଡ ଜଗନ୍ନାଥ ବାହା ହୋଇଛନ୍ତି। ବର୍ତ୍ତମାନ ସେ ତାଙ୍କର ଭାଇମାନଙ୍କ ସହିତ ରହୁଛନ୍ତି। ସରକାରଙ୍କ ତରଫରୁ ଖଣ୍ଡିଏ ଘର ଓ ବ୍ୟାଟେରି ଚାଳିତ ଟ୍ରାଇସାଇକଲ ଯୋଗାଇ ଦେଲେ ସେ କିଛି ରୋଜଗାର କରନ୍ତେ ବୋଲି ଆଶା ବାନ୍ଧିଛନ୍ତି। ସେହିପରି ଆଉ ଜଣେ ଦିବ୍ୟାଙ୍ଗ ଯୁବକ ହେଲେ ପାଇକମାଳ ବ୍ଲକ୍‌ ବାଭନଡିହି ଗ୍ରାମର ଜଗନ୍ନାଥ ପାତ୍ର (୩୨)। ସେ ବାପା-ମା’ଛେଉଣ୍ଡ ହୋଇଥିବା ବେଳେ ଜନ୍ମରୁ ତାଙ୍କର ମଧ୍ୟ ହାତଗୋଡ଼ ନାହିଁ। ମାଟ୍ରିକ୍‌ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଜଗନ୍ନାଥ ସ୍ବାବଲମ୍ବୀ ହେବାକୁ ଆଶା ରଖିଛନ୍ତି। ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳିଲେ ସେଠାରେ କିଛି ଦୋକାନ କରିବେ ବୋଲି କହିଛନ୍ତି। ଯିବା ଆସିବାରେ ସୁବିଧା ପାଇଁ ଏକ ବ୍ୟାଟେରି ଚାଳିତ ଟ୍ରାଇ ସାଇକେଲ ବ୍ୟବସ୍ଥା କଲେ ସେ ବେଶ୍‌ ଉପକୃତ ହୋଇପା‌ରନ୍ତେ ବୋଲି କହିଛନ୍ତି। ବେଳେବେଳେ ନିଜର ଶାରୀରିକ ଅକ୍ଷମତାକୁ ନେଇ ବହୁତ କଷ୍ଟ ଲାଗେ। ପୁଣି ମନକୁ ଆସେ ଯେ, ଭଗବାନ ଆମ ପାଇଁ ଏହି ଜୀବନ ଲେଖିଥିଲେ। ଏଣୁ ଯେତେ ଯାହା ବାଧାବିଘ୍ନ ଆସୁ ପଛେ ଜୀବନ ବଞ୍ଚିବାକୁ ହେବ ବୋଲି କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button