ରାଜ୍ୟ

ଉଚ୍ଚଶିକ୍ଷାରେ ଆସିବ ବୈପ୍ଲବିକ ପରିବର୍ତ୍ତନ, ୩୨ କଲେଜରେ ସେଲ୍ଫ ଫାଇନାନ୍ସ ପାଠପଢ଼ା, ଡାଟା ସାଇନ୍ସ ଓ ମାଇନିଂ ଟେକ୍ନୋଲୋଜି ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୮/୧୧ : ରାଜ୍ୟ ଉଚ୍ଚଶିକ୍ଷାରେ ଆସିବ ବୈପ୍ଲବିକ ପରିବର୍ତ୍ତନ । ଛାତ୍ରଛାତ୍ରୀ ହେବେ ଦକ୍ଷ । ସମୟକୁ ତାଳ ଦେଇ ସେମାନଙ୍କର ଦକ୍ଷତା ବିକାଶ କରାଯିବ । ନିଯୁକ୍ତିଭିତ୍ତିକ ଶିକ୍ଷାଦାନ ଦିଆଯିବ । ଆସନ୍ତା ଶିକ୍ଷାବର୍ଷ (୨୦୨୭-୨୮)ରୁ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଆରମ୍ଭ ହେବ ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମ । କୃତ୍ରିମ ବୁଦ୍ଧିମତା (ଏଆଇ), ଡାଟା ସାଇନ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭଳି ପାଠ୍ୟକ୍ରମ ଖୋଲିବ । ଏହା ସାଙ୍ଗକୁ ପର୍ଯ୍ୟଟନ, ଆତିଥ୍ୟ, ସ୍ୱାସ୍ଥ୍ୟସେବା, ଗଣମାଧ୍ୟମ, ଆନିମେସନ୍‌, ଫ୍ୟାସନ୍‌, ପଟ୍ଟଚିତ୍ର, ଓଡ଼ିଶୀ ଭଳି ପାଠ୍ୟକ୍ରମରେ ମଧ୍ୟ ଶିକ୍ଷାଦାନ କରାଯିବ । ମାତ୍ର ଏହି ସମସ୍ତ କୋର୍ସ ତଥା ପାଠ୍ୟକ୍ରମ ସରକାରୀଘରୋଇ ଭାଗିଦାରୀ (ପିପିପି) ମୋଡ୍‌ରେ ଖୋଲାଯିବ । ସେଲ୍‌ଫ ଫାଇନାନ୍ସିଂ କୋର୍ସ ଭାବେ ରାଜ୍ୟର ୩୨ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

ବୈଠକର ସୂଚନା ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୩୨ଟି କଲେଜକୁ ଏହି ସମସ୍ତ କୋର୍ସ ଖୋଲିବା ପାଇଁ ଚିହ୍ନଟ କରାଯାଇଛି । ଯେଉଁଠାରେ ୧୮ଟି ପୁରୁଣା ଓ ୧୪ଟି ନୂଆ କଲେଜ ସାମିଲ ହୋଇଛନ୍ତି । ବିଭାଗ ପକ୍ଷରୁ କୁହାଯାଇଛି, ନିଯୁକ୍ତି ସୁଯୋଗ ନଥିବା ସାଧାରଣ ପାଠ୍ୟକ୍ରମକୁ ନିରୁତ୍ସାହିତ କରାଯାଇ କେବଳ ଶିଳ୍ପ-ପ୍ରାସଙ୍ଗିକ ଓ ଦକ୍ଷତାଭିତ୍ତିକ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ । ଆଞ୍ଚଳିକ ଶିଳ୍ପ ଓ ଅର୍ଥନୈତିକ ଚାହିଦାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ଚୟନ କରାଯିବ । ରାଜ୍ୟବ୍ୟାପୀ ଆଇଟି, ଏଆଇ, ଡାଟା ସାଇନ୍ସ, ସାଇବର ସୁରକ୍ଷା, ବିଏଫ୍‌ଏସ୍‌ଆଇ, ରିଟେଲ୍‌ ଓ ଲଜିଷ୍ଟିକ୍ସ ଭଳି କୋର୍ସ ଖୋଲିବ । ଭୁବନେଶ୍ୱର- ପୁରୀ ଓ କଟକ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନରେ ବିଶେଷ ଭାବେ ପର୍ଯ୍ୟଟନ, ଆତିଥ୍ୟ, ସ୍ୱାସ୍ଥ୍ୟସେବା, ଗଣମାଧ୍ୟମ, ଆନିମେସନ୍‌ ଓ ଫ୍ୟାସନ୍‌ ଆଦି କୋର୍ସ ଖୋଲିବ । ଅନୁଗୁଳତାଳଚେର- ଢେଙ୍କାନାଳ ଅଞ୍ଚଳ ପାଇଁ ଖଣି, ଶିଳ୍ପ, ସୁରକ୍ଷା, ଶକ୍ତି ଓ ସପ୍ଲାଏ ଚେନ୍‌ କୋର୍ସ ଖୋଲାଯିବ । ସମ୍ବଲପୁର-ଝାରସୁଗୁଡ଼ା-ରାଉରକେଲା ଅଞ୍ଚଳ ଧାତୁବିଦ୍ୟା, ଶିଳ୍ପ ରସାୟନ ଓ ଜିଓଇନ୍‌ଫର୍ମେଟିକ୍ସ ଆଦି କୋର୍ସକୁ ପ୍ରାଥମିକତା ଦିଆଯିବ । ପାରାଦୀପ- ଜଗତ୍‌ସିଂହପୁର-କେନ୍ଦ୍ରାପଡ଼ା ଅଞ୍ଚଳ ପାଇଁ ବନ୍ଦର ପରିଚାଳନା, ଜାହାଜ ଚଳାଚଳ, ୱେୟାର ହାଉସିଂ, ପେଟ୍ରୋକେମିକାଲ୍ସ ପାଠ ପଢ଼ାଯିବ ।

ସେହିପରି ଗଞ୍ଜାମ-ବାଲେଶ୍ୱରଭଦ୍ରକ ଅଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ଇଲେକ୍ଟ୍ରୋନିକ୍ସ ପାଠ୍ୟକ୍ରମ ଖୋଲିବ । କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାରେ କୃଷି ବ୍ୟବସାୟ, ଗ୍ରାମୀଣ ପରିଚାଳନା, ଖାଦ୍ୟ ପ୍ରକ୍ରିୟାକରଣ, ଜନଜାତି ଅଧ୍ୟୟନ ନୂଆ କୋର୍ସ ଖୋଲିବ । କେନ୍ଦୁଝର-ମୟୂରଭଞ୍ଜ ଅଞ୍ଚଳରେ ମାଇନିଂ ଟେକ୍ନୋଲୋଜି, ଜଙ୍ଗଲ ଉତ୍ପାଦ, ଇକୋ-ଟୁରିଜିମ୍‌ ଓ ଆଦିବାସୀ ଉନ୍ନତିକରଣ ଆଦି ପାଠ୍ୟକ୍ରମରେ ପାଠପଢ଼ା ହେବ । କେବଳ ବୈଷୟିକ ଶିକ୍ଷା ନୁହେଁ ବରଂ, ଓଡ଼ିଶାର କଳା ଓ ହସ୍ତଶିଳ୍ପକୁ ସ୍ୱତନ୍ତ୍ର ଗୁରୁତ୍ୱ ମିଳିବ । ପାରମ୍ପରିକ କଳା, ହସ୍ତଶିଳ୍ପ ଓ ଜିଆଇଟ୍ୟାଗ୍‌ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ଦକ୍ଷତା ପାଠ୍ୟକ୍ରମ ସାମିଲ କରାଯିବ । ଏଥିରେ ପଟ୍ଟଚିତ୍ର, ରଘୁରାଜପୁରର ପରମ୍ପରା, ତାଳପତ୍ର ଖୋଦେଇ, ଆଦିବାସୀ ଚିତ୍ରକଳା, ଝୋଟି, ଚିତା ଆଦି ପାରମ୍ପରିକ ଚିତ୍ରକଳା କୋର୍ସକୁ ସାମିଲ କରାଯିବ । ସମ୍ବଲପୁରୀ ଇକତ୍‌, ବ୍ରହ୍ମପୁର ପାଟ, କୋଟପାଡ଼ ଭଳି ହସ୍ତତନ୍ତ, କଟକର ରୂପା ତାରକସି, ପିପିଲି ଚାନ୍ଦୁଆ, ପିତ୍ତଳ କାର୍ଯ୍ୟ, ପଥର ଶିଳ୍ପ ଆଦି ହସ୍ତଶିଳ୍ପ, ଓଡ଼ିଶୀ ନୃତ୍ୟ, ସଂଗୀତ, ଗୋଟିପୁଅ, ଛଉ ଭଳି ବିଭିନ୍ନ ପାରମ୍ପରିକ ସଂଗୀତ ନୃତ୍ୟର କୋର୍ସ ଖୋଲିବ ।

ସେହିପରି କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇ ମିଲେଟ୍‌ ପ୍ରକ୍ରିୟାକରଣ, କାଜୁ ପ୍ରକ୍ରିୟାକରଣ, ଛତୁ ଚାଷ, ଶାଳ ପତ୍ର ପ୍ଲେଟ୍‌ ତିଆରି, ଜଙ୍ଗଲ ପଦାର୍ଥର ପ୍ରକ୍ରିୟାକରଣ ଆଦି କୋର୍ସ ଖୋଲିବ । ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଐତିହ୍ୟ, ମନ୍ଦିର ପର୍ଯ୍ୟଟନ ଗାଇଡିଂ, ଇକୋ ଟୁରିଜିମ୍‌, ଓଡ଼ିଆ ଖାଦ୍ୟ ସହ ବିୟୁଟି କେୟାର ଆଣ୍ଡ ୱେଲ୍‌ନେସ୍‌ ଉପରେ ମଧ୍ୟ ନୂଆ କୋର୍ସ ଖୋଲିବ । ବିଭାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ଏହି ସମସ୍ତ କୋର୍ସ ଖୋଲିବା ପୂର୍ବରୁ କ୍ଲାସ୍‌ରୁମ୍‌, ଲ୍ୟାବ୍‌, ଆଇସିଟି ସୁବିଧା ତଥା ଅତ୍ୟାଧୁନିକ କମ୍ପ୍ୟୁଟର ସୁବିଧା ରହିବ । ଅଧ୍ୟାପକଙ୍କ ସମେତ ଅନ୍ୟ ମାନବ ସମ୍ବଳ ନିୟୋଜନକୁ ଗୁରୁତ୍ୱ ଦିଆଯିବ । ପ୍ରାକ୍ଟିକାଲ, ପ୍ରଶିକ୍ଷଣ ସହ ଇଣ୍ଟର୍ଣ୍ଣସିପ୍‌କୁ ଗୁରୁତ୍ୱ ମିଳିବ । ବୈଠକରେ କୁହାଯାଇଛି, ଚିହ୍ନଟ ହୋଇଥିବା ୩୨ଟି କଲେଜର ଅଧ୍ୟକ୍ଷଙ୍କୁ ୭ଦିନ ମଧ୍ୟରେ ନିଜର ଭିତ୍ତିଭୂମି ଓ କୋର୍ସ ସଂପର୍କରେ ମତାମତ ପ୍ରଦାନ କରିବାକୁ କୁହାଯାଇଛି । ସର୍ବାଧିକ ୬ଟି ନିଜ ପସନ୍ଦର ପାଠ୍ୟକ୍ରମ ଚୟନ କରି ଜଣାଇବେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ମିଳିଲେ ଉଚ୍ଚଶିକ୍ଷା ବିଭାଗ ଯେକୌଣସି ପାଠ୍ୟକ୍ରମ ପ୍ରଦାନ କରିବ । କଲେଜରେ ସ୍ଥାନ ଅଭାବ ଦୂର କରିବାକୁ ସାନ୍ଧ୍ୟକାଳୀନ କ୍ଲାସ କରିବାର ବିକଳ୍ପ ମଧ୍ୟ ରଖାଯାଇଛି । କିନ୍ତୁ କୌଣସି କଲେଜରେ ପିପିପି ପାଠ୍ୟକ୍ରମର ସିଟ୍‌ ସଂଖ୍ୟା ନିୟମିତ ପାଠ୍ୟକ୍ରମର ୩୦%ରୁ ଅଧିକ ହେବ ନାହିଁ । ଏହି ପାଠ୍ୟକ୍ରମର ମାନ, ଅଧ୍ୟାପକ ନିଯୁକ୍ତି, ଦେୟ ଢାଞ୍ଚା ଓ ପ୍ଲେସ୍‌ମେଣ୍ଟ ଉପରେ ନଜର ରଖିବା ପାଇଁ ଉଚ୍ଚଶିକ୍ଷା ବିଭାଗରେ ଏକ ସ୍ୱତନ୍ତ୍ର ‘ପିପିପି ସେଲ୍‌’ ଗଠନ କରାଯିବ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button