Casino: କଲ୍ୟାଣମଣ୍ଡପରେ କ୍ୟାସିନୋ! ଜୁଆଖେଳରେ ଲାଗିଥିଲା ଲକ୍ଷ ଲକ୍ଷ ଟଙ୍କା, ୭୧ ଗିରଫ
କଲ୍ୟାଣମଣ୍ଡପ ପାଲଟିଥିଲା କ୍ୟାସିନୋ। ଟେବୁଲ୍ ଉପରେ ତାସ୍ ଖେଳ। ବାଜିରେ ଲାଗୁଥିଲା ଲକ୍ଷ ଲକ୍ଷ ଟଙ୍କା। ନଗଦ ଟଙ୍କା ବଦଳରେ ବ୍ୟବହାର ହେଉଥିଲା ବେଟିଂ ଟୋକନ୍। ଟଙ୍କା ଗଣିବା ପାଇଁ ମେସିନ୍ ସହ ଦାମୀ କାର୍ର ଭିଡ଼।

ପାରଳାଖେମୁଣ୍ଡି: କଲ୍ୟାଣମଣ୍ଡପ ପାଲଟିଥିଲା କ୍ୟାସିନୋ। ଟେବୁଲ୍ ଉପରେ ତାସ୍ ଖେଳ। ବାଜିରେ ଲାଗୁଥିଲା ଲକ୍ଷ ଲକ୍ଷ ଟଙ୍କା। ନଗଦ ଟଙ୍କା ବଦଳରେ ବ୍ୟବହାର ହେଉଥିଲା ବେଟିଂ ଟୋକନ୍। ଟଙ୍କା ଗଣିବା ପାଇଁ ମେସିନ୍ ସହ ଦାମୀ କାର୍ର ଭିଡ଼। ଏଭଳି ସୁସଂଗଠିତ ଢାଞ୍ଚାରେ ଚାଲିଥିବା ବେଆଇନ ଜୁଆଖେଳ ଉପରେ ଗଜପତି ପୁଲିସ ଚଢ଼ଉ କରି ଗତକାଲି ୭୧ ଜଣଙ୍କୁ ଗିରଫ କରିଛି। ଏହି କାରବାର ପଛରେ ଥିବା ଆୟୋଜକ ଓ ସହଯୋଗୀଙ୍କ ନେଟ୍ୱର୍କକୁ ନେଇ ଏବେ ତଦନ୍ତ ଜୋର୍ଦାର ହୋଇଛି। ଗିରଫ ୭୧ ଜଣଙ୍କ ମଧ୍ୟରୁ ୬ ଜଣ ପାରଳାଖେମୁଣ୍ଡି ଅଞ୍ଚଳର ହୋଇଥିବା ବେଳେ ୬୫ ଜଣ ଆନ୍ଧ୍ରପ୍ରଦେଶର ବାସିନ୍ଦା। ପାରଳାଖେମୁଣ୍ଡିର ୬ ଜଣଙ୍କ ମଧ୍ୟରେ ୩ ଜଣ ସରକାରୀ କର୍ମଚାରୀ ଓ ୩ ଜଣ ପ୍ରତିଷ୍ଠିତ ବ୍ୟବସାୟୀ। ଆନ୍ଧ୍ରପ୍ରଦେଶରୁ ମଧ୍ୟ ଅନେକ ସରକାରୀ କର୍ମଚାରୀ ଓ ବ୍ୟବସାୟୀ ଅଛନ୍ତି। ଏଥିସହ ଆନ୍ଧ୍ରପ୍ରଦେଶରୁ ଜୁଆଡ଼ିଙ୍କୁ ଆଣିବାରେ ଜଣେ ଶିକ୍ଷକଙ୍କ ମୁଖ୍ୟ ଭୂମିକା ଥିବା ଅଭିଯୋଗ ହୋଇଛି। ଦଲାଲଙ୍କ ମାଧ୍ୟମରେ ଜୁଆଡ଼ିଙ୍କୁ ଅଣାଯାଉଥିବା ଏବଂ ସେମାନଙ୍କ ରହିବା ଓ ଅନ୍ୟାନ୍ୟ ସୁବିଧା ସହ ଭିଆଇପିଙ୍କ ଭଳି ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ତେବେ, ସରକାରୀ ପଦପଦବିରେ ଥିବା ବ୍ୟକ୍ତିଙ୍କ ଏଭଳି ଜୁଆ ଆସରରେ ସମ୍ପୃକ୍ତି ଅଧିକ ଚର୍ଚ୍ଚିତ କରିଛି।
ସରକାରୀ କର୍ମଚାରୀ ଓ ବ୍ୟବସାୟୀଙ୍କ ସଂପୃକ୍ତି
୧୨.୦୩ ଲକ୍ଷ ଟଙ୍କା, ୧୦୨ ବେଟିଂ ଟୋକନ୍
ଓ ୯ କାର୍ ଜବତ
ବିଶ୍ୱସ୍ତ ସୂଚନା ଆଧାରରେ ଏସ୍ଆଇ ପି.ସ୍ୱାଇଁଙ୍କ ନେତୃତ୍ୱରେ ଗତକାଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ଟିମ୍ ଦେବୀତିସ୍ଥିତ ଜୟ ମାତାଦୀ କଲ୍ୟାଣ ମଣ୍ଡପରେ ଚଢ଼ଉ କରିଥିଲା। ସେଠାରେ ୭୧ ଜଣ ଖେଳୁଥିଲେ। ଚଢ଼ଉ ବେଳେ ନଗଦ ୧୨ ଲକ୍ଷ ୩ ହଜାର ୭୭୦ ଟଙ୍କା, ୧୦୨ଟି ବେଟିଂ ଟୋକନ୍, ୯୫୪ଟି ତାସ୍, ଗୋଟିଏ ଟଙ୍କା ଗଣିବା ମେସିନ୍, ୬୦ଟି ମୋବାଇଲ୍ ଫୋନ୍ ଓ ୯ଟି ଚାରିଚକିଆ ଗାଡ଼ି ଜବତ ହୋଇଥିଲା। ଜବତ ଟୋକନ୍ଗୁଡ଼ିକର ମୂଲ୍ୟ କେତେ ଓ ଏହା ମାଧ୍ୟମରେ କେତେ ଟଙ୍କାର ବାଜି ଲାଗୁଥିଲା ଏନେଇ ତନାଘନା ଜାରି ରହିଛି। ଟୋକନ୍ର ମୂଲ୍ୟ ୧୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲା କି ବୋଲି ପ୍ରଶ୍ନ ଉଠିଛି। ତେବେ, ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ କେସ୍ ନଂ ୪୨୪/୨୦୨୬ରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




