Governor of Odisha: ବ୍ରଜମୋହନ ଓଡ଼ିଶା ରାଜ୍ୟପାଳ: ବଦଳିଲେ ଆଉ ୫ ରାଜ୍ୟପାଳ
ଓଡ଼ିଶାର ରାଜ୍ୟପାଳ ବଦଳିଛନ୍ତି। ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ଝାଡ଼ଖଣ୍ଡର ବିଜେପି ନେତା ବ୍ରଜମୋହନ ରାମଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି।

ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ବଦଳିଛନ୍ତି। ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ଝାଡ଼ଖଣ୍ଡର ବିଜେପି ନେତା ବ୍ରଜମୋହନ ରାମଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି। ଶ୍ରୀ କମ୍ଭମପାଟିଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ନ ପୂରୁଣୁ ତାଙ୍କୁ ଅତର୍କିତ ଭାବେ ବଦଳାଯିବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ବିଜେପି ସରକାର କ୍ଷମତାକୁ ଆସିଲା ପରେ ଦୁଇ ଦୁଇ ଥର ରାଜ୍ୟପାଳ ବଦଳିଲେଣି। ୧୯୫୮ ମସିହାରେ ଜନ୍ମିତ ବ୍ରଜମୋହନ ରାମ ଝାଡ଼ଖଣ୍ଡରେ ଜଣେ ଦଳିତ ନେତା ଭାବେ ବେଶ୍ ପରିଚିତ। ୧୯୯୬ରୁ ୨୦୦୪ ମଧ୍ୟରେ ସେ ତିନି ଥର ଲୋକସଭାକୁ ପ୍ରତିନିଧିତ୍ବ କରିଛନ୍ତି। ଏହା ପୂର୍ବରୁ ସେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଝାଡ଼ଖଣ୍ଡରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ଦାୟିତ୍ବରେ ସେ ରହିଥିଲେ।
ବର୍ତ୍ତମାନର ରାଜ୍ୟପାଳ ଶ୍ରୀ କମ୍ଭମପାଟି ୨୦୨୫ ଜାନୁଆରି ୩ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ସମୟରେ ଲୋକଭବନରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା। ଏହା ବାଦ୍ ନିଜେ ରାଜ୍ୟପାଳ ବିଭିନ୍ନ ବିଭାଗର କାମର ଅଗ୍ରଗତି ନିୟମିତ ବ୍ୟବଧାନରେ ସମୀକ୍ଷା କରୁଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କୁ ହଠାତ୍ ଓଡ଼ିଶାରୁ ଅବ୍ୟାହତି ଦିଆଗଲା, ତାହା ରହସ୍ୟମୟ ହୋଇପଡ଼ିଛି। ତାଙ୍କୁ ଅନ୍ୟତ୍ର କୌଣସି ଦାୟିତ୍ବ ମଧ୍ୟ ଦିଆଯାଇ ନାହିଁ। ସୂଚନାଯୋଗ୍ୟ ଯେ ଝାଡ଼ଖଣ୍ଡର ବିଜେପି ନେତା ରଘୁବର ଦାସ ୨୦୨୩ ଅକ୍ଟୋବର ୩୧ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗ ଦେଇଥିଲେ। ବିଜେପି ସରକାର କ୍ଷମତାକୁ ଆସିବାର ୬ ମାସରେ ତାଙ୍କୁ ଏଠାରୁ ହଟାଯାଇଥିଲା। ତାଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବାରେ ଘଟଣାରେ ସେ ବିବାଦୀୟ ହୋଇପଡ଼ିଥିଲେ।
ସୌଜନ୍ୟ ସମ୍ବାଦ




