ରାଜ୍ୟ

Indian Post Office: ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀକୁ ନେଇ ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ଡାକ ମୋହର ଉନ୍ମୋଚିତ

ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ସୋମବାର ଦିନ ‘ଫନ୍ ୱିଥ୍ ଫିଲାଟେଲି’ ଦିବସ ପାଳନ ନିମନ୍ତେ ଓଡ଼ିଶା ଡାକ ସର୍କଲର ବିଭିନ୍ନ ବିଭାଗରେ ଅନେକ ଡାକ ଟିକଟ ସଂଗ୍ରହ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଭୁବନେଶ୍ବର: ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ସୋମବାର ଦିନ ‘ଫନ୍ ୱିଥ୍ ଫିଲାଟେଲି’ ଦିବସ ପାଳନ ନିମନ୍ତେ ଓଡ଼ିଶା ଡାକ ସର୍କଲର ବିଭିନ୍ନ ବିଭାଗରେ ଅନେକ ଡାକ ଟିକଟ ସଂଗ୍ରହ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ କ୍ଷୁଦ୍ର ଡାକ ଟିକଟ ପ୍ରଦର୍ଶନୀ, ଡାକ ଟିକଟ ସଂଗ୍ରହ ସମ୍ବନ୍ଧୀୟ କର୍ମଶାଳା, କୁଇଜ୍, ସେମିନାର ଏବଂ ପତ୍ର ଲିଖନ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଭୁବନେଶ୍ୱରସ୍ଥିତ ଓଡ଼ିଶା ଡାକ ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ମଧ୍ୟ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ଡାକ ସର୍କଲର ଚିଫ ପୋଷ୍ଟମାଷ୍ଟର ଜେନେରାଲ ନିର୍ମଳଜିତ୍ ସିଂହ ଜାତୀୟ ଫିଲାଟେଲି ଦିବସର ବିଷୟବସ୍ତୁ ଉପରେ ଆଧାରିତ ଏକ ଚିତ୍ର ଡାକକାର୍ଡ (ପିପିସି), ଭାରତର ପାରମ୍ପରିକ ପ୍ରଦର୍ଶନ କଳାର ଏକ ଗୁରୁତ୍ୱପୂର୍ଣ୍ଣ ଓ ଆକର୍ଷଣୀୟ ଦିଗକୁ ପ୍ରଦର୍ଶିତ କରୁଥିବା ‘ଭାରତର କଣ୍ଢେଇ ନୃତ୍ୟ’ ବିଷୟବସ୍ତୁ ଉପରେ ଆଧାରିତ ୧୦ଟି ବୁକମାର୍କର ଏକ ସେଟ୍ ଏବଂ ପର୍ଯ୍ୟଟନସ୍ଥଳୀ ଓ ସାଂସ୍କୃତିକ ସ୍ମାରକୀକୁ ଆଲୋକିତ କରୁଥିବା ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ଡାକ ମୋହର ଉନ୍ମୋଚନ କରିଥିଲେ।

ରାଜାରାଣୀ ମନ୍ଦିର, ଚନ୍ଦକା ହାତୀ ଅଭୟାରଣ୍ୟ
ଏହି ଡାକ ମୋହରଗୁଡ଼ିକରେ ଖୋର୍ଦ୍ଧା ଜିଲ୍ଲାର ରାଜାରାଣୀ ମନ୍ଦିର, ଚନ୍ଦକା ହାତୀ ଅଭୟାରଣ୍ୟ, ମୁକ୍ତେଶ୍ୱର ମନ୍ଦିର ଓ ଶାନ୍ତିସ୍ତୂପ ଧଉଳିଗିରି ଏବଂ କଟକ ଜିଲ୍ଲାର ନେତାଜୀଙ୍କ ଜନ୍ମସ୍ଥାନ, ସ୍ୱରାଜ ଆଶ୍ରମ, କଟକ ଚଣ୍ଡୀ ମନ୍ଦିର, ରୂପା ତାରକସି କାମ, ବାରବାଟୀ ଦୁର୍ଗ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭଳି ପ୍ରମୁଖ ସ୍ଥାନ ସ୍ଥାନିତ ହୋଇଛି। ଏହି ସମାରୋହରେ ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ)  ଏ. କୋରାଗପ୍ପାଙ୍କ ସମେତ ଅନ୍ୟ ଡାକ ଅଧିକାରୀ ଓ ଡାକ ଟିକଟ ସଂଗ୍ରାହକମାନେ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button