ରାଜ୍ୟ

Cold Wave Alert: ଆଭ୍ୟନ୍ତରୀଣରୁ ଉପକୂଳ, ସବୁଠି ବଢ଼ିଲା ଶୀତ ପ୍ରକୋପ, ପାରଦ ୧୦ ଡିଗ୍ରୀରୁ କମିଲା

ଭୁବନେଶ୍ୱର, ୨୮/୧୧: ଆଭ୍ୟନ୍ତରୀଣରୁ ଉପକୂଳ, ସବୁଠି ଅଚାନକ ମାଡ଼ି ଆସିଛି ଶୀତ । ଗୁରୁବାର ରାତିରୁ ଶୀତ ବଢ଼ିଥିଲା । ଶୁକ୍ରବାର ରାତିରୁ ଥଣ୍ଡା ପ୍ରକୋପ ଆହୁରି ବଢ଼ିଯାଇଛି । ଅନୁମାନ କରାଯାଉଛି, ଜାଡ଼ ଆହୁରି ଥରାଇବ ।

ରାଜ୍ୟକୁ ଦୁଇଦିନ ହେବ ଉତ୍ତରା ପବନ ପ୍ରବାହ ବଢ଼ିଛି । ଗୁରୁବାର ରାତିରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଯାଇଛି । ଜି.ଉଦୟଗିରିରେ ଗୁରୁବାର ରାତି ତାପମାତ୍ରା ୮.୬ ଡିଗ୍ରୀ ସେଲସିୟସ୍ ଥିଲା । ଦାରିଙ୍ଗିବାଡ଼ି ୧୧.୫, ଝାରସୁଗୁଡ଼ା ୧୧.୮, ଫୁଲବାଣୀ ୧୨, କିରେଇ ୧୩.୫, ରାଉରକେଲା ୧୩.୬, ସେମିଳିଗୁଡ଼ା ୧୩.୬ ଡିଗ୍ରୀ ଥିଲା । କେବଳ ଦକ୍ଷିଣ, ଆଭ୍ୟନ୍ତରୀଣ କିମ୍ବା ପଶ୍ଚିମ ଓଡ଼ିଶା ନୁହେଁ, ଉପକୂଳ ଅଞ୍ଚଳରେ ବି ଖସିଛି ପାରଦ । ଭଦ୍ରକର ରାଣୀତାଲରେ ୧୪ ଡିଗ୍ରୀ, ବାଲେଶ୍ୱରରେ ୧୫, କଟକରେ ୧୫.୨, ଅନୁଗୁଳ ୧୫, ଢେଙ୍କାନାଳର ମହିଷାପାଟରେ ୧୫.୯, ବାରିପଦା ୧୬, ଭୁବନେଶ୍ୱରରେ ୧୬.୪ ଡିଗ୍ରୀ ରେକର୍ଡ ହୋଇଥିଲା । ସ୍ୱାଭାବିକ ତୁଳନାରେ ପାରଦ ଦେଢ଼ରୁ ଅଢ଼େଇ ଡିଗ୍ରୀ କମିଛି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଜାରି ପୂର୍ବାନୁମାନ କରାଯାଇଛି, ଆସନ୍ତା ୨ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଶନିବାର ସକାଳ ସମୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।

​​​​​​​

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button