CCSO’s: ସିସିଏସ୍‌ଓଙ୍କ ପ୍ରକୋଷ୍ଠରେ ସପ ପକାଇ ଶୋଇଲେ ମିଲର୍‌

ବଲାଙ୍ଗୀର: ଅଧିକାରୀ ବୁଝାଇଲେ। ହେଲେ ମିଲର୍‌ ବୁଝିବାକୁ ନାରାଜ। ଏକା ଜିଦ୍‌ ଚଳିତ ରବି ଧାନକିଣାରେ ତାଙ୍କ ମିଲ୍‌ ନାଁ ସାମିଲ କରାଯାଉ। ଏମିତିକି ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ସମ୍ମୁଖରେ ରାତିରେ ସପ ପକାଇ ଶୋଇଲେ। ଯିଏ ଯେତେ ବୁଝାସୁଝା କଲେ ଶୁଣିଲେନି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଫୋନ୍‌ କରି ମିଲର୍‌ଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ। ଏଭଳି ଏକ ଅଭାବନୀୟ ପରିସ୍ଥିତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଏ ସଂପର୍କରେ କେହି ଯେମିତି ସୂଚନା ନ ପାଇବେ ସେଥିପାଇଁ ତରବରିଆ ଭାବେ ମାମଲାକୁ ସଲାସୁତୁରା କରି ଚପାଇ ଦିଆଯାଇଥିବା ଜଣାପଡ଼ିଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ତାରିଣୀ ରାଇସ୍‌ ମିଲ୍‌। ୨୦୨୪-୨୫ ଖରିଫ ଋତୁରେ ମିଲ୍‌ର ଧାନ ନେଇଥିବା‌ବେଳେ ସେହିବର୍ଷ ହିସାବ ଅନୁସାରେ ଚାଉଳ ଫେରସ୍ତ ଦେଇ ନଥିଲେ। ତେଣୁ ୨୦୨୫-୨୬ ଖରିଫ ଋତୁ ଧାନକିଣା ମିଲର୍‌ ତାଲିକାରେ ତାରିଣୀ ରାଇସ୍‌ ମିଲ୍‌କୁ ବାଦ୍‌ ଦିଆଯାଇଥିଲା। କିଛି ଦିନ ତଳେ ଗତବର୍ଷର ବକେୟା ଚାଉଳ ମିଲର୍ସ ଜମା ଦେଇଛନ୍ତି। ଆଉ ଦିନ କେଇଟା ପରେ ବଲାଙ୍ଗୀର ଜିଲ୍ଲାରେ ରବି ଧାନ କିଣା ଆରମ୍ଭ ହେବ। ଏଥିପାଇଁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି। ଗତକାଲି ରାତିରେ ତାରିଣୀ ରାଇସ୍‌ ମିଲ୍‌ର ମାଲିକ ଲୋକନାଥ ସାହୁ ବଲାଙ୍ଗୀର ଭିଆଇପି ରୋଡ୍‌ସ୍ଥିତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସିସିଏସ୍‌ଓଙ୍କ ପ୍ରକୋଷ୍ଠ ସମ୍ମୁଖରେ ସପ ପକାଇ ଶୋଇ ରହିଥିଲେ। ଚଳିତ ରବି ଧାନକିଣା ପ୍ରକ୍ରିୟାରେ ତାଙ୍କୁ ସାମିଲ କରିବାକୁ ଶ୍ରୀ ସାହୁ ଜିଦ୍‌ କରିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ଦେବବ୍ରତ ମହାପାତ୍ର ପହଞ୍ଚି ଢେର ସମୟ ବୁଝାସୁଝା କଲେ। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମୋବାଇଲରେ କଥିତ ପ୍ରତିଶ୍ରୁତି ମିଳିବା ପରେ ସେ ଓହରି ଯାଇଥିଲେ। ଏ ସଂପର୍କରେ ସିସିଏସ୍‌ଓ ରଞ୍ଜନ କୁମାର ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ସେ ନ ଥିଲେ। ଆଜି ସକାଳୁ ଘଟଣା ବିଷୟରେ ଜାଣିଲେ। ମିଲର୍‌ ପୂର୍ବ ବର୍ଷର ଚାଉଳ ଦେଇ ନଥିଲେ। ଶେଷ ଖରିଫରେ ବାଦ୍‌ ପଡ଼ିଥିଲେ। ରବି ଋତୁ ଧାନକିଣା ପୂର୍ବରୁ ବକେୟା ଚାଉଳ ଦେଇ ତାଲିକାଭୁକ୍ତ କରିବାକୁ କହୁଛନ୍ତି। ସେ ନିଷ୍ପତ୍ତି ଆମେ ନେଇପାରିବୁନି। ଜିଲ୍ଲାପାଳ ଓ ରାଜ୍ୟ ଯୋଗାଣ ବିଭାଗର ଅନୁମତି ମିଳିଲେ ଆମେ ତାଙ୍କୁ ତାଲିକାଭୁକ୍ତ କରିପାରିବୁ ବୋଲି ସିସିଏସ୍‌ଓ ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତେବେ ସକାଳୁଆ କାର୍ଯ୍ୟାଳୟ ଚାଲୁଥିବା ବେଳେ ମିଲର୍‌ ରାତିରେ କାର୍ଯ୍ୟାଳୟକୁ ପ୍ରବେଶ କଲେ କେମିତି? ପୂର୍ବ ବର୍ଷର ଧାନ ନେଇଥିଲେ ହେଁ ସେ ଚାଉଳ ଦେଇପାରିଲେନି। ଏ ବର୍ଷ ରବି ଧାନକିଣା ପୂର୍ବରୁ ଚାଉଳ ଦେବା ସନ୍ଦେହ ସୃଷ୍ଟି କରୁଛି।

 

 

 

ସୌଜନ୍ୟ ସମ୍ବାଦ