ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଭିନ୍ନ ଶିକ୍ଷାନୁଷ୍ଠାନର ୧ଲକ୍ଷ ୧୮ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ଦିଆଯାଇଛି। ଜାତୀୟ ଶିକ୍ଷା ନୀତି(ଏନ୍ଇପି)-୨୦୨୦ ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗାଇଡଲାଇନ ଅନୁଯାୟୀ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଚତୁର୍ଥ ସେମିଷ୍ଟାରରେ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ଏହି ଇଣ୍ଟର୍ନସିପ୍ର ସମୟସୀମା ୬ ସପ୍ତାହ ରହିଛି। ଇଣ୍ଟର୍ନସିପ୍ରେ ଛାତ୍ରଛାତ୍ରୀଙ୍କୁ ମେଣ୍ଟରସିପ୍ ପ୍ରଦାନ କରାଯିବ। ସେମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ବିତ୍ତୀୟ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ ସାମାଜିକ ସଙ୍ଗଠନରେ ଇଣ୍ଟର୍ନସିପ୍ ସୁଯୋଗ ମିଳିଛି।
ଇଣ୍ଟର୍ନସିପ୍ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି ହୋଇଛି। ଏଥିସହ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପ୍ରକଳ୍ପ ଉପସ୍ଥାପନ, ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସାପ୍ତାହିକ ରିପୋର୍ଟ ଓ କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ କ୍ରେଡିଟ୍ ପ୍ରଦାନ ସହ ଏହାକୁ ତାଙ୍କ ଏକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟ୍ରେ ମଧ୍ୟ ସ୍ଥାନିତ କରାଯିବ। ଇଣ୍ଟର୍ନସିପ୍ ପରେ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ। ଏବର୍ଷ ଗଞ୍ଜାମ, ସୁନ୍ଦରଗଡ, ମୟୂରଭଞ୍ଜ, କଟକ, ବଲାଙ୍ଗୀର ଜିଲ୍ଲାର ଅଧିକାଂଶ ଛାତ୍ରଛାତ୍ରୀ ଇଣ୍ଟର୍ନସିପ୍ରେ ଯୋଗଦେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ରେ ନିୟୋଜିତ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଉଚ୍ଚଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ପ୍ରାଧାନ୍ୟ ଦିଆଯାଉଛି। ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ମାଧ୍ୟମରେ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ଏକ୍ସପୋଜର ପାଇପାରିବେ। ଏଥିସହ ତୃଣମୂଳ ସ୍ତରରେ ହେଉଥିବା କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ମଧ୍ୟ ଅବଗତ ହୋଇପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ